କୃତଜ୍ଞତା ବ୍ୟକ୍ତ ସହ ଅସନ୍ତୋଷ ପ୍ରକାଶ : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର, ତା. ୨୯/୧୨ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ କଳାକାର ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ ବାଲାଜୀପେଣ୍ଠ ସାହି ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଲୋକନୃତ୍ୟବିତ୍ ଦୀନବନ୍ଧୁ ପାତ୍ର, ଗାହଣ ନିର୍ଦ୍ଦେଶକ କେ. କାମରାଜୁ ପାତ୍ର, ସାରସ୍ୱତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା, ନୟାଗଡ଼ ପ୍ରତିନିଧି ଆନନ୍ଦ ମହାରଣା ଏବଂ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ କଳାକାର ଭତ୍ତା ବୃଦ୍ଧି ଘେନି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଭିଡିଓ କନ୍ଫରେନସିଂ ଯୋଗେ ସରକାରଙ୍କୁ କୃତଜ୍ଞତା ଜ୍ଞାପନ ସହ କଳାକାର ସମାଜ ପ୍ରତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ କଳାକାର ଭତ୍ତା ବୃଦ୍ଧି ସମୁଦ୍ରକୁ ଶଙ୍ଖେ ପ୍ରପାନକ ସଦୃଶ ହେତୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ପୁଣି ଥରେ ରାଜ୍ୟ ସରକାର କଳାକାର ଭତ୍ତା ଅନ୍ୟୁନ ପାଞ୍ଚ ହଜାର କରିବା ସହ କେନ୍ଦ୍ର ସରକାର ମାସିକ ଦଶ ହଜାର ଟଙ୍କା ଭତ୍ତା ଆକାରରେ ବରିଷ୍ଠ କଳାକାର ମାନଙ୍କୁ ପ୍ରଦାନ କରିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା। ମହାସଚିବ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ପ୍ରସାଦ ଶର୍ମା, କାଳୁ ପାଣିଗ୍ରାହୀ, ବାଲାଜୀ ସାମନ୍ତରା, ତ୍ରିନାଥ ପଣ୍ଡା, ଶବର ପାତ୍ର, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *