ପଦିଏ କଟୁ କଥା ବିଗାଡ଼ି ଦିଏ ମଥା
ପଦିଏ କଟୁ କଥା ବିଗାଡ଼ି ଦିଏ ମଥା
🖋️କବିରତ୍ନ ନୂତନ କୁମାର ବେହେରା
ପଦିଏ କଟୁ କଥା ବିଗାଡ଼ି ଦିଏ ମଥା,
ହୁଅଇ ନାହିଁ ଯଥା ହୃଦୟେ ଲାଗେ ବଥା।
କହିବା ଲୋକ କହେ ଶୁଣିବା ଲୋକ ସହେ,
ଯାଏ ନାହିଁ ଯା’ ଦେହେ ରହେ ସେ ଅନ୍ତର୍ଦାହେ।
ଦୁଃଖେ ବସି ଯେ ଚିନ୍ତେ ରୁହଇ ସେ ଅଶାନ୍ତେ,
ଭାବେ କିଆଁ ଏମନ୍ତେ କହି ଗଲା କେମନ୍ତେ ?
ନ ଥିଲେ ତାର ଦୋଷ ହୁଅଇ ସେ ଉଦାସ,
ରଖେ ନାହିଁ ବିଶ୍ଵାସ ମନେ ଆସେ ଆକ୍ରୋଶ।
ହୁଅଇ ଯୁକ୍ତି ତର୍କ କଟି ଯାଏ ସଂପର୍କ,
ତିକ୍ତ ଭାବେ ତୀର୍ଯ୍ୟକ ଚାହିଁ ରହେ ସତର୍କ।
ଭୁଲେ ସ୍ନେହ ମମତା ବଢ଼ି ଯାଏ ଶତ୍ରୁତା,
କଟୁ ର ସେ କଟୁତା ଆଣଇ ସଂକୀର୍ଣ୍ଣତା।
ହୋଇଥିଲେ ମହତ ଚିନ୍ତଇ ତାର ହିତ,
ହୁଏନା ମର୍ମାହତ ରହେ ଅବିଚଳିତ।
ରଖେ ନାହିଁ ତା’ ମନେ ରହେ ସେ ଏକ ଧ୍ୟାନେ,
ତା’ କର୍ତ୍ତବ୍ୟ ପାଳନେ ରହିଥାଏ ପ୍ରସନ୍ନେ।
କଟୁ ହେଉ କି ଚାଟୁ ତଡ଼େ ତାର ନିକଟୁ,
ତରିବାକୁ ସଂକଟୁ ହଟେ ନାହିଁ ତା ବାଟୁ।
ଖୋଜେ ନାହିଁ କାରଣ ଭାବି ତା’ ଅକାରଣ,
ରହି ସେ ସଚେତନ କରେ ସତ୍ୟ ସାଧନ।
ରଖଇ ସଂଯମତା କରି ସେ ଅନୁଚିନ୍ତା,
ମନର ପବିତ୍ରତା ପଣେ ରଖେ ସାଧୁତା।
କପଟୀ ଦୁଃଷ୍ଟ ଜନ ଦେଖାଏ କ୍ରୂର ଗୁଣ,
କହେ କଟୁ ବଚନ ବୁଝେନା କା’ର ମନ।
ତା’ଠାରୁ ରହି ଦୂରେ ସାଧୁ ସାଧନା କରେ,
ଆସ୍ଥା ରଖି ମନରେ ସ୍ଵଚ୍ଛ ଶୁଦ୍ଧ ବିଚାରେ।
ପଦିଏ କଟୁ କଥା ବିଗାଡ଼ି ଦିଏ ମଥା,
ସତ୍ୟ ନୁହେଁ ସର୍ବଥା ଭାବି ରଖଇ ଆସ୍ଥା।
କେ କହେ କ’ଣ ପାଇଁ କେଉଁ ସ୍ଵାର୍ଥକୁ ଚାହିଁ ?
ତାର ଅସ୍ତିତ୍ବ ନାହିଁ ସାଧୁ ରହେନା ତହିଁ।
ସୁଖ ଓ ଦୁଃଖ ପରି ମିଷ୍ଟ ବା କଟୁ ବାରି,
ଯେ ପାରେ ପରିହାରୀ ତାର ନାହିଁ ବଇରୀ।
ଜୀବନେ ଆସେ ସବୁ ଧରି ରଖିଲେ ତାକୁ,
ପାଦ ଥାପି ଯିବାକୁ ବାଟ ଦିଶେନା ଆଉ।
କହିବା ନାହିଁ କଟୁ ପରିସ୍ଥିତି ଯା’ ଘଟୁ,
ସଜାଗେ ନିଜ ପଟୁ ବିଘ୍ନ ଯେତେକ ହଟୁ।
କଟୁ କଥା ପାସୋରି ରହେ ଯିଏ ସୁଧୁରି,
ପ୍ରଭୁଙ୍କୁ ଆଶ୍ରା କରି ଭବରୁ ଯାଏ ତରି।
କୋହି,ବାରିପଦା,ମୟୂରଭଞ୍ଜ।
