ରଗଡ଼ି ସରକାରୀ ପଲିଟେକନିକ୍ରେ ଅଭାବନୀୟ ଘଟଣା
ଦୁଇ ଅଧ୍ୟାପକ ଙ୍କ ମଧ୍ୟରେ ମାରପିଟ ସିନିଅର ଅଧ୍ୟାପକଙ୍କ ଉପରେ ପାଇଖାନା ପାଣି ଢ଼ାଳିଲେ ଅଧ୍ୟାପିକା ଯାଜପୁର, ରଗଡି, ଯେଉଁ ଶିକ୍ଷାନୁଷ୍ଠାନ ଦିନେ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମଗ୍ର ରାଜ୍ୟରେ ଏକ ନମ୍ବର ର ମାନ୍ୟତା ଲାଭ କରିଥିଲା ଆଜି ସେହି ଶିକ୍ଷାନୁଷ୍ଠାନ ର ମୁଣ୍ଡ ତଳକୁ ହୋଇଛି | ଶିକ୍ଷାନୁଷ୍ଠାନ କୁ ମନ୍ଦିର ର ପ୍ରତିଛବି ଭାବେ ବିବେଚନା କରାଯାଉଥିବା ବେଳେ ଏହାର ଅଧ୍ୟାପକ, ଅଧ୍ୟାପିକା ଅଶାଳୀନତାର ସମସ୍ତ ସୀମା ଟପି ଯାଇଛନ୍ତି | ରହିଥିବା ସୁନାମରେ କଳାଦାଗ ଲାଗିଛି | ଯେଉଁଠି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ସଂଯମତା ଓ ନୈତିକତାର ପାଠ ପଢ଼ାଯିବା କଥା, ସେଠି ଯଦି ଅଧ୍ୟାପକମାନେ ନିଜେ ଶୃଙ୍ଖଳା ଓ ହିତାହିତ ଜ୍ଞାନ ଭୁଲିଯାଆନ୍ତି ତେବେ ଛାତ୍ରଛାତ୍ରୀଙ୍କ ଉପରେ ଏହା କିଭଳି ପ୍ରଭାବ ପକାଇବ ସହଜେ କୁହାଯାଇ ପାରେ |ଯାହାକୁ ନେଇ ମାମଲା ଏବେ ଥାନାରେ ପହଁଚିଛି | ଜଣେ ସିନିୟର୍ ଅଧ୍ୟାପକ ଙ୍କ ଉପରେ ଅନ୍ୟ ଜଣେ ଅଧ୍ୟାପିକା ପାଇଖାନାର ମଇଳା ପାଣି ଢାଳିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି|ଏଥିସହିତ ଦୁଇ ଅଧ୍ୟାପକ ଙ୍କ ମଧ୍ୟରେ ସ୍କୁଲ ପରିସରରେ ମାରପିଟ୍ ଓ ଗାଳିଗୁଲଜ କୁ ନେଇ ଚର୍ଚ୍ଚା ଚାଲିଛି । ଘଟଣାକୁ ନେଇ କଲେଜର ର ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି | ଯାଜପୁର ଜିଲ୍ଲା ର ରଗଡ଼ି ସରକାରୀ ପଲିଟେକନିକ୍ରେ ଅଧ୍ୟାପକଙ୍କ ମଧ୍ୟରେ ବିବାଦକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି l

ସୂଚନା ଅନୁଯାୟୀ, କଲେଜର ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରା ଓ ସେହି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସମ୍ବିତ ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ମାରପିଟ୍ ଓ ପରସ୍ପରକୁ ଗାଳିଗୁଲଜ କରିବା ପର୍ଯ୍ୟନ୍ତ ଯାଇଥିଲା l ଘଟଣାକୁ ନେଇ କୋରେଇ ଥାନାରେ ପରସ୍ପର ବିରୋଧରେ ୪ ଅଭିଯୋଗ ହୋଇଥିବା ଜଣାପଡ଼ିଛି l ତେବେ ଏହି ବିବାଦ ମଧ୍ୟରେ ଆଉ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି l କଲେଜର ମେଟାଲୋଜି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସମ୍ବିତ ମହାପାତ୍ରଙ୍କ ପତ୍ନୀ ତଥା ଅଧ୍ୟାପିକା ଆରାଧନା ମ୍ୟାଡମ୍ କିଛି ଛାତ୍ରଙ୍କୁ ଏକତ୍ର କରି ଛାତ୍ରାବାସର ପାଇଖାନାରୁ ମଇଳା ପାଣି ଆଣି ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରାଙ୍କ ଉପରେ ଢାଳିଥିବା ଦେଖିବାକୁ ମିଳିଛି l ଘଟଣା ସମୟରେ ଉପସ୍ଥିତ ଛାତ୍ରଛାତ୍ରୀ କରତାଳି ଦେବା ସହ କମେଣ୍ଟ କରି ଘଟଣାର ମଜା ନେଉଥିବା ସାମ୍ନା କୁ ମଧ୍ୟ ଆସିଛି l ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଜଣେ ଅଧ୍ୟାପକଙ୍କ ସମ୍ମାନ ଓ ମର୍ଯ୍ୟାଦାର ପ୍ରଶ୍ନ ନୁହେଁ, ବରଂ ଶିକ୍ଷାନୁଷ୍ଠାନର ଶୃଙ୍ଖଳା ଓ ଶିକ୍ଷାଦାନର ପରିବେଶକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି l ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଅଭୟ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ ଘଟଣାକୁ ନିନ୍ଦା କରିବା ସହ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ ସହ ନିର୍ଦେଶ କୁ ଅପେକ୍ଷା କରାଯାଇଥିବା କହିଛନ୍ତି l କଲେଜ ପରିସରରେ ଯଦି ଅଧ୍ୟାପକମାନଙ୍କ ମଧ୍ୟରେ ଏଭଳି ବିବାଦ ଓ ଅଶାଳୀନ ଆଚରଣର ସୃଷ୍ଟି ହୁଏ ତେବେ ଛାତ୍ରଛାତ୍ରୀ ଏଥିରୁ କି ଶିକ୍ଷା ଲାଭ କରିବେ | ଏଠି ପ୍ରଶ୍ନ ଉଠେ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ କାହାର? ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବାର ଆବଶ୍ୟକତା ରହିଛି l ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କର ନଜର |
