ଚନ୍ଦ୍ରଭାଗା ରୁ ରାମଚଣ୍ଡୀ ଜମୁଛି ବଣଭୋଜି ଆସର
କୋଣାର୍କ:୨୯/୧୨- ନୂତନ ବର୍ଷ ଆଗମନ ଓ ପୁରୁଣା ବର୍ଷ ଶେଷ କୁ ନେଇ ଗତ କିଛିଦିନ ହେଲା କୋଣାର୍କ କୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ଛୁଟି ଦିନକୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୁମି, ସମୁଦ୍ର ସଂଲଗ୍ନ ଝାଉଁ ଜଙ୍ଗଲ ଓ ରାମଚଣ୍ଡୀ ପୀଠରେ ବଣଭୋଜି ନିମନ୍ତେ ନାହିଁ ନଥିବା ଭିଡ଼ ଲାଗିରହିଥିଲା । ଚନ୍ଦ୍ରଭଗା ଠାରୁ ପୁରୀ ପର୍ଯ୍ୟନ୍ତ ବେଳାମାର୍ଗ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ୱ ରେ ବଣଭୋଜି ଚାଲୁଥିବା ଦେଖାଯାଇଛି । ବିଶେଷଭାବେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ କୋଣାର୍କ ଓ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ବେଳାମାର୍ଗ ର ଉଭୟ ପାର୍ଶ୍ଵ ଜଙ୍ଗଲ ମଧ୍ୟରେ ଜରି ପାଲ ଓ ବଡ ବଡ ଛତା ଟାଣି ବଣ ଭୋଜି କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ହଜାର ହଜାର ପର୍ଯ୍ୟଟକ ସଙ୍ଗୀତ ର ତାଳେ ତାଳେ ନାଚ ଗୀତ ସହ ବଣଭୋଜିରେ ମାତିଥିଲେ। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା, ଚନ୍ଦ୍ରଭାଗା ସମୁଦ୍ରରେ ମଜା କରିବା ପରେ ନିକଟ ଝାଉଁ ବଣ ଓ ରାମଚଣ୍ଡୀ ନିକଟ କାଜୁ ଜଙ୍ଗଲରେ ପରିବାର, ସାଙ୍ଗସାଥୀ ଓ ସାଥି ମାନଙ୍କ ସହ ବଣଭୋଜି ପାଇଁ ହଜାର ହଜାର ଲୋକ ପହଞ୍ଚିଥିଲେ। ଯାହା ଫଳରେ କୋଣାର୍କରେ ଟ୍ରାଫିକ ସମସ୍ୟା ସହ ରାମଚଣ୍ଡୀ ନିକଟ ପୁରୀ କୋଣାର୍କ ମେରାଇନ ରାସ୍ତାରେ ଘଣ୍ଟା ଘଣ୍ଟା କାଳ ଗାଡି ଜାମ ରହିଥିଲା। କମ୍ ପରିମାଣର କର୍ମଚାରୀ ଯୋଗୁଁ ପୋଲିସ୍ ନାକେଦମ୍ ହୋଇଥିଲା।

ରାମଚଣ୍ଡୀ ଇକୋ ରିଟ୍ରିଟ୍ ନିକଟ ସମୁଦ୍ରରେ କେହି ଲାଇଫ ଗାର୍ଡ ନିୟୋଜିତ ନଥିଲେ। ଲୋକମାନେ ଅସୁରକ୍ଷିତ ଭାବେ ସ୍ନାନ କରୁଥିବା ଦେଖିବାକୁ ମିଳିଛି। ଏଥି ସହିତ ରାମଚଣ୍ଡୀ ପିକିନିକ୍ ସ୍ଥଳି ଓ ଚନ୍ଦ୍ରଭାଗା ରୁ ରାମଚଣ୍ଡୀ ପର୍ଯ୍ୟନ୍ତ ସମୁଦ୍ର କୂଳରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡି ରହିଛି। ପର୍ଯ୍ୟଟକ ମାନେ ମନଇଛା ଜରି, ପଲିଥିନ ଓ ବର୍ଜ୍ୟବସ୍ତୁ ଫିଙ୍ଗି ପରିବେଶ ଦୂଷିତ କରୁଛନ୍ତି। କିନ୍ତୁ କୋଣାର୍କ ଏନଏସି, ବନ ବିଭାଗ, ଜଙ୍ଗଲ ସୁରକ୍ଷା ସମିତି, ପର୍ଯ୍ୟଟନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିମ୍ବା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଯାହା ଫଳରେ ପରିବେଶ ପ୍ରେମୀ ମାନେ ଉଦବେଗ ପ୍ରକାଶ କରିଛନ୍ତି।
