ଛାଡ ଖାଇ
(କବି କେଶବ ଚନ୍ଦ୍ର ନାୟକ)
…………………………. ….
କାର୍ତ୍ତିକ ସରିଲା ଶାଗ ମୁଗ ଖାଇ
ଏବେ ଛାଡ ଖାଇ ଦିନ……
ଜିହ୍ୱା ଟାକି ଅଛି ଆଇଁଷ ଖାଇବ
ଛନଛନ ଖାଲି ମନ…..!!
ତିରିଶି ଦିନର କାର୍ତ୍ତିକ ମାସରେ
ପନିପରିବାର ଦର…..
ପରିବା ବିକାଳୀ ଲୁଟିଲେ ଗ୍ରାହକ
ଚଢା ଦର ବାରମ୍ବାର…..!!
ସକାଳେ ପରିବାର ବଜାରକୁ ଗଲେ
ପକେଟ ହୁଅଇ ଖାଲି….
ଝୁଲା ଭରେ ନାହିଁ ପରିବା ପତର
କହିବ କାହାକୁ ଖୋଲି….!!
ଶାଗ ଠାରୁ ଦେଖ ପୋଟଳ କଲରା
କୁନ୍ଦୁରି ସାରୁ କଦଳୀ…..
ମୂଳା କନ୍ଦମୂଳ ଲାଉ ଯେ କଖାରୁ
ବାଇଗଣ ଭଳି ଭଳି…..!!
ଫୁଲ ବନ୍ଧା କୋବି ଟମାଟୋ ଝୁଡୁଙ୍ଗ
ଶିମ୍ବକୁ କିଣିବ ଯେବେ…..
ପକେଟ୍ ର ଟଙ୍କା ଖାଲି ହେବ ସିନା
ମୁଣି ନ ଭରିବ ତେବେ…..!!
ଭାରି କଲବଲ ହବିଷ ମାସଟି
ଆଇଁଷ ଦେଲେ ଛାଡ଼ି……
ଏବେ ମାର୍ଗଶିର ଆସି ପହଞ୍ଚିଲା
ମାଛ ମାଂସ ଖାଅ ଭିଡି……!!
ଦିନକ ପାଇଁ ଯେ ମାଛ ମାଂସ ଅଣ୍ଡା
ପୁଣି ବଢ଼ି ଯିବ ଦର…..
ଆଇଁଷ ବେପାର ଥିଲା ବୋଲି ମାନ୍ଦା
କଂସେଇଟା ଧଡ଼ପଡ଼…..!!
ଛାଗଳ ରଖିଛି ସଂଗ୍ରହ କରିଣ
କୁକୁଡ଼ା ଦେଶୀ ବିଦେଶୀ…..
ଭାକୁର ଚିଙ୍ଗୁଡି ଶେଉଳ ବାଳିଆ
କଙ୍କଡ଼ା ଖାଇଲେ ଖୁସି…..!!
କେତେ ରକମର ଆଇଁଷ ବଜାରେ
ଦରଟା ଆକାଶ ଛୁଆଁ…..
ଆଇଁଷ ବେପାରୀ ଶାଗୁଣା ପରିକା
ଆନନ୍ଦେ ମାରନ୍ତି ଡିଆଁ…..!!
ଏବେ ପରିବାର ଦର ହେବ ହ୍ରାସ
ପରିବାଟା ଦେଖି ପିତା……
ଯାଚିଲେ ତଟକା ପରିବା ଗଣ୍ଡିକ
କର୍ଣ୍ଣ ନ ଶୁଣେ ବାରତା……!!
ଆଇଁଷ ତିଅଣ ଠାରେ ମନ ବେଶି
ତୃପ୍ତି ହେବ ଦିନା କେତେ…..
ତାପରେ ପରିବା ଖାଇବାର ସ୍ପୃହା
ହେବ ସିନା ଧୀରେ ସତେ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave a Reply

Your email address will not be published. Required fields are marked *