ନୂଆ ସଂସଦ ଭବନ ଉଦଘାଟନ ଅବସରରେ ସ୍ଵତନ୍ତ୍ର ୭୫ ଟଙ୍କିଆ ଧାତବ ମୁଦ୍ରା ହେବ ଜାରି

ନୂଆଦିଲ୍ଲୀ : ନୂଆ ସଂସଦ ଭବନର ଉଦଘାଟନ ଉତ୍ସବ ଅବସରରେ କେନ୍ଦ୍ର ଏକ ସ୍ଵତନ୍ତ୍ର ୭୫ ଟଙ୍କିଆ ଧାତବ ମୁଦ୍ରା ଜାରି କରିବ । ଏହି ମୁଦ୍ରାରେ ନୂଆ ସଂସଦ ଭବନର ଚିତ୍ର ସହିତ ‘ସଂସଦ ପରିସର’ ଲେଖାଯିବ। ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ୭୫ ଟଙ୍କିଆ ମୁଦ୍ରାର ବ୍ୟାସ ୪୪ ମିଲିମିଟର ହେବ ଏବଂ ଏହାର ଧାରରେ ୨୦୦ଟି ଗାର ରହିବ।

ଏହି ୭୫ ଟଙ୍କିଆ ମୁଦ୍ରାର ଓଜନ ୩୫ ଗ୍ରାମ ହେବ । ଏହି ସ୍ବତନ୍ତ୍ର ମୁଦ୍ରା ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ଧାତୁର ମିଶ୍ରଣରେ ତିଆରି‌ ହେବ । ମୁଦ୍ରାରେ ନୂଆ ସଂସଦ ଭବନର ଛବି ତଳେ ୨୦୨୩ ବର୍ଷ ମଧ୍ୟ ଲେଖାଯିବ | ଏହି ମୁଦ୍ରାର ମୁଦ୍ରଣ ଭାରତ ସରକାରଙ୍କ କୋଲକାତା ଛାପାଖାନାରେ କରାଯିବ। ଅଶୋକା ସ୍ତମ୍ଭର ସିଂହ ଶୀର୍ଷ ଭାଗରେ କେନ୍ଦ୍ରରେ ରହିବ ଏବଂ ଏହା ତଳେ ‘ସତ୍ୟମେବ ଜୟତେ’ ଲେଖାଯିବ। ମୁଦ୍ରାର ବାମ ପାର୍ଶ୍ୱରେ ଦେବନଗରୀ ଲିପିରେ ‘ଭାରତ’ ଓ ଇଂରାଜୀରେ ‘ଇଣ୍ଡିଆ’ ଲେଖାଯିବ ।

Leave a Reply

Your email address will not be published. Required fields are marked *