ରକ୍ତତୀର୍ଥ ଇରମ ନଗର ଭଦ୍ରକରେ ଏବିଭିପି ଓଡିଶା ପୂର୍ବ ପ୍ରାନ୍ତର 50ତମ ରାଜ୍ୟ ଅଧିବେଶନ ଭବ୍ୟ ଭାବେ ଉଦ୍ଘାଟିତ

ରକ୍ତତୀର୍ଥ ଇରମ ନଗର ଭଦ୍ରକରେ ଏବିଭିପି ଓଡିଶା ପୂର୍ବ ପ୍ରାନ୍ତର 50ତମ ରାଜ୍ୟ ଅଧିବେଶନ ଭବ୍ୟ ଭାବେ ଉଦ୍ଘାଟିତ l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡିଶା ପୂର୍ବ ପ୍ରାନ୍ତର 50ତମ ରାଜ୍ୟ ଅଧିବେଶନ ଆଜି ଭଦ୍ରକ ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ଇରମ ନଗରରେ ଗରିମାମୟ, ଶିସ୍ଟ ଓ ଜାତୀୟ ଚେତନାପୂର୍ଣ୍ଣ ପରିବେଶରେ ଉଦଘାଟିତ ହୋଇଯାଇଛି। ଓଡିଶାର ବିଭିନ୍ନ ଜିଲ୍ଲା ଓ ସଂଗଠନାତ୍ମକ ଏକକରୁ ଆସିଥିବା ସହସ୍ରାଧିକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ଏହି ଅଧିବେଶନକୁ ଐତିହାସିକ ମାନ୍ୟତା ପ୍ରଦାନ କରିଛି।ଉଦଘାଟନ ସତ୍ରରେ ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା, ଯୁବ ବ୍ୟାପାର, କ୍ରୀଡା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ଉପସ୍ଥିତ ଥିଲେ।ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ସହ–ସଂଗଠନ ସମ୍ପାଦକ ଶ୍ରୀମାନ୍ ଗୋବିନ୍ଦ ନାୟକ, ଶିକ୍ଷାବିଦ୍ ଡଃ ପ୍ରଭାସ ପ୍ରଶାନ୍ତ ମହାନ୍ତି, ଶ୍ରୀ ଶରତ ପଢ଼ିଆରୀ, ନବ ନିର୍ବାଚିତ ରାଜ୍ୟ ସଭାପତି ଡଃ ଦେବେଶ ଶଙ୍କର ହୋତା ଓ ପୁନଃ ନିର୍ବାଚିତ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ମଞ୍ଚାସୀନ ଥିଲେ। ସତ୍ରର ମଞ୍ଚ ସଞ୍ଚାଳନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ବିଶ୍ୱଜିତ୍ ପାତ୍ର କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଅତିଥିବୃନ୍ଦ ସ୍ୱାମୀ ବିବେକାନନ୍ଦ ଓ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଜ୍ଞାନ, ଦେଶଭକ୍ତି ଓ ସେବାଭାବର ପ୍ରତୀକ ରୂପେ ଅଧିବେଶନର ଶୁଭାରମ୍ଭ କରିଥିଲେ।ନବ ନିର୍ବାଚିତ ରାଜ୍ୟ ସଭାପତି ଡଃ ଦେବେଶ ଶଙ୍କର ହୋତା ତାଙ୍କ ସ୍ୱାଗତ ଉଦ୍ବୋଧନରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭଦ୍ରକର ପବିତ୍ର ମାଟିକୁ ସ୍ୱାଗତ ଜଣାଇଥିଲେ ଓ ଏବିଭିପିର 50ତମ ରାଜ୍ୟ ଅଧିବେଶନ ଓଡିଶାର ଛାତ୍ର ଆନ୍ଦୋଳନ ପାଇଁ ଏକ ମାଇଲସ୍ଟୋନ୍ ବୋଲି ଅଭିହିତ କରିଥିଲେ।ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଭଦ୍ରକ ମାଟି ଐତିହାସିକ ବଳିଦାନ ଓ ଦେଶଭକ୍ତିର ପ୍ରତୀକ।

ଏହି ପବିତ୍ର ଭୂମିରେ ଏବିଭିପିର ରାଜ୍ୟ ଅଧିବେଶନ ଆୟୋଜନ ହେବା ଭଦ୍ରକ ପାଇଁ ଗର୍ବର ବିଷୟ। ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି ବୋଲି କହିଥିଲେ।ସେ ତାଙ୍କ ବକ୍ତବ୍ୟରେ “ବନ୍ଦେ ମାତରମ୍”ର 150ତମ ଜୟନ୍ତୀ, ସର୍ଦାର ଭଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ, ଜନଜାତି ଗୌରବ ବିର୍ସାମୁଣ୍ଡାଙ୍କ 150ତମ ଜୟନ୍ତୀ ଓ ବୀର ସହିଦ ବାଜି ରାଉତଙ୍କ 100ତମ ଜୟନ୍ତୀକୁ ସ୍ମରଣ କରି ଏହାକୁ ଜାତୀୟ ଚେତନା ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିଥିଲେ। ସେହିପରି RSSର 100ତମ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଜଣାଇଥିଲେ।ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଏବିଭିପିର ସମାଜ ସେବା, ଶିକ୍ଷା ସଂସ୍କାର, ଛାତ୍ର ହିତ ସୁରକ୍ଷା ଓ ଜାତୀୟ ପୁନର୍ନିର୍ମାଣରେ ଏହାର ଦୀର୍ଘଦିନର ଅବଦାନକୁ ପ୍ରଶଂସା କରିଥିଲେ।ମୁଖ୍ୟ ବକ୍ତା ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ତାଙ୍କ ଉଦ୍ବୋଧନରେ ଶିକ୍ଷାକୁ ମୂଲ୍ୟବୋଧ, ସଂସ୍କୃତି ଓ ଜାତୀୟ ଦାୟିତ୍ୱ ସହ ଯୋଡ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।ରାଷ୍ଟ୍ରୀୟ ସହ–ସଂଗଠନ ସମ୍ପାଦକ ଶ୍ରୀମାନ୍ ଗୋବିନ୍ଦ ନାୟକ ତାଙ୍କ ବକ୍ତବ୍ୟରେ ଦେଶବ୍ୟାପୀ 77 ଲକ୍ଷ ସଦସ୍ୟତା ସହ ଏବିଭିପି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ। ସେ 2001 ମସିହାରେ ଭଦ୍ରକରେ ହୋଇଥିବା ପୂର୍ବ ରାଜ୍ୟ ଅଧିବେଶନର ସ୍ମୃତି ଉଲ୍ଲେଖ କରିବା ସହ ବିର୍ସାମୁଣ୍ଡା, ରାଣୀ ଅବକା ଓ ବନ୍ଦେ ମାତରମ୍‌ର 150ତମ ଜୟନ୍ତୀ ସନ୍ଦର୍ଭରେ ମତ ପ୍ରକାଶ କରିଥିଲେ।ଶେଷରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ଅଧିବେଶନରେ ଉପସ୍ଥିତ ସମସ୍ତ ଅତିଥି, ମଞ୍ଚାସୀନ ବ୍ୟକ୍ତିବର୍ଗ, ନୂତନ ଓ ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ଉଦଘାଟନ ସତ୍ରର ସମାପ୍ତି ଘୋଷଣା କରିଥିଲେ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ପୂର୍ବତନ କାର୍ଯ୍ୟକର୍ତ୍ତା ଯୋଗଦେଇ ଭଦ୍ରକ ମାଟିକୁ ଗୌରବାନ୍ବିତ କରିଥିଲେ।

Leave a Reply

Your email address will not be published. Required fields are marked *