ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର କାନ୍ଥରେ ପୂଜକଙ୍କ ପୁଅଙ୍କ QR କୋଡ୍

*ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର କାନ୍ଥରେ ପୂଜକଙ୍କ ପୁଅଙ୍କ QR କୋଡ୍: ଭକ୍ତଙ୍କ ମନରେ ସନ୍ଦେହ, ସ୍ୱଚ୍ଛତା ନେଇ ଦେବୋତ୍ତର ବିଭାଗକୁ ପ୍ରଶ୍ନ*”ଦେବୋତ୍ତର ବିଭାଗ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ମନ୍ଦିର ପ୍ରବେଶ କାନ୍ଥରେ ଲଗାଇବାକୁ ଦାବି”ଗୁଣପୁର (୨୫/୯): ଗୁଣପୁରସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର କାନ୍ଥରେ ଲାଗିଥିବା ଏକ ଡିଜିଟାଲ୍ QR କୋଡ୍‌କୁ ନେଇ ଏବେ ସ୍ଥାନୀୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଏବଂ ସନ୍ଦେହ ସୃଷ୍ଟି ହୋଇଛି। ମନ୍ଦିରର ଦାନ ହୁଣ୍ଡି ନିକଟସ୍ଥ କାନ୍ଥରେ ଶୋଭା ପାଉଥିବା ଏହି QR କୋଡ୍‌ଟି ସ୍କାନ୍ କଲେ ଜଣେ ପୂଜକଙ୍କ ପୁଅଙ୍କ ବ୍ୟକ୍ତିଗତ ନାମ ପ୍ରଦର୍ଶିତ ହେଉଥିବା ଅଭିଯୋଗ ହୋଇଛି।ମନ୍ଦିରଟି ସରକାରୀ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ, କାହାର ଅନୁମତିରେ ଏହି ବ୍ୟକ୍ତିଗତ QR କୋଡ୍ ମନ୍ଦିର ପରିସରରେ ଲଗାଯାଇଛି, ସେ ନେଇ ପ୍ରଶ୍ନ ଉଠିଛି। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଥିବା ଟଙ୍କା ମନ୍ଦିରର ଅଧିକୃତ ଖାତାକୁ ଯାଉଛି ନା କୌଣସି ବ୍ୟକ୍ତିଗତ ଆକାଉଣ୍ଟକୁ ହସ୍ତାନ୍ତର ହେଉଛି, ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ଏହାସହ ଏହି ଦାନ ବାବଦରେ ଭକ୍ତଙ୍କୁ ରସିଦ୍ ପ୍ରଦାନ କରାଯାଉଛି କି ନାହିଁ ଏବଂ ଏହାର ହିସାବ କେଉଁ ରେଜିଷ୍ଟରରେ ରଖାଯାଉଛି, ସେ ନେଇ ଶ୍ରଦ୍ଧାଳୁମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି।

ପୂର୍ବରୁ ଏନେଇ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହି QR କୋଡ୍‌ଟି ହଟାଯାଇ ନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କୁ ଦାନ ଦେବା ସମୟରେ ଭ୍ରମିତ ହେବାର ଆଶଙ୍କା ଦେଖାଦେଇଛି।ଏହି ପରିପ୍ରେକ୍ଷୀରେ, ଦେବୋତ୍ତର ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ମନ୍ଦିର କାନ୍ଥରେ ଦେବୋତ୍ତର ବିଭାଗ ଅଧିକୃତ ବ୍ୟାଙ୍କ ଆକାଉଣ୍ଟ, ଦେବୋତ୍ତର ବିଭାଗ ଆକାଉଣ୍ଟ UPI/QR କୋଡ୍ ଏବଂ ଦେବୋତ୍ତର ବିଭାଗର ଯୋଗାଯୋଗ ନମ୍ବର ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଉ। ଏହାସହ ସମସ୍ତ ଡିଜିଟାଲ୍ ଦାନର ସଠିକ୍ ହିସାବ ରଖି ସ୍ୱଚ୍ଛତା ପ୍ରକାଶ କରିବା ସହ ଅନଧିକୃତ QR କୋଡ୍ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେବୋତ୍ତର ବିଭାଗ ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବି ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *