ପିପିଲିରେ ରାଜ୍ୟସ୍ତରୀୟ ‘ଆଙ୍ଗନ କା ମିଲନ’ ଉତ୍ସବକୁନି କୁନି ପିଲାଙ୍କ ସହ ଉତ୍ସବ ପାଳିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପିପିଲି: ପ୍ରଧାନମନ୍ତ୍ରୀଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ପୁରୀ ଜିଲ୍ଲା ପିପିଲିରେ ରାଜ୍ୟସ୍ତରୀୟ ‘ଆଙ୍ଗନ କା ମିଲନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସଂଗଳେଇ ଶାସନ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି କୁନି ପିଲାଙ୍କ ସହ ଉତ୍ସବ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ। ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ମୂଳଦୁଆ , ବୋଲି ଉଭୟ ଅତିଥି ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁସ୍ଥ ପରିବେଶ ପ୍ରତି ଅଭିଭାବକମାନେ ଯତ୍ନବାନ ହେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହ୍ୱାନ ଦେଇଥିଲେ। । ବିଶେଷକରି ମାଆଙ୍କ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗର୍ଭସ୍ଥ ଶିଶୁର ଯତ୍ନ ଏବଂ ଶିଶୁ ଜନ୍ମ ପରେ ତା’ର ପୋଷଣ ଓ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବାରୁ ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ସହାୟିକାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉତ୍ସବ ଅବସରରେ କୁନି କୁନି ପିଲାଙ୍କ ଦ୍ୱାରା ନାଚ, ଗୀତ ଓ ଗପ କହିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହିତ ଅଭିଭାବକମାନଙ୍କୁ ନେଇ ପୋଷଣ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅଭିଭାବକଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ବିବେଚିତ ଅଭିଭାବକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମମତା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ସଚିବ ଜ୍ୟୋତିରଞ୍ଜନ ନାୟକ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ସୁସ୍ଥ ବିକାଶ, ପୋଷଣ ଓ ଯତ୍ନ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରାଯିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତନୁପ୍ରଭା ବେଉରାଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ପିପିଲି ସିଡିପିଓ ମମତା ନାୟକଙ୍କ ସମେତ ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ସହାୟିକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *