ଶ୍ରୀମନ୍ଦିରରେ ଆଗାମୀ ପଞ୍ଚୁକ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଶ୍ରୀମନ୍ଦିରରେ ଆଗାମୀ ପଞ୍ଚୁକ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଅଛି। ପଞ୍ଚୁକରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେବାୟତମାନେ ତାଙ୍କର ଯାତ୍ରୀଙ୍କୁ କେବଳ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ଯିବାକୁ ନିଷ୍ପତି ନିଆଯାଇଛି | ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ଶୃଙ୍ଖଳିତ ଦର୍ଶନ ନେଇ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଦର୍ଶନ ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ବାରା ଭକ୍ତ ମାନଙ୍କୁ ବିନା ମୂଲ୍ୟରେ ମହାପ୍ରସାଦ ବଣ୍ଟନ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଅଛି। ଦର୍ଶନ ଶୃଙ୍ଖଳା ନେଇ ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିବା ବେଳେ କେବଳ କାର୍ତିକ ପୁର୍ଣିମା ଦିନ ଭିତରକାଠ ଦର୍ଶନ ଅନୁଷ୍ଠିତ ହେବ। ପଞ୍ଚୁକର ପ୍ରଥମ ତିନି ଦିନ କିନ୍ତୁ ବାହାରକାଠରୁ ଭକ୍ତ ମାନେ ଦର୍ଶନ କରିବା ନେଇ ବୈଠକରେ ନିଷ୍ପତି ହୋଇଥିବା ବେଳେ ଭକ୍ତ ମାନଙ୍କ ସୁବିଧା ନେଇ ସମସ୍ତ ପ୍ରକାରର ସେବା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଅଛି। ସେହିପରି ପଞ୍ଚୁକ ସମୟରେ ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ କରିବା ନେଇ ପରିଚାଳନା କମିଟି ସଦସ୍ୟ ସମେତ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିବେ। ଭକ୍ତ ମାନଙ୍କ ସୁବିଧାରେ ଦର୍ଶନ ପାଇଁ ବଡ଼ଦାଣ୍ଡ ରେ ବାରିକେଡ଼ କରାଯାଇଥିବା ବେଳେ ହଜିବା ଖୋଜିବା ସେଣ୍ଟର ସମେତ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
