ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ରୁ କଢା ହେଲା ଚାପ ଡଙ୍ଗା
ଚଳିତମାସ 20 ତାରିଖ ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା। ଆଜି ଚୈତ୍ର ପୁର୍ଣିମା ତିଥିରେ ଗତବର୍ଷ ଚନ୍ଦନଯାତ୍ରା ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜଯନ୍ତ୍ରୀ ନାମକ ୫ଟି ଡଙ୍ଗାକୁ ଭୋଇ ସେବାୟତମାନଙ୍କ ଦ୍ୱାରା କଢ଼ାଯାଇଛି । ପରମ୍ପରା ଅନୁଯାଇ ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ। ଚୈତ୍ର ପୂର୍ଣ୍ଣୀମାରେ ଏହାକୁ କଢ଼ାଯାଇ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ପ୍ରସ୍ତୁତ କରାଯାଇ ଥାଏ | ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥାଏ ଚନ୍ଦନଯାତ୍ରା ।ମଦନମୋହନ,ଭୁଦେବୀ,ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଥାନ୍ତି । ଏଥିପାଇଁ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତ ମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ,ରାଳ ଇତ୍ୟାଦି ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
