୧୧ତମ ପଞ୍ଚକ ମହୋତ୍ସବ ଉଦଯାପିତ
୧୧ତମ ପଞ୍ଚକ ମହୋତ୍ସବ ଉଦଯାପିତ
ନୃତ୍ୟ ସଙ୍ଗୀତରେ କମ୍ପିଲା ବଡ଼ଦାଣ୍ଡ
ପୁରୀ,୨୪/୧୧- ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ମାସ ଅବସରରେ ଆୟୋଜିତ ୧୧ତମ ପଞ୍ଚକ ମହୋତ୍ସବର ଶେଷ ସନ୍ଧ୍ୟାରେ ଭକ୍ତିମୟ ପରିବେଶ ମଧ୍ୟରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ପ୍ରାରମ୍ଭରେ ରାମଚନ୍ଦ୍ର ଦୋରାଙ୍କ ରାଧେ ରାଧେରେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ମାଉସୀମାଙ୍କ ପୀଠ ପରିସର । ଶ୍ରୀକ୍ଷେତ୍ରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଦୟାନିଧି ସଙ୍ଗୀତ ସୁଧାର କଣ୍ଠଶିଳ୍ପୀମାନେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନା ରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଏବଂ ମାଉସୀମା ଙ୍କ ଉଦ୍ଦେଶ୍ଯରେ ଭକ୍ତିସଙ୍ଗୀତ ପରିବେଷଣ କରି ଜଗନ୍ନାଥ ପ୍ରେମୀ କାର୍ତ୍ତିକ ବ୍ରତାଚାରୀ ତଥା ସଙ୍ଗୀତପ୍ରେମୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ପ୍ରବକ୍ତା ପଣ୍ଡିତ କପିଳ ନାୟକ ହରିକଥା ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ । କାର୍ତ୍ତିକ ବ୍ରତର ହରିକଥା ଶ୍ରବଣ କରି ଭାବଭକ୍ତି ରସରେ ଭିଜିଥିଲେ ହବିଷିଆଳି, ଶ୍ରଦ୍ଧାଳୁ ଓ ଦର୍ଶକ । ଏହି ଅବସରରେ ଆୟୋଜିତ ସଭାକାର୍ଯ୍ୟରେ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୁରୀଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର, ସମାଜସେବୀ ରତ୍ନାକର ପାତ୍ର, ମହୋତ୍ସବ ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ପ୍ରଧାନ ଧୀରେନ ରାୟ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ପଞ୍ଚକ ପାଞ୍ଚ ଦିନ ର ମହତ୍ତ୍ୱ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିସହିତ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ଜାଗରଣରେ ପଞ୍ଚକ ମହୋତ୍ସବ ସହାୟକ ହୋଇପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ସ୍ବର୍ଗତ ଚିତରଞ୍ଜନ ଦାସଙ୍କ ଉଦେଶ୍ୟରେ ପରିବାର ସଦସ୍ୟଙ୍କୁ ଏବଂ ଗୁରୁ ପ୍ରକାଶ ରଥ,ଜଗନ୍ନାଥ ମିଶ୍ର ଓ ପଣ୍ଡିତ କପିଳ ନାୟକଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶ୍ରୀକ୍ଷେତ୍ର ର ଅଗ୍ରଣୀ ତଥା ପ୍ରାଚୀନ ସଙ୍ଗୀତ ଅନୁଷ୍ଠାନ ଲିଙ୍ଗରାଜ କଳା ନିକେତନର ଆନ୍ତର୍ଜାତିୟ ଓଡ଼ିଶୀ ନୃତ୍ୟ ଗୁରୁ ମନୋଜ କୁମାର ପ୍ରଧାନଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ନାଟିକା ସର୍ବଭୂତେ ହରି ,ରାମଧ୍ୟାନ, କାଳୀ ମଙ୍ଗଳା ଚରଣ, ସମ୍ବଲପୁରୀ,ଭଜନ,ଓ ଆଦିବାସୀ କୁଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ସିପ୍ରାମିଶ୍ର ,ମମତା ଭୋଇ,ଅର୍ଚ୍ଚନା ସାହୁ, ଭାଗ୍ୟଲକ୍ଷ୍ମୀ ଜେନା, ଶୁଭସ୍ମିତା ବଳ, କଳୁଚରଣ ବରାଳ,ବଳରାମ ସେଠୀ, ଓ ସତ୍ୟଜିତ୍ ପ୍ରଧାନ ପ୍ରମୁଖ ନୃତ୍ଯ ପରିବେଷଣ କରିଥିଲେ ।ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ରଥ, ଉପଦେଷ୍ଟା ବଦ୍ରି ମିଶ୍ର, ସମ୍ପାଦକ ସତ୍ୟନାରାୟଣ ଦାଶ, ସହ ସମ୍ପାଦକ ବିନୋଦ ପରିଡ଼ା, କୋଷାଧ୍ୟକ୍ଷ ସୋହନ ପାସୋରିଆ , ବିରେନ୍ଦ୍ର କୁମାର ଶାସ୍ତ୍ରୀ,ଜ୍ୟୋତି ପ୍ରକାଶ ଜେନା , ଅଭ୍ୟର୍ଥନା କମିଟି ଅଧକ୍ଷ ଚକ୍ରଧର ମହାପାତ୍ର, ସମ୍ପାଦକ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ଭରତ ନାୟକ ଓ ସଂଯୋଜକ ବିଶ୍ବନାଥ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
