ଓଡ଼ିଶା ସରକାରଙ୍କ ସହ ଜେ-ପାଲ ସାଉଥ୍ ଏସିଆର ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୪/୧୧/୨୦୨୬ ଓଡ଼ିଶା ସରକାରଙ୍କ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଏକ ପ୍ରମୁଖ ଆଧାର । ଏହି ଦୂରଦୃଷ୍ଟିକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏବଂ ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (ଜେ-ପାଲ) ସାଉଥ୍ ଏସିଆ ମଧ୍ୟରେ ଆଜି ତିନିବର୍ଷିଆ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଶ୍ମି କବି ଏବଂ ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଶୋଭିନୀ ମୁଖାର୍ଜୀ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟକାରୀ ସହଯୋଗୀ ନିର୍ଦ୍ଦେଶକ (ନୀତି) ଶ୍ରୀ ମୁରଲୀ ମଲ୍ଲିକାର୍ଜୁନନ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ । ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ (ଆଇଏଫ୍‌ଏମ୍‌ଆର୍‌) ଠାରେ ପରିଚାଳିତ ଜେ-ପାଲ ସାଉଥ୍ ଏସିଆ ରାଜ୍ୟର ବିଭିନ୍ନ ବିଭାଗ ସହିତ ମିଶି ପ୍ରମୁଖ ନୀତିଗତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା, ବୈଜ୍ଞାନିକ ଓ ବ୍ୟାପକ ଗବେଷଣା ମାଧ୍ୟମରେ ନିର୍ଭରଯୋଗ୍ୟ ପ୍ରମାଣ ସଂଗ୍ରହ କରିବା ଏବଂ ଗବେଷଣାରୁ ମିଳିଥିବା ନିଷ୍କର୍ଷକୁ କାର୍ଯ୍ୟକାରୀ ନୀତିଗତ ସୁପାରିଶରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବ । ଏଥିପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗ ଏହାର ସଂସ୍ଥାଗତ ପରିଚାଳନା ବ୍ୟବସ୍ଥା କରିବ । ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ମାଧ୍ୟମରେ ‘ବିକଶିତ ଓଡ଼ିଶା’ ଏବଂ “ବିକଶିତ ଭାରତ” ଗଠନ ନିମନ୍ତେ ରାଜ୍ୟର ଭବିଷ୍ୟତ ବିକାଶର ରୂପରେଖ ପ୍ରସ୍ତୁତ କରାଯାଇଛି । ୨୦୦୬ ମସିହାରୁ ଓଡ଼ିଶାରେ ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟକଳାପ ଜାରି ରହିଛି । ପ୍ରାରମ୍ଭିକ ଶୈଶବ ଶିକ୍ଷା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶାସନ ବ୍ୟବସ୍ଥା, ପରିମଳ, କୃଷି ଏବଂ ଲିଙ୍ଗଗତ ସମାନତା ଭଳି ବିଭିନ୍ନ କ୍ଷେତ୍ରରେ ଏହି ସହଭାଗିତା କାର୍ଯ୍ୟ କରିଆସୁଛି । ଏହି ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ସରକାର ନିଜର ବିକାଶମୂଳକ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ସହଯୋଗ ପାଇଁ ଜେ-ପାଲ ସାଉଥ୍ ଏସିଆର ସହଯୋଗ ଲୋଡ଼ିଛନ୍ତି । ଜେ-ପାଲ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ସେମାନଙ୍କର ପ୍ରମୁଖ ନୀତିଗତ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକୁ ବୁଝିବା ସହ ଆବଶ୍ୟକୀୟ ଗବେଷଣା ଓ ନୀତିଗତ ସହାୟତା ଯୋଗାଇଦେବ । ଏହି ସହଭାଗିତାର ଅନ୍ୟତମ ଉଦାହରଣ ହେଉଛି ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମ । ଲିଙ୍ଗଗତ ସମାନତା ଉପରେ ଆଧାରିତ ଏହି ପାଠ୍ୟକ୍ରମ ବର୍ତ୍ତମାନ ରାଜ୍ୟର ପ୍ରାୟ ୨୩,୦୦୦ ସରକାରୀ ବିଦ୍ୟାଳୟରେ ପଢ଼ାଯାଉଛି । ଏହି କାର୍ଯ୍ୟକ୍ରମରେ ଜେ –ପାଲ ସାଉଥ୍ ଏସିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବ୍ରେକ୍‌ଥ୍ରୁ ଟ୍ରଷ୍ଟର ଜ୍ଞାନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରୁଛି । ଏହି ସହଭାଗିତାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯିବ । ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜେ-ପାଲ ସାଉଥ୍ ଏସିଆର ପ୍ରତିନିଧିମାନେ ସଦସ୍ୟ ରହିବେ । ଏହି କମିଟି ପ୍ରତି ଛଅ ମାସରେ ଥରେ ବୈଠକ କରି ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିବ । ଉଭୟ ପକ୍ଷର ନୋଡାଲ ଅଧିକାରୀମାନେ ସମସ୍ତ କାର୍ଯ୍ୟକଳାପର ସମନ୍ୱୟ କରିବେ । ସମ୍ପୃକ୍ତ ବିଭାଗଗୁଡ଼ିକ ସହ ପରାମର୍ଶ କରି ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟପରିସର ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଫଳାଫଳ ସ୍ଥିର କରାଯିବ । ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଗର୍ଗ କହିଛନ୍ତି ଯେ, “ବିକଶିତ ଭାରତ” ଗଠନ ଦିଗରେ ଆମେ “ବିକଶିତ ଓଡ଼ିଶା”ର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଏହି ଲକ୍ଷ୍ୟ ହାସଲ ପାଇଁ ନୀତିଗତ ଗବେଷଣା ଓ ନୂତନ ଅଭିନବ ପଦକ୍ଷେପର ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରିବା ସହ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପଦ୍ଧତି ଅନୁସାରେ ତଥ୍ୟ ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି । ଜେ-ପାଲ ସାଉଥ୍ ଏସିଆର ଭୂମିକାକୁ ମୁଁ ତିନୋଟି ଦିଗରୁ ଦେଖୁଛି । ପ୍ରଥମତଃ, ଆମର ପ୍ରାଥମିକତା ଅନୁଯାୟୀ ବିଶ୍ୱସ୍ତରରେ ଉପଲବ୍ଧ ସର୍ବାଧିକ ପ୍ରାସଙ୍ଗିକ ଗବେଷଣାଲବ୍ଧ ପ୍ରମାଣ ଓ ଅଭିଜ୍ଞତା ଉପଲବ୍ଧ କରାଇବା । ଦ୍ୱିତୀୟତଃ, ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ସମ୍ଭାବନାମୟ ପଦ୍ଧତିଗୁଡ଼ିକୁ ଅନୁକୂଳ କରିବା ପାଇଁ ବିଭିନ୍ନ ବିଭାଗ ସହ ମିଶି କାର୍ଯ୍ୟ କରିବା । ତୃତୀୟତଃ, କୌଣସି ସମାଧାନମୂଳକ ପଦକ୍ଷେପକୁ ବ୍ୟାପକ ସ୍ତରରେ କାର୍ଯ୍ୟକାରୀ କରିବା ପୂର୍ବରୁ ତାହାର ପ୍ରଭାବଶୀଳତା ପରୀକ୍ଷା କରିବା ସହ ପ୍ରମାଣ ଓ ତଥ୍ୟ ଆଧାରିତ ସମାଧାନ ପ୍ରସ୍ତୁତିରେ ଆମକୁ ସହଯୋଗ କରିବା । ” ଶ୍ରୀମତୀ ଶୋଭିନୀ ମୁଖାର୍ଜୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ଜେ-ପାଲ ସାଉଥ୍ ଏସିଆ କହିଛନ୍ତି ଯେ, ପ୍ରମାଣଭିତ୍ତିକ ତଥ୍ୟ ସୃଷ୍ଟି କରିବା ଏବଂ ତାହାର ଉପଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦୀର୍ଘଦିନ ଧରି ଅଗ୍ରଣୀ ରାଜ୍ୟ ଭାବେ ପରିଚିତ । ଏହି ସହଭାଗିତା ମାଧ୍ୟମରେ ଓଡ଼ିଶା ସରକାରଙ୍କ ନୀତିଗତ ପ୍ରାଥମିକତା କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ଆମେ ଆଗ୍ରହୀ । ଏଥିରେ ବିଶ୍ୱସ୍ତରୀୟ ଗବେଷଣାଲବ୍ଧ ପ୍ରମାଣ ଉପଲବ୍ଧ କରାଇବା, ତାହାକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅନୁକୂଳ କରିବା, କାର୍ଯ୍ୟକ୍ରମଗୁଡ଼ିକର ମିଳିତ ରୂପରେଖ ପ୍ରସ୍ତୁତ କରିବା ଏବଂ ଫଳପ୍ରଦ ପଦକ୍ଷେପଗୁଡ଼ିକର ପରୀକ୍ଷଣ ଓ ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ରାଜ୍ୟରେ ପୂର୍ବରୁ ରହିଥିବା ସୁଦୃଢ଼ ଅନୁଧ୍ୟାନ ଓ ମୂଲ୍ୟାଙ୍କନ ବ୍ୟବସ୍ଥାର ଦକ୍ଷତାକୁ ଆହୁରି ସମୃଦ୍ଧ କରିବା ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ଶ୍ରୀମତୀ ମୁଖାର୍ଜୀ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (ଜେ-ପାଲ ) ଏକ ଅଗ୍ରଣୀ ଆନ୍ତର୍ଜାତିକ ଗବେଷଣା ନେଟୱର୍କ । ଦାରିଦ୍ର୍ୟ ଦୂରୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ପାଇଁ ଏହା କଠୋର ଓ ବ୍ୟବସ୍ଥିତ ନିୟନ୍ତ୍ରିତ ମୂଲ୍ୟାଙ୍କନ (ରାଣ୍ଡମାଇଜ୍‌ଡ ଇଭାଲୁଏସନ୍) ମାଧ୍ୟମରେ ପ୍ରମାଣଭିତ୍ତିକ ଗବେଷଣାର ପ୍ରୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ଗବେଷଣାମୂଳକ କାର୍ଯ୍ୟ ପାଇଁ ୨୦୧୯ ମସିହାରେ ଜେ-ପାଲ ର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଅଭିଜିତ୍ ବାନାର୍ଜୀ ଓ ଏସ୍ଥର ଡୁଫ୍ଲୋଙ୍କୁ ଅର୍ଥନୀତି କ୍ଷେତ୍ରରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଜେ-ପାଲ ନେଟୱର୍କରେ ୧,୦୦୦ରୁ ଅଧିକ ସହଯୋଗୀ ଗବେଷକ ରହିଛନ୍ତି ଏବଂ ଏହା ଅଧୀନରେ ୨,୫୦୦ରୁ ଅଧିକ ମୂଲ୍ୟାଙ୍କନମୂଳକ ଗବେଷଣା ପ୍ରକଳ୍ପ ଚାଲୁ ରହିଛି କିମ୍ବା ସମ୍ପୂର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *