ଶ୍ରୀମନ୍ଦିରରେ ନୀତି ବିଳମ୍ବ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜଣେ ଖୁଣ୍ଟିଆ ସେବକଙ୍କୁ ତିନି ମାସ ପାଇଁ ନିଲମ୍ବନ

ଶ୍ରୀମନ୍ଦିରରେ ନୀତି ବିଳମ୍ବ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜଣେ ଖୁଣ୍ଟିଆ ସେବକଙ୍କୁ ତିନି ମାସ ପାଇଁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅନ୍ୟ ଦୁଇ ସେବକଙ୍କୁ ସର୍ତ୍ତସହ କ୍ଷମା କରାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରିଘଣ୍ଟା ବିଳମ୍ବିତ ହୋଇଥିଲା। ଏହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ଘଟଣା ସମୟରେ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ଏହି ଘଟଣାରେ ସଂପୃକ୍ତ ଛାମୁ ଖୁଣ୍ଟିଆ ସେବାୟତ ରାମକୃଷ୍ଣ ଖୁଣ୍ଟିଆ ଏବଂ ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କୈଫିୟତ ତଲବ କରିଥିଲେ।ସଂପୃକ୍ତ ସେବକମାନଙ୍କ ଉତ୍ତର ଓ ପ୍ରଶାସନର ଅଧିକାରୀ-କର୍ମଚାରୀଙ୍କ ପକ୍ଷ ଶୁଣିବା ପରେ ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରାଯାଇଛି। ଏହି ଅବଧି ମଧ୍ୟରେ ସେ ଶ୍ରୀମନ୍ଦିରର କୌଣସି ସେବା-ପୂଜାରେ ସାମିଲ ହୋଇପାରିବେ ନାହିଁ। ନିଲମ୍ବନ ଅବଧି ସମୟରେ ଯଦି ସେ କୌଣସି ସେବକ କିମ୍ବା ବ୍ୟକ୍ତିଙ୍କୁ ପ୍ରଲୋଭନ ବା ଧମକ ଦେବା କିମ୍ବା ଶ୍ରୀମନ୍ଦିରର ସେବାପୂଜା ଓ ନୀତିରେ ବାଧା ସୃଷ୍ଟି କରିବା ପରି କାର୍ଯ୍ୟରେ ଲିପ୍ତ ହେବେ,,ତେବେ ନିଲମ୍ବନ ଅବଧିକୁ ବଢ଼ାଯିବା ସହ ଶାଢୀବନ୍ଧା ଆଦେଶ ପ୍ରତ୍ୟାହାର କରି କଠୋରତର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ସର୍ତ୍ତସହ କ୍ଷମା କରାଯାଇଥିବା ବେଳେ ଭବିଷ୍ୟତରେ ଏପରି ଆଚରଣ ପୁନରାବୃତ୍ତି ହେଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ପ୍ରେସ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *