ଭିଟାମାଟିର ମୋହ
*ଭିଟାମାଟିର ମୋହ*✍️ ଚିନ୍ମୟୀ ସାହୁ। ଭିଟା ମାଟିର ମୋହ ସବୁଠୁ ନିଆରା ହୋଇଥାଏ। ସେଇଠି ରହି ଶାଗ ପଖାଳ ଖାଇ ଝୁମ୍ପୁଡି ଘରେ ରହୁଥିଲେ ମଧ୍ୟ ସରଗ ସୁଖ ପରି ଲାଗେ। କାରଣ ସେଠି ନିହିତ ଥାଏ ଅନେକ ଅକୁହା ଅଭୁଲା ସ୍ମୃତିର ଗନ୍ତାଘର। ସେଠି ଥାଆନ୍ତି ଅନେକ ଭାବଭରା ସମ୍ପର୍କର ଛବି ଗୁଡିକ।ସେଠି ଥାଆନ୍ତି ଏମିତି ଆତ୍ମୀୟ ଯିଏ ନିଜଠୁ ନିଜର ହୋଇଥାନ୍ତି। ସେଠାକାର ପାଣି- ପବନ- ଧୂଳି- ମାଟି- ଗଛ- ପତର ସବୁଥିରେ ଥାଏ ଅପୂର୍ବ ଶାନ୍ତି। ଏନ୍ତୁଡି ଶାଳର ପ୍ରଥମ କୁଆଁରାବ ମିଶି ଥାଏ ସେଇଚାଳଛପର ଘର ,ମାଟି କାନ୍ଥ ଓ ଅଗଣାରେ । ସେଠି ଲୁଚିଥାଏ ସାଙ୍ଗସାଥୀଙ୍କ ମେଳରେ କଟିଥିବା ଅସରା ସ୍ମୃତିର ପେଟରା। ଯେବେ ବି ସେଠିକି ଗଲେ କାନରେ ଗୁଞ୍ଜରିତ ହେଉଥାଏ ପିଲାଦିନର ଖିଲି ଖିଲି ହସ,ଆଈମା’ର ଗପ। ଦିଶିଯାଉଥାଏ ଗାଁ ହୋଲି ,ଦୋଳ ମେଲଣ , କୁଆଁର ପୁନେଇଁ ର ଅଭୁଲା ଛବି। ତେଣୁ କେହି ବି ନିଜ ଭିଟାମାଟିର ମୋହଠୁ ଦୂରେଇ ରହିପାରନ୍ତି ନାହିଁ । କର୍ମତାଡନାରେ ବିବଶ ହୋଇ ଯଦିବା କେହି ବିଦେଶକୁ ଯାଆନ୍ତି ଓ ବିଦେଶୀ ହୋଇ ରହିଯାଆନ୍ତି ମନ କିନ୍ତୁ ତାଙ୍କର ନିଶ୍ଚୟ ଝୁରି ହେଉଥାଏ ନିଜ ଗାଁ ମାଟିକୁ । କିଏ ସମୟ ସୁଯୋଗ ଦେଖି ଆସି ବୁଲି ଯାଆନ୍ତି ତ କିଏ ବିଦେଶୀ ହୋଇ ରହିଯାଆନ୍ତି। କିନ୍ତୁ ଏହା ନିଶ୍ଚିତ ଯେ ବୃଦ୍ଧ ଅବସ୍ଥା ପାଖେଇ ଆସିବା ସଙ୍ଗେ ସଙ୍ଗେ ସମସ୍ତେ ନିଜ ଗାଁ ଅଭିମୁଖି ହୋଇଥାନ୍ତି। ନିଜ ମାଟି ମାଆ କୋଳକୁ ଝୁରି ହୋଇଥାନ୍ତି। ଏହାର ଅନେକ ଉଦାହରଣ ମିଳିଥାଏ।ସେମିତି ଏକ କାହାଣୀ… ରଙ୍ଗବୁଢୀର ଆଖି ନାହିଁ। ସେ ଅନ୍ଧୁଣୀ। ଲୋକେ କୁହନ୍ତି ସେ ଜନ୍ମାନ୍ଧ ନୁହେଁ। ବାର୍ଦ୍ଧକ୍ୟ କ୍ରମେ ଦୃଷ୍ଟିଶକ୍ତି କମିଯାଇଛି । ହେଲେ ଉପଚାର ପାଇଁ ପାଖରେ କୋଉ ପୁଅ ନାତି ଅଛନ୍ତି ଯେ ଡାକ୍ତର -ବଇଦଙ୍କୁ ଦେଖେଇବେ । ତା’ର କାଳେ ସମସ୍ତେ ଅଛନ୍ତି ,ହେଲେ ବିଦେଶରେ । ପାଠପଢି ବିଦେଶରେ ଚାକିରି କରି ପୁଅ ତା’ର ବୋହୁ- ନାତି -ନାତୁଣୀ ସହ ରହିଛି। ସେମାନେ କୁଆଡେ ୟା’କୁ ଡାକୁଥିଲେ ହେଲେ ୟେ ମନାକଲା। ତା’ କଥା ସତ କେତେ ମିଛ କେତେ ସିଏ ଜାଣେଲୋ ମାଆ। ହେଲେ ପୁଅ ବୋହୁଙ୍କ ସରାଗ ୟା’ଉପରେ ଥିଲା ଭଳି ତ ଲାଗେନି। କାରଣ ବୋହୁ- ନାତି-ନାତୁଣୀ ତ କେବେ ୟା ପାଖକୁ ଆସିବା ଗାଁ’ଲୋକ ଦେଖିପାରନ୍ତି ନାହିଁ। ପୁଅ କ୍ଵଚିତ୍…ଆସେ ଦିନେ ଅଧେ ରହେ କି ନ ରହେ ଖାଲି ବୁଲିକି ଚାଲି ଯାଏ। ଜମିବାଡ଼ି ଅଳ୍ପ କିଛି ଯାହା ଅଛି ଭାଗୁଆ ଯାହା କରି ଥାଏ ସେଇ ସବୁ ତଦାରଖ କରିକି ଯାଏ। ଅର୍ଦ୍ଧଭଗ୍ନ ଅବସ୍ଥାରେ ସେ ଚାଳଘର ଦି ବଖରାରୁ ଗୋଟିଏ ଘରେ ଗ୍ରାମଦେବତୀଙ୍କ ମୁଖା ପୂଜା ପାଆନ୍ତି ।ସେଇଟି ହେଉଛି ରଙ୍ଗ ବୁଢୀର ଠାକୁର ଘର । ଆଉ ଗୋଟେ ଘରେ ବୋଧହୁଏ ବୁଢୀରହେ ।ଦାଣ୍ଡ ପଟକୁ ଗୋଟେ ଭଙ୍ଗା ଘର।ମଝୀରେ ବନ୍ଧ ନଥିବା କୂଅ।କଳ୍ପନା କଲେ ବି ଡରଲାଗିବ…. ଭୂତ ବି ରହିବେ ନାହିଁ ସେ ଘରେ ।ବୁଢିଆଣୀ ଜାଲରେ ଛାଉଣିକୁ କଣା ହୋଇ ନଇଁ ପଡିଥାଏ ଚାଳର ଛପର । ସତେ କି ସେ ଘରର ପିଞ୍ଜରା ଦିଶୁଥାଏ ଏପଟ ସେପଟ। ବାହ୍ମୁଣୀ ବୁଢ଼ୀ ଯେହେତୁ ଭାରି ନିଷ୍ଠା ତା’ର ।ସବୁଥିରେ ଭାରି ବାରଣ କରେ ବୋଲି କିଏ କାଇଁ ତା’ ଘରକୁ ଯିବେ ଯେ ? ଘର ମଝିରସେ ଭଙ୍ଗାକୁଅଟା .. କାହିଁ କେତେଦିନୁ ଉଝୁଳା ହୋଇନି। ଅପରିଷ୍କାର ପାଣି । ଧୋଇହେବା ଯୋଗ୍ୟ ନୁହେଁ।କୁଟାକାଠି ପଡ଼ି ପୂରା ଅସନା। ସଞ୍ଜ ହେଲେ କି ରାତି ହେଲେ ଆଲୁଅ ଟିଏ ଦିଶେନା ସେ ଘରୁ ।ସତେ ଯେମିତି କେହି ନାହାନ୍ତି ସେ ଘରେ। ଭଲ ଲୋକ ତ ଚଳିବାକୁ ଡରିବେ , ସେ ଅନ୍ଧୁଣୀ ବୁଢୀଟା କେମିତି ଚଳୁଛି କେଜାଣି ! ସମସ୍ତେ ଏଇକଥା ଫୁସଫାସ୍ ହୁଅନ୍ତି।ପିଲା କେହି ସେ ଘରକୁ ଦିନରେ ବି ଯାଆନ୍ତି ନାହିଁ। ବୁଢ଼ୀ କାମସାରି ଦାଣ୍ଡପିଣ୍ଡାଟାରେ ବସିରହେ ଅଧିକାଂଶ ସମୟ । ଯିଏ ଯା’ ଆସ କରୁଥିବ ପାଟିବାରି ଠଉରେଇକି ଡାକେ । “ଏ ..ଅମୁକ… କି, ହେ ସମୁକପୁଅ କି … ଟିକେ ସେ ସରକାରୀକଳରୁ ପାଣି ବାଲ୍ଟିଏ ଆଣି ଦିଅନ୍ତନି ?” ଏମିତି ଅନ୍ୟମାନଙ୍କ ହାତରେ ହାଟସଉଦା , ଅନ୍ୟାନ୍ୟ କାମ କରି ଚଳିଯାଏ। ହେଲେ ଜାତିଘର ବୁଝିସୁଝି ହିଁ ଯାହାକୁ କିଛି ବରାଦ ଦିଏ ବୁଢୀ… ନହେଲେ ନାହିଁ। ଏମିତି ହଇରାଣ ହୋଇ ଚଳେ ପଛେ ଘର ଛାଡ଼ି ପୁଅ ପାଖକୁ ବିଦେଶ ଯାଏନି। କାରଣଟା କ’ଣ ତାକୁ ହିଁ ଜଣାଥିବ। ଏ ତ ଟିଙ୍ଗି ବୁଢ଼ୀଟା। ସେଥିପାଇଁ ବୋଧହୁଏ ପୁଅବୋହୂ ନେଉ ନଥିବେ ପାଖକୁ। ଥରେ ଗାଁ ଲୋକେ କଥା ହେଲେ ଠାକୁରାଣୀଙ୍କ ମୁଖାଟା ସେ ରଙ୍ଗବୁଢୀଘରୁ ଆଣି ନଟରଥ ଘରେ ରଖିବା। କାରଣ ସେଠି ନା ପାଣି ସୁବିଧା ନା ଘର ଭଲ ।ସେ ଅନ୍ଧୁଣୀବୁଢୀ ଠାକୁରଘର ସଫାସୁତୁରାରଖି ପାରୁନି,ସେ ବି ଭାରି ବୁଢ଼ୀ ହେଇଗଲାଣି, ଠାକୁରଙ୍କ ସେବା କ’ଣ କରିବ ଯେ ? ତେଣୁ ନନା ତା’ ଘରେ ଯାଇ ପୂଜା କରିବାକୁ ମନାକଲେ। ମୁଖା ନିଆଯାଇ ନଟରଥ ଘରେ ରହିଲା। ମାତ୍ର ସତ କି ମିଛ ଠାକୁରାଣୀ କୁଆଡେ ନଟବୁଢାକୁ ସପନେଇଲେ,”ମୋତେ ଯୋଉଠୁ ଆଣିଛୁ ସେଇଠି ନେଇ ଭଲରେ ଭଲରେ ଛାଡ଼ିଦେଇ ଆସେ।” ତା’ପରଦିନ ସକାଳୁ ସକାଳୁ ନେଇ ମୁଖା ସେ ରଙ୍ଗବୁଢୀଘରେ ରଖିଦେଇଆସିଲେ । ଥରେ ମହାବାତ୍ୟା ଆସିଲା। ବୁଢ଼ୀକି ପାଖ ପଡୋଶୀଘର ପୁତୁରା ବହୁତ୍ ଡାକିଲେ ।ହେଲେ ବୁଢୀ ଠାକୁରାଣୀକୁ ଛାଡି ଜମା ଗଲାନି।କହିଲା ,”ମଲେ ମରିବି ପଛେ ମୁଁ କୁଆଡ଼େ ଯିବିନି।ସେଇ ବୁଢୀ ଠାକୁରାଣୀ ରଖିଲେ ରଖିବ ମାରିଲେ ମାରିବ। ” ଠାକୁରାଣୀକୁ ଧରି ତିନିଚାରି ଦିନ ସେ ଭଙ୍ଗା ଘରେ ସେମିତି ପଡିରହିଥିଲା। ସମସ୍ତେ ଭାବିଲେ ବୁଢ଼ୀ ଆଉ ନ ଥିବ। ଦେଖିଲା ବେଳକୁ ବାତ୍ୟାରେ ସବୁ କିଛି ତା’ର ଭାଙ୍ଗି ଯାଇଥିଲା…..କେବଳ ତା’ର ମୁଣ୍ଡ ଉପର ଛପର ଛାଡି। “ସତରେ,,, ୟେ ତ ମା’ଠାକୁରାଣୀଙ୍କ ଦୟା ” କୁହାକୁହି ହେଲେ ଗାଁ ଲୋକ। ସେଠୁ ତାକୁ ସେ ଘର ଭିତରୁ ଉଦ୍ଧାର କରି ଆଣିଲେ ।ସମସ୍ତେ ପଚାରିଲେ , କିଲୋ ବୁଢ଼ୀ ତୁ କାଇଁ ତୋର ପୁଅ ପାଖକୁ ପଳେଇଯାଉନୁ କହିଲୁ ? ଏତେ ହନ୍ତସନ୍ତ ହେବାକୁ ତତେ କଣ ଭଲ ଲାଗୁଛି ? “ବୁଢୀ ଥରି ଥରି କହିଲା,” କୁଆଡେ ଆଉ ଯିବି ମୁଁ ! ପିଲାଗୁଡ଼ାକ ତ ଭିଟାମାଟି ଛାଡ଼ି ନିଜ ସୁଖ ଦେଖିଲେ । ମୁଁ କଣ ମୋ ଠାକୁରାଣୀ ଆଉ ମୋ ଘର ଟାକୁ ଛାଡି ଚାଲିଯିବି ସେମାନଙ୍କ ଭଳି ? ୟେ କଣ କହିବେ ? ସେ ପରା ଏଇ ଘରେ ମୋ ପାଖେ ପାଖେ ଛାଇ ପରି ଅଛନ୍ତି ସବୁବେଳେ। ମୋତେ ଛାଡି ସେ ସରଗକୁ ବି ଯାଇପାରିବେନି। ମୁଁ ମଲେ ସାଙ୍ଗ ହୋଇ ଯିବୁ। ତା’ଛଡ଼ା ମୁଁ ବୋହୂହେଇ ଏଇଠିକି ଆସିଥିଲି ,ଏଠି ୟାଙ୍କ ସହ କେତେ ସୁଖର ଦିନ କଟିଛି ,ଏଇଠି ମୋ ପିଲାପିଲି, ମୋ ସବୁ ସୁଖଦୁଃଖ ଦିନ ଏଇଠି । ମୁଁ କାଇଁ କୋଉଠିକି ଯିବି ବା । ମୋତେ ତ ଜଗିଛି ମୋ ଠାକୁରାଣୀବୁଢୀ। ଆମେ ଦୁଇବୁଢୀ ଦିନ କାଟିଦବୁ ଏମିତି। ତମେମାନେ ଟିକେ ମୋ ଘର ବାଗେଇଦିଅ ….ଆଉ କିଛି ମୋର ଦରକାର ନାହିଁ।” ଏମିତି କହି ବୁଢ଼ୀ ସେ ଭଙ୍ଗା ଘରଟିକୁ ସଜାଡି ଚଳୁଥାଏ।ଦିନେ ତା’ର ଦାଣ୍ଡ କବାଟ ଆଉ ଖୋଲିଲା ନାହିଁ। ସକାଳରୁ ରାତି ହେଇଗଲା ।ଲୋକେ କବାଟ ଭାଙ୍ଗି ପଶି ଦେଖିଲେ ବୁଢ଼ୀ ଆଉ ନାହିଁ। ଆରପାରିକୁ ଗଲା ରଙ୍ଗବୁଢୀ …..ତା’ର ଦିନ ସରିଗଲା। ପୁଅ ବୋହୂ ଆସି ଶୁଦ୍ଧିକ୍ରିୟା ସାରି ପଳେଇଲେ। ବହୁଦିନ ସେ ଘର ସେମିତି ଅସରା ହେଇ ପଡ଼ିରହିଲା। ଠାକୁରାଣୀକୁ ବି ଗାଁ ଲୋକ ନଟବୁଢାଘରକୁ ନେଇ ଆସିଲେ। ସତରେ ଭକ୍ତିରେ ଶକ୍ତି ଥାଏ ବୋଲି ବୋଧହୁଏ ବୁଢୀ ଠାକୁରାଣୀ ସେ ରଙ୍ଗବୁଢୀର ସୁରକ୍ଷା ପାଇଁ ତା’କୁ ଜଗିକି ସେ ଘରେ ଥିଲେ।ସେପଟେ ବିଦେଶରେ ରହୁଥିବା ବାବୁନାବାବୁ ତା’ ସ୍ତ୍ରୀଙ୍କସହ କେଉଁ ଏକ ଭୋଜିକୁ ଯାଇ ଫେରୁଥାଏ ହଠାତ୍ ଟ୍ରକ ଆସି ପଛରୁ ଧକ୍କା ଦେଇ ପଳେଇଲା। ତାଙ୍କ ପତ୍ନୀଙ୍କର ତତ୍କ୍ଷଣାତ୍ ମୃତ୍ୟୁ ହୋଇଗଲା ମାତ୍ର; ବାବୁନାବାବୁଙ୍କ ଗୋଡ଼ ଗୋଟେ ସବୁଦିନ ପାଇଁ ଅଚଳ ହୋଇଗଲା। ପତ୍ନୀ ବିୟୋଗକୁ ଗୋଡ଼ ଅଚଳ। ପୁଅ-ବୋହୂ ଦୁହେଁ ଚାକିରି କରିଥିବାରୁ ବାବୁନାବାବୁଙ୍କ ଯତ୍ନ ଠିକ୍ ଭାବେ ନେଇପାରନ୍ତି ନାହିଁ। ଯାହା ବାବୁନାବାବୁଙ୍କୁ ଖୁବ୍ କଷ୍ଟ ଦିଏ । ଗାଁ ଓ ମା’ କଥା ଭାରି ମନେ ପଡେ ତାଙ୍କର।ସେ ତ ଜଣେ ସରକାରୀ କର୍ମଚାରୀ ଥିଲେ। ଅବସର ପରେ ତାଙ୍କୁ ମଧ୍ୟ ପେନସନ ମିଳୁଥିଲା।ଯେଉଁଠି ରହିଲେ ପେନସନ ଥୁଆ। ତେଣୁ ଭାବିଲେ ଏଠି ହତାଦର ହେବା ଅପେକ୍ଷା ମୋ ଗାଁ’ କୁ ପଳେଇବି। ସେଠି କିଛି ନ ହେଲେ ମୋ ଭିଟାମାଟିର ରକ୍ଷଣାବେକ୍ଷଣ କରିବା ସହ ନିଜ ସାଙ୍ଗ ସାଥିଙ୍କ ମେଳରେ ଦିନ କାଟିଦେବି। ପାଞ୍ଚମୁହଁ ଦେଖି ଦୁଃଖ ଭୁଲିଯିବି,ଏଠି ଘର କଣରେ କାଇଁ ପଡିରହିବି ! ଏକଥା ଭାବି ସେ ବିଦେଶ ଛାଡି ଗାଁ କୁ ପଳେଇ ଆସିଲେ । ବୁଢ଼ୀ ଥିଲାବେଳେ ଯିଏ ଦିନେ ରହୁ ନଥିଲା ସେ ଆଠଦିନ ରହିଲାଣି। ଲୋକେ ଫୁସଫୁସ ହେଉଛନ୍ତି… କାଳେ ଘର ସଜାଡି ରହିବାକୁ ଆସିଛି। ଲୋକେ କହୁଥାନ୍ତି ବୁଢୀକୁ ପୁଅସୁଖ ତ ଦେଇନି । କି ହିନସ୍ଥା ହେଇ ବୁଢ଼ୀ ମଲା … ଇଏ କ’ଣ ଭଲରେ ରହିବ କି? ୟେ ବି ସେଇମିତି ଅବସ୍ଥା ହବ।ଯଉବନ ବେଳେ ନିଜସୁଖ ପାଇଁ ସହରନିଶାରେ ସ୍ତ୍ରୀ-ପିଲା ସହ ରହି ଜୀବନକୁ ଖୁବ୍ ଉପଭୋଗ କଲା। ବୁଢୀମାଆଟା କଥା ଭାବିଲାନି। ଖାଲି ଟଙ୍କା ପଠେଇଦିଏ।ଏବେ ବୃଦ୍ଧକାଳେ ଗାଁ କୁ ଫେରୁଛି। ବୃଦ୍ଧାବସ୍ଥାରେ ଟଙ୍କା ନୁହେଁ ସେବା ଦରକାର ହୁଏ । ସେଥିପାଇଁ କୁହନ୍ତି ବୟସ ବେଳେ ଗର୍ବକରିବନି ଧର୍ମକର୍ମବିଚାରି କର୍ମ ନ କଲେ ବୟସ ଆସିଲେ ଫଳ ଭୋଗିବ । ସେଇଆ ହେଲା ଗୋଡ ଗୋଟାଏ ତ ଅଚଳ ହେଲା ।ଆଉ ସାଇକେଲ କି ଗାଡି ଚଲେଇ ନ ପାରି ହାଟସଉଦା, ଔଷଧ ପତ୍ର ପାଇଁ ଅନ୍ୟକୁ ଖୋସାମତ କରିବାକୁ ପଡିଲା , ଠିକ୍ ରଙ୍ଗବୁଢୀପରି । ବର୍ତ୍ତମାନ ସେ ଭଲଭାବେ ବୁଝିସାରିଛି ଯେ ,”ଟଙ୍କା ଡାକିଲେ ଓ’ କରେନି” ।ବୁଢୀ ମାଆ ମୋର ମଧ୍ୟ ଏମିତି ସେବା ଖୋଜୁଥିବ,ହେଲେ ନିରାଶା ନିଃସହାୟ ହୋଇ ଏମିତି କେତେ ଅସୁବିଧା ଭୋଗୁଥିବ ବୋଲି। ଲୋକ ଦେଖି କୁହାକୁହି ହେଉଥାନ୍ତି, *” ଯେମିତି କରିବ ସେମିତି ଭରିବ।”*ମୂଳିସିଂ, ସହରଜଗତସିଂହପୁର।
