ମନ୍ଦିର ହୁଣ୍ଡି ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି

ଲୁଟେରାଙ୍କ ଲୋଲୁପ ଦୃଷ୍ଟି ବର୍ତ୍ତମାନ ବିଭିନ୍ନ ମନ୍ଦିରର ଦାନହୁଣ୍ଡି ଉପରେ ପଡିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟେରା ମାନେ ଲୁଟ୍ କରି ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହାପରେ ଖଲ୍ଲିକୋଟ ଓ ଆସିକା ଅଞ୍ଚଳର ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟେରା ଗ୍ୟାଙ୍ଗ ଲୁଟ୍ କରି ଫେରାର ହୋଇଯାଇଥିଲେ। ପୁଲିସ ଆଖିରେ ଧୂଳି ଛାଟି ଲୁଟେରା ଗ୍ୟାଙ୍ଗ ଗୋଟିଏ ପରେ ଗୋଟିଏ ଲୁଟ୍ କରି ଫେରାର ହୋଇଯାଉଥିଲେ ମଧ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ପୁଲିସ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛି। ଅନୁରୁପ ଭାବେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୈାରାଞ୍ଚଳ ଘୋଡାହାଡ ନଦୀ ନିକଟସ୍ଥ ହୋଲସେଲ ପରିବା ବଜାର ପରିସରସ୍ଥ ରାଧାକୃଷ୍ଣ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟେରା ମାନେ ଲୁଟ୍ କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଗତ କିଛି ଦିନ ଧରି ଲୁଟେରା ଗ୍ୟାଙ୍ଗ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ୍ କରି ଫେରାର ହେବାରେ ସକ୍ଷମ ହେଉଥିବା ନଜିର ରହିଛି। ବିଭିନ୍ନ ମନ୍ଦିରରୁ ସିରିଜ ଚୋରୀ ପରେ ପୁଲିସ ପ୍ରଶାସନର ପାରିବା ପଣକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ରକାଶ ଯେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ହୋଲସେଲ ପରିବା ବଜାର ପରିସରସ୍ଥ ରାଧାକୃଷ୍ଣ ମନ୍ଦିରକୁ ପ୍ରତିଦିନ ପରି ମଙ୍ଗଳବାର ମଧ୍ୟ ରାତ୍ର ସମୟରେ ମନ୍ଦିର ପୂଜକ ପୂଜାର୍ଚ୍ଚନା ଓ ଭୋଗରାଗ ପରେ ମନ୍ଦିର ପହଡ କରି ମନ୍ଦିର ଦ୍ବାରରେ ଚାବି ପକାଇ ଘରକୁ ଫେରିଥିଲେ। ବୁଧବାର ଭୋରରୁ ମନ୍ଦିର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିର ଦାନହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ। ଘଟଣା ନେଇ ପୂଜକ ମନ୍ଦିର ପରିଚାଳନା କମିଟିଙ୍କୁ ଜଣାଇଥିଲେ। ପରେ ମନ୍ଦିର ପରିଚାଳନା କମିଟି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମନ୍ଦିର ନିକଟସ୍ଥ ଅଞ୍ଚଳରେ ଦାନହୁଣ୍ଡି ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ।

ସଂପୃକ୍ତ ସ୍ଥାନରେ କିଛି ଖୁଚୁରା ପଇସା ପଡିଥିବା ଦେଖିବାକୁ ମିଳିଥିଲା। ଦାନହୁଣ୍ଡିରେ କେତେ ଟଙ୍କା ରହିଥିବା ସଠିକ୍ ଆକଳନ କରାଯାଇନଥିଲେ ମଧ୍ୟ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଦାନହୁଣ୍ଡି ଖୋଲାଯାଇ ନଥିବାରୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରହିଥିବା ଅନୁମାନ କରାଯାଉଛି। ଘଟଣା ନେଇ ମନ୍ଦିର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଗୈାଡ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିବା ସହ ମନ୍ଦିରର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୁଲିସ କୈାଣସି ସୂଚନା ପ୍ରଦାନ କରିନାହିଁ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୯୪୩/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। କିଛି ଦିନର ନିରବତା ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ପୁଲିସ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ।

Leave a Reply

Your email address will not be published. Required fields are marked *