ଆତ୍ମସଂହାର

              ଆତ୍ମସଂହାର

🖋️ କବିରତ୍ନ ନୂତନ କୁମାର ବେହେରା

ଜଗତର ସୃଷ୍ଟି ଅନାଦି ଶାଶ୍ଵତ ଚିରନ୍ତନ ସତ୍ୟ
ସୂର୍ଯ୍ୟ ଚନ୍ଦ୍ର ଉଦୟ ହୋଇ ଆଲୋକ ଦିଅନ୍ତି ନିତ୍ୟ
ପରଂବ୍ରହ୍ମ ପରମାତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥ
ବିଶ୍ବ ବ୍ରହ୍ମାଣ୍ଡେ ସକଳ ପ୍ରାଣୀଙ୍କୁ ଦେଖାନ୍ତି ସୁପଥ
ସଂସାର ସର୍ଜନା କରି ସେ ଅନନ୍ତ ଅନୁପମ
ପ୍ରକୃତିର ପଞ୍ଚଭୂତକୁ ଶକ୍ତି ଦେଇଛନ୍ତି ଅସୀମ
” ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ “
ଚିରାଚରିତ କ୍ରମରେ ଚାଲେ ତା’ ଧରାଧାମେ
ଅନ୍ତଃସ୍ପନ୍ଦନରୁ ପ୍ରଣବର ଧ୍ଵନି ହେଉଥାଏ ଝଙ୍କୃତ
କହିଦିଏ ମର୍ତ୍ତ୍ୟରେ ମାନବର ଜୀବନ ନିମିତ୍ତ
ପ୍ରଭୁ ହିଁ ବିଧିର ବିଧାନ ଅବ୍ୟୟ ଅକ୍ଷୟ ଚିରସ୍ଥାୟୀ 
ପ୍ରାରବ୍ଧର କର୍ମଫଳେ ମାନବ ରହେ ତାର ଦାୟୀ
ହୃଦବୋଧ କରି ଜ୍ଞାନୀ ଗୁଣୀ ସାଧୁ ସନ୍ଥଜନ
ତାଙ୍କ ପବିତ୍ର ପଦାରବିନ୍ଦରେ କରନ୍ତି ଆତ୍ମ ସମର୍ପଣ
ନିଷ୍କାମ ଭକ୍ତିରେ ତାଙ୍କୁ ସବୁ କରିଥାନ୍ତି ଜଣାଣ
ନିଷ୍ଠାରେ କର୍ତ୍ତବ୍ୟ କରି ଜାଣନ୍ତି କାର୍ଯ୍ୟର କାରଣ
ତାଙ୍କର ସୃଷ୍ଟି ଅନାଦି ସେ ହିଁ ସୁରକ୍ଷା କରିଥାନ୍ତି
ତାଙ୍କ ବ୍ୟତିରେକ ସଂସାରେ ଆଉ କେହି ବି ନାହାଁନ୍ତି
ସେ ଅନ୍ତର୍ଯ୍ୟାମୀ ଆର୍ତ୍ତତ୍ରାଣ ଦୟାମୟ କୃପାସିନ୍ଧୁ
ସଚରାଚରରେ ସେ ମହାମହିମ ପ୍ରାଣବନ୍ଧୁ
ପାଳନ କରି ଆସୁଛନ୍ତି ଜଗତକୁ ହୋଇ ପାଳକ
ଅଭୟରେ ସୁରକ୍ଷା ଦିଅନ୍ତି ହୋଇ ସଭିଙ୍କର ରକ୍ଷକ
ସେ ମାୟାଧର ତାଙ୍କ ମାୟା ଦେବଙ୍କୁ ଅଗୋଚର
ମାନବ ମାୟାର ମୋହରେ ନିଜେ ହୁଅଇ ହରବର
ନିଜର ତୁଚ୍ଛ ହେୟ ଗୁଣେ ନିଜକୁ କରେ ସଂହାର
ନ ବୁଝି ପାରି ବ୍ରହ୍ମତତ୍ତ୍ଵ ହୁଅଇ ସେ ନିଜେ ଛାରଖାର
ସତ୍ୟ ନ୍ୟାୟ ଧର୍ମକୁ ଏଡ଼ି ହୁଏ ସିନା ଅହଂକାରୀ
ଅନୁଭବ କରି ପାରେ ନାହିଁ ନିଜେ ହୁଏ ନିଜର ବୈରୀ
” ମନୁଷ୍ୟ ହୃଦେ ଦିବ୍ୟ ଜ୍ଞାନ,
                   ଦେଖି ସନ୍ତୋଷ ଭଗବାନ “।
ଅନ୍ତର୍ନିହିତ ଦିବ୍ୟଜ୍ଞାନ ନ କରି ଆଚରଣେ ପ୍ରକାଶ
ଆସୁରିକ ଗୁଣରେ ସେ ନିଜର କରଇ ବିନାଶ
ସୂକ୍ଷ୍ମରେ ରହି ନିରାକାର ସ୍ରଷ୍ଟା ଦ୍ରଷ୍ଟା କର୍ତ୍ତା ତ୍ରିନାଥ
ପୂରଣ କରିଥାନ୍ତି ସମସ୍ତ ପ୍ରାଣୀଙ୍କ ଉଚିତ ମନୋରଥ
ବ୍ରହ୍ମା ରୂପେ ଦେଇ ଜନ୍ମ ବିଷ୍ଣୁ ରୂପେ କରନ୍ତି ପାଳନ
ପରମାତ୍ମାରୁ ଜୀବର ଆତ୍ମା ରୂପେ ସେ ହୁଅନ୍ତି ଜୀବନ
ମହେଶ୍ଵର ରୂପରେ କରିଥାନ୍ତି ଦୁଷ୍ଟଜନକୁ ସଂହାର
ଏଇ ମତେ ଯୁଗ ଯୁଗ ଚାଲିଛି ସାରା ସଂସାର
ଅନ୍ୟ କିଛି ବି ଉପାୟ ନାହିଁ କରିବାକୁ ପ୍ରତିକାର
ଅନ୍ୟଥା ଜୀବନର ଶେଷ ଯାଏଁ ଖାଲି ହାହାକାର
ଦୃଢ଼ ବିଶ୍ବାସ ରଖି ହୁଅଇ ଜଣେ ଭକ୍ତ ଉପାସକ
ମାୟାର ଭ୍ରମରେ ପଡ଼ିଲେ ହୁଏ ସେ ନିଜର ଘାତକ
ଯିଏ ସୁଗୁଣେ ନିଜକୁ କରି ମାର୍ଜିତ ଆଣେ ସଂସ୍କାର
ସତ୍ୟ ନିଷ୍ଠା ପାଳି ପ୍ରଭୁଙ୍କ ଶ୍ରୀଚରଣେ ରହେ ଧ୍ୟାୟି
କର୍ମମୟ ସଂସାରର ଜୀବନ ଯୁଦ୍ଧେ ହୁଏ ବିଜୟୀ
ଆତ୍ମଶକ୍ତି ରୂପରେ ଆତ୍ମାକୁ ଦେଇଛନ୍ତି ଏ ଉପହାର
ସତ୍ୟ ନ ପାଳି ସେ ନିଜେ କରେ ନିଜ ଆତ୍ମସଂହାର।

କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *