ଯାଜପୁରଠାରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ପାଳିତ

ଯାଜପୁର, ତା. ୧୫.୧୦.୨୦୨୬ ରିଖ: ଯାଜପୁର ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁରଠାରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ” ରହିଥିବାବେଳେ ମା’ ଓ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପୋଷଣର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ମା’ ଓ ଶିଶୁଙ୍କ ସୁସ୍ୱାସ୍ଥ୍ୟ ତଥା ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଉପଯୁକ୍ତ ପୋଷଣ ଅତ୍ୟନ୍ତ ଜରୁରୀ। ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଗର୍ଭବତୀ ମହିଳା, ଶିଶୁ ଓ କିଶୋରୀମାନଙ୍କୁ ଉପଯୁକ୍ତ ପୋଷଣ ଯୋଗାଇବା ଦିଗରେ ସମସ୍ତେ ମିଳିତ ଭାବେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ। ସୁସ୍ଥ ମା’ ଓ ସୁପୋଷିତ ଶିଶୁ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ବୋଲି ସେ ମତବ୍ୟକ୍ତ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସବିତା ସାହୁ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଙ୍ଗଳିକା ରାଉତରାୟ ଯୋଗ ଦେଇ ଖାଦ୍ୟର ବିବିଧତା ଓ ପର୍ଯ୍ୟାପ୍ତ ପ୍ରୋଟିନ୍‌ଯୁକ୍ତ ଆହାର, ଅଙ୍ଗନବାଡ଼ି କେନ୍ଦ୍ରରେ ତାଜା ଓ ଗରମ ରନ୍ଧା ଖାଦ୍ୟ ଯୋଗାଣ, ପୋଷଣ କାର୍ଯ୍ୟକ୍ରମରେ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଓ ଉତ୍ତରଦାୟିତ୍ୱ, ପୋଷଣ ସହ ପ୍ରାରମ୍ଭିକ ଶୈଶବ ଯତ୍ନ, ଉତ୍ତେଜନା ଓ ଶିକ୍ଷା ମାଧ୍ୟମରେ ଶିଶୁଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମାଧ୍ୟମରେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ।

କାର୍ଯ୍ୟକ୍ରମରେ ବଡ଼ଚଣା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନନ୍ଦିନୀ ପ୍ରଭା ଲେଙ୍କା, ବଡ଼ଚଣା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ଗ୍ରାମୀଣ) ଚନ୍ଦନା ମିଶ୍ର, ଧର୍ମଶାଳା ପ୍ରକଳ୍ପ ଅଧିକାରୀ ସ୍ୱର୍ଣରେଖା ବେହେରା , ରସୁଲପୁର ପ୍ରକଳ୍ପ ଅଧିକାରୀ ଗୀତା ଗାୟତ୍ରୀ ରଥ ଯୋଗ ଦେଇ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ଏହାର ସଫଳତା ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ରକ୍ତହୀନତାର ପରୀକ୍ଷା ଓ ଚିକିତ୍ସା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସନ୍ତୁଳିତ ଆହାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୯ ସେପ୍ଟେମ୍ବର ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ “ରାଷ୍ଟ୍ରୀୟ ପୋଷଣ ପୋଷଣ ମାସ-୨୦୨୬” ପାଳନ ଅବସରରେ ଆଜି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ସହରରେ ଏକ ଜନସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ପଦଯାତ୍ରା ମାଧ୍ୟମରେ ପୋଷଣଯୁକ୍ତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ଶିଶୁଙ୍କ ଯତ୍ନ ଏବଂ ମାତୃ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟଗୁଡିକରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍‌ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *