ଏଡ଼ସ ସଚେତନତା ଉପରେ ଏକ ରାଲି ।

ଶେରଗଡ ୦୧/୧୨ ତାରିଖରେ ବିଶ୍ୱ ଏଡସ ଦିବସ ପାଳନ ହୋଇଛି। ଏହି ଅବସରରେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼କ୍ରସ ୟୁନିଟ ତରଫରୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଲାଗି ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟାଙ୍କ ପୌରୋହିତ୍ୟରେ ଦୁଇ ୟୁନିଟର ସ୍ବେଛାସେବୀ ମାନଙ୍କୁ ନେଇ ଅନୁଷ୍ଠାନର ସଭାଗୃହରେ ଏକ ସାଧାରଣ ସଭା ଆୟୋଜିତ ହେବା ସହିତ ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସଭାର ସମାପ୍ତି ପରେ ଅଧ୍ୟକ୍ଷ ବାଡତ୍ୟା ମହୋଦୟ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏହି ଜନ ସଚେତନତା ରାଲିରେ ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଫିସର ବି. ଶିବାଜୀ ପାତ୍ର ଏବଂ ଯୁବ ରେଡ଼କ୍ରସ ସଂଯୋଜକ ପବିତ୍ର ନାରାୟଣ ବେହେରାଙ୍କ ତତ୍ତ୍ଵIବଧାନରେ ସ୍ବେଚ୍ଛାସେବୀମାନେ ବିଦ୍ୟାଳୟ ପରିସରରୁ ବାହାରି ଶେରଗଡ଼ ସହର ପରିକ୍ରମା କରିଥିଲେ।

ଏହି ଦିବସ ଅବସରରେ ଚଳିତ ବର୍ଷର ଯେଉଁ ବାର୍ତ୍ତା ରହିଛି – “ବ୍ୟାଘାତ ଅତିକ୍ରମ କରିବା ଓ ଏଡସକୁ ମୂଳପୋଛ କରିବା ଉଦ୍ୟମକୁ ଆଗେଇ ନେବା”ଏହି ସଂକ୍ରାନ୍ତରେ ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇଥିଲା। ପରିକ୍ରମାବେଳେ ବିଭିନ୍ନ ସ୍ଥାନରେ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା ମାନେ ଏଡସ ରୋଗର କାରଣ, ପ୍ରତିରୋଧର ଉପାୟ, ଅନାବଶ୍ୟକ ଭ୍ରାନ୍ତି ଓ ସାମାଜିକ ଦୃଷ୍ଟିଭଙ୍ଗୀ ଉପରେ ଆଲୋଚନା କରି ଯୁବପିଢ଼ିଙ୍କୁ ସଚେତନ କରିଥିଲେ। ସମୁଦାୟରେ ସଚେତନତା ସୃଷ୍ଟି କରିବା ଓ ଯୁବ ବର୍ଗକୁ ସଠିକ ବାଟକୁ ଆଣିବା ପାଇଁ ସୃଷ୍ଟି କରାଯାଇଥିବା ଧାରଣାର ପ୍ରୟାସକୁ ବିଭିନ୍ନ ବୁଦ୍ଧିଜୀବୀଙ୍କ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ରାଲିରେ ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର କୁମାର ସିଅଳ ନିଜେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସହର ପରିକ୍ରମା ବେଳେ ସହ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମନୀଷାରାଣୀ ସାହୁ ଏବଂ ପଦାର୍ଥ ବିଜ୍ଞାନ ପ୍ରଦର୍ଶକ ସନ୍ତୋଷ କୁମାର ବାଡତ୍ୟା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *