ଗଭୀର ସମୁଦ୍ରକୁ ଭାସିଯାଇଥିବା ଯୁବକ ନୂଆ ଜୀବନ ପାଇଲେ

ସମୁଦ୍ରରେ ଗାଧୋଉ ଥିବା ବେଳେ ଭାସିଯାଇ ମରଣ ସହ ସଂଗ୍ରାମ କରୁଥିଲେ। ଠିକଣା ସମୟରେ ଲାଇଫଗାର୍ଡ ସମୁଦ୍ର ଭିତରକୁ ଯାଇ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ। ପୁରୀ ସମୁଦ୍ରକୂଳରେ ଗତକାଲି ଏଭଳି ଘଟଣା ଘଟିଛି। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଖୋର୍ଦ୍ଧା ଭରତପୁର ଅଞ୍ଚଳର ସୁମନ ମହାରଣା। ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ସୁମନ ସମୁଦ୍ରରେ ସ୍ନାନ କରୁଥିଲେ। ଏକ ବଡ଼ ଲହଡ଼ି ଆସିବାରୁ ଗଭୀର ସମୁଦ୍ର ଭିତରକୁ ସେ ଚାଲି ଯାଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ସେଠାରେ ଉପସ୍ଥିତ ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ପର୍ଯ୍ୟଟକ ଜଣଙ୍କୁ ଲାଇଫଗାର୍ଡ ମାନେ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ଠିକ୍ ସମୟରେ ଲାଇଫଗାର୍ଡ ମାନେ ସମୁଦ୍ର ଭିତରୁ ତାଙ୍କୁ ଉଦ୍ଧାର କରିଥିବାରୁ ଏକ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି ସୁମନ। ଅନ୍ୟପଟେ ଗତକାଲି ମଧ୍ୟ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ ରେ ମଧ୍ୟ ହାଇଦ୍ରାବାଦର ବିକାଶ ଚାନ୍ଦ ନାମକ ଜଣେ ପର୍ଯ୍ୟଟକ ନିଜ ସ୍ତ୍ରୀ ଓ ପୁଅ ସାମ୍ନାରେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଦୀର୍ଘ ସମୟ ଧରି ତାଙ୍କୁ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ସକ୍ଷମ ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *