ସୁଅ ମୁହଁରେ ପତର

ଶୀର୍ଷକ _ସୁଅ ମୁହଁରେ ପତର


ରୀତାରାଣୀ ଦାଶ
ବାଲେଶ୍ୱର

କ୍ଷଣସ୍ଥାୟୀ ଏକ ମୁହୂର୍ତ୍ତ ପ୍ରତୀକ
ଏକ ନରମ କୋମଳ ସ୍ପର୍ଶରେ
ଗ୍ରୀଷ୍ମ ଅବକାଶେ ଶରତ ଉଲ୍ଲାସେ
ପତ୍ରଟିଏ ମୁହିଁ ସୁଅ ମୁହଁରେ |
ନରମ ସ୍ପର୍ଶରେ ପବନର ତାଳେ
ନାଚୁଥାଏ ଅବା ପତର ଟିଏ
ପତ୍ରର ମରମେ ଅସହ୍ୟ ଯନ୍ତ୍ରଣା
ନୂତନତ୍ୱ ତାର ଗୋପନ ଥାଏ |
କିଛି କ୍ଷଣ ପାଇଁ ଜୀବନ ଅଟକେ
କୋହ ଭରା ଶ୍ୱାସ ପ୍ରଶ୍ୱାସ ନେଇ
ଥକ୍କା ମେଣ୍ଟିବାକୁ ଅବଶ ପାଦର
ସମୀକ୍ଷା କରି ସେ ଆରାମ ଦେଇ |
ଅତୀତର ସ୍ମୃତି ପାଶୋରି ଅନ୍ତରୁ
ସମୟ ପଥର ଦୂରତା ଧରି
ଅନିର୍ଦ୍ଦିଷ୍ଟ ଦିଗେ ବାକି ପଥ ଧାରେ
ଗମିବାକୁ ହେବ ପତ୍ରର ପରି |
ମିଠା ଅନୁଭୂତି ତିକ୍ତ ଯନ୍ତ୍ରଣାର
ସୁଅର ମୁହଁରେ ସ୍ଥିର ପତର
ନୀରବ ନିଶ୍ଚଳ ଧୀର ଭାବନାରେ
ଜୀବନ ପାଲଟେ କେବେ ଅସ୍ଥିର |
କ୍ଷଣ ଭଙ୍ଗୁର ଏ ମାୟାର ଜୀବନେ
ଦର୍ଶନେ ଅମୂଲ୍ୟ ରତ୍ନର ସମ
ଚିରସ୍ଥାୟୀ ନୁହେଁ ସମୟ ଚକ୍ରରେ
ଅକୁହା କାହାଣୀ ହୁଏ ବର୍ଣ୍ଣନ
ଜାଗ୍ରତ ଜୀବନେ ମିଠା ସହଜାତ
ସୁଅର ଧାରରେ ଉଷ୍ଣତା ପାଇ
ନୃତ୍ୟ ସର୍ଜନା ଯେ ଘଟେ ଅବିରତ
ପୂର୍ଣ୍ଣ ଚକ୍ର ରୂପେ ସ୍ୱାଗତ ହୋଇ |
ହସ ଲୁହ ଦୁଇ ଅଟେ କ୍ଷଣସ୍ଥାୟୀ
ସ୍ମାରକ କେବଳ ପ୍ରତିକ୍ଷଣର
ଦଦରା ନାବରେ ଗମନ କାଳରେ
ଭାସି ଉଠେ କେବେ ମୁହେଁ ପତର |
କେବେ ଖୋଜିନିଏ ନିଜର ଆସ୍ଥାନ
କେବେ ହଜେ ପୁଣି ଅଟକେ ସେ ତ
ଜୀବନ ଦୌଡରେ ଅଙ୍କା ବଙ୍କାପଥେ
ସକାଳର ଆଦ୍ୟ କିରଣ ସତ୍ୟ |

Leave a Reply

Your email address will not be published. Required fields are marked *