ଅବ୍ୟବସ୍ଥା ନେଇ ହାଟକୁ ହଳକଲେ ଯୁବକ
କାକଟପୁର,୦୭.୦୯- କାକଟପୁର ବ୍ଲକ ଅନ୍ତର୍ଗତ ଓଥକା ପଞ୍ଚାୟତ ଅଧିନରେ ଥିବା ଓଥକା ଗ୍ରାମ୍ୟ ହାଟ ପରିସର ଅତ୍ୟନ୍ତ ଅବ୍ୟବସ୍ଥା ଓ ପରିତ୍ୟକ୍ତ ହୋଇଥିବାରୁ ଏହାକୁ ସୁଧାରିବାକୁ ନେଇ ଏକ ନିଆରା ଢଙ୍ଗରେ ପ୍ରତିବାଦ କରି ହାଟକୁ ହଳ କଲେ ଯୁବକ ଗୋଷ୍ଠି। ଏହାକୁ ନେଇ ସ୍ଥାନୀୟ ସରପଞ୍ଚ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଓଥକା ଗ୍ରାମ୍ୟ ହାଟ ବ୍ୟବସାୟୀ ମାନଙ୍କ ପେଣ୍ଠସ୍ଥଳୀ ଅଟେ। ଉକ୍ତ ହାଟ ପଞ୍ଚାୟତ ତତଫରୁ ପରିଚାଳନା ଓ ନିଲାମ କରାଯାଉଛି। କିନ୍ତୁ ସରପଞ୍ଚ ଏହାର ରକ୍ଷଣାବେକ୍ଷଣ କରୁ ନଥିବା କାରଣରୁ ଏହା ଅତ୍ୟନ୍ତ ଅବ୍ୟବସ୍ଥା, ପରିତ୍ୟକ୍ତ ଓ କାଦୁଅ ପଚ ପଚ ହୋଈ ପଡିଛି।

ଯାହା ଫଳରେ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ହୃଦୟଙ୍ଗମ କରି ବିଜେପି ଯୁବନେତା ପ୍ରିୟବ୍ରତ ବିଶ୍ବାଳ ଓ ସାଥି ମାନେ ରବିବାର ଏହାକୁ ପାୱାର ଟିଲର ସାହାର୍ଯ୍ୟରେ ହଳ କରିବା ସହିତ ଧାନ ତଳି ରୋଇ ଥିଲେ। ଏହାକୁ ବିରୋଧ କରି ଓଥକା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁନି ଲତା କାଣ୍ଡି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରିୟବ୍ରତ ବିଶ୍ବାଳ ତାଙ୍କ ସହଯୋଗୀ ରାକେଶ ବେହେରା ଓ ମୁନା ବେହେରା ହାଟ ପରିସର ହଳ କରି ହାଟ ନଷ୍ଟ କରିବା, ଜାତିଆଣ ଆକ୍ଷେପ ଓ ଚାନ୍ଦା ବାଟି ମାଗୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସରପଞ୍ଚ। ଜାତିଆଣ ଆକ୍ଷେପ ଓ ଚାନ୍ଦା ବାଟି ମାଗୁଥିବା ଅଭିଯୋଗ ମିଥ୍ୟା ବୋଲି ସଂପୃକ୍ତ ଯୁବକ ମାନେ ସଫେଇ ଦେଇଛନ୍ତି।
