ଅଭିମାନିନୀ
ଅଭିମାନିନୀ
ଗୋଲୋକବିହାରୀ ବେହେରା
ସ୍ନେହ ବୋଳା ପଦେ,କହି ଦେଲେ ସଖି
ମୋ’ ମନେ ଫୁଟିବ ସହସ୍ର ଚମ୍ପା,
ତପ୍ତ ବୈଶାଖରେ ବହିବ ମଳୟ
ହସି ଦେବା ପାଇଁ କୃପଣ କିମ୍ପା।
ହସିଦେଲେ ଥରେ,ମୋ ମନ କୂଳରେ
ଉଛୁଳି ଉଠିବ ଯମୁନା ନଈ,
ଟାଙ୍ଗରା ଭୂଇଁରେ ସବୁଜ ଫସଲ
ଲହଡ଼ି ମାରିବ ମାଟିକୁ ଛୁଇଁ।
ଆଉ କାହାକୁ ମୁଁ, ଭଲ ପାଏ ନାହିଁ
ଏ କଥା ତୁମକୁ କହିବି କେତେ,
ହୃଦୟ ମନ୍ଦିର ସିଂହାସନ ପରେ
ସୁରକ୍ଷିତ ଯାଗା ରହିଛି ଏତେ।
ତୁମେ ଯଦି ସଖି, ପ୍ରୀତି କଥା ହେବ
ସୁଗମ ସଂଗୀତ ଗାଇବେ ପକ୍ଷୀ,
ଇଚ୍ଛାମାନେ ମୋତେ ବୋକ ଦେଉଥିବେ
ପ୍ରଗଳଭ ହେବି ମୁଁ ତୁମକୁ ଦେଖି।
ନ ବୁଝିବ ଯଦି, ଦହନ ଦରଜ
ଛାତି ତଳ କଥା ବୁଝିବ କିଏ,
ଅଭିମାନ ଛାଡି ବିଶ୍ୱାସ ଆବୋରି
ଅନୁରାଗ ତୁମ କି ଶୋଭା ପାଏ ?
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
