ଗଳ୍ପ ସଂକଳନ ସ୍ମୃତିର ସ୍ପନ୍ଦନ ଲୋକାର୍ପିତ

ଭୁବନେଶ୍ୱର, ୧୩/୧୨-ସପ୍ତମ ରାଜ୍ୟ ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟାରେ ସୁନନ୍ଦା ମିଶ୍ରଙ୍କ ଗଳ୍ପ ସଂକଳନ ସ୍ମୃତିର ସ୍ପନ୍ଦନ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ଗୀତିକାର ସଚ୍ଚି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ, ଗୀତିକବି ମନୋଜ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ଯୋଗଦେଇ ପୁସ୍ତକର ବିକଳ୍ପ ନାହିଁ ବୋଲି କହିଥିଲେ। ପୁସ୍ତକ ମଣିଷକୁ ବଞ୍ଚିବାର ରାସ୍ତା ଦେଖାଏ ଏପରିକି ମଣିଷ ଯେତେ ଆଧୁନିକତାର ରାସ୍ତାରେ ଯାଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଲେ ବି ବହିର ଅନୁଭବ କିନ୍ତୁ କିଛି ନିଆରା ତାହା ଉପସ୍ଥିତ ଅତିଥିମାନେ କହିଥିଲେ। ଏହି ଅବସରରେ ଗୀତିକବି ମନୋଜ ପଟ୍ଟନାୟକଙ୍କ ସନେଟ୍ ଶହେ ଏକାବନ, ସାଣ୍ଡିଲ୍ୟ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ଖଣ୍ଡକାବ୍ୟ ଯକ୍ଷ ଯାତନା, ଡକ୍ଟର ବ୍ରଜ ସୁନ୍ଦର ମିଶ୍ରଙ୍କ କାବ୍ୟ ସିନ୍ଦୁରସୌର୍ୟମ, ଅଧ୍ୟାପିକା ରଶ୍ମିବାଳା ମହାପାତ୍ରଙ୍କ କବିତା ସଂକଳନ କୈବଲ୍ୟ ଲୋକାର୍ପିତ ହୋଇଥିଲା। ପ୍ରାରମ୍ଭରେ ପୂର୍ବୀ ପ୍ରକାଶନୀର ମୂଖ୍ୟ ପରାମର୍ଶଦାତା ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *