ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଅଧ୍ଯକ୍ଷତାରେ ଜନଗଣନା କାର୍ଯ୍ୟ ସମ୍ପର୍କିତ ଦ୍ୱିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭଦ୍ରକ, ୨୫ ଫେବୃଆରୀ ୨୦୨୬:ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଭଦ୍ରକର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ଜନଗଣନା ଅଧିକାରୀ, ଚାର୍ଜ ଜନଗଣନା ଅଧିକାରୀ, କାର୍ଯ୍ୟାଳୟ କର୍ମଚାରୀ ଏବଂ ଅସ୍ଥାୟୀ ପ୍ରାଯୁକ୍ତିକ ସହାୟକମାନଙ୍କ ପାଇଁ ଦ୍ୱିଦିନିଆ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଲା ଆସନ୍ତା ଜନଗଣନା କାର୍ଯ୍ୟରେ ଜିଲ୍ଲା ଏବଂ ଚାର୍ଜ ସ୍ତରର ସମସ୍ତ କାର୍ଯ୍ୟକର୍ତ୍ତାମାନେ ନିଜ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ଧାରଣା ଲାଭ କରିବେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା କାର୍ଯ୍ୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ପ୍ରଣାଳୀ, ବିଶେଷକରି ଘରତାଲିକା ଓ ଗୃହ ଜନଗଣନା (HLO) ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଅଂଶଗ୍ରହଣକାରୀମାନଙ୍କୁ ଜନଗଣନା ସମୟରେ ବ୍ୟବହୃତ ଧାରଣା ଓ ପରିଭାଷା ସହିତ HLO ପର୍ଯ୍ୟାୟରେ ପଚାରାଯିବାକୁ ଥିବା ପ୍ରଶ୍ନସମୂହ ବିଷୟରେ ଅବଗତ କରାଯାଇଛି।ଡିଜିଟାଲ ତଥ୍ୟ ପରିଚାଳନା, ନିରୀକ୍ଷଣ ଓ ପ୍ରତିବେଦନକୁ ସୁଚାରୁ ଭାବେ କାର୍ଯ୍ୟକାରିତ କରିବା ପାଇଁ Census Management and Monitoring System (CMMS) ଏବଂ HLBC ୱେବ୍ ଆପ୍ଲିକେସନର ବିଶେଷତା ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଅଧିକାରୀମାନଙ୍କୁ ପରିଚିତ କରାଯାଇଛି।

ରାଜ୍ୟରେ HLO କାର୍ଯ୍ୟ ସମାପ୍ତ ହେବା ପରେ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ (DCHB) ପ୍ରସ୍ତୁତି ସମ୍ପର୍କିତ କ୍ଷେତ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଏହି ଅବସରରେ ଉଲ୍ଲେଖ କରାଯାଇଛି।ଏହି ପଦକ୍ଷେପ ମାଧ୍ୟମରେ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରି ଭଦ୍ରକ ଜିଲ୍ଲାରେ ଜନଗଣନା କାର୍ଯ୍ୟକୁ ସଠିକ୍, ସୁସଂଗଠିତ ଓ କାର୍ଯ୍ୟକ୍ଷମ ଭାବେ ପରିଚାଳନା କରିବା ଲକ୍ଷ୍ୟ ରହିଛି।ଉକ୍ତ ଜନଗଣନା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ ଓ ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଆସନ୍ତା ଜନଗଣନା କାର୍ଯ୍ୟକୁ କିପରି ସୁଚାରୁ ଭାବେ କରାଯାଇପାରିବ ସେଥିପାଇଁ ପୂର୍ବ ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସେମାନେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *