ପୋସ୍ତକ ନାଁରେ ଘାସ ଦାନା ବିକ୍ରି କରି କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ
କୋଣାର୍କ – ବୁଧବାର ସକାଳେ ମହାରାଷ୍ଟ୍ର ରୁ ଆସିଥିବା ପର୍ଯ୍ୟଟକଙ୍କୁ କାଜୁ କହି ପ୍ୟାକେଟ ରେ ନକୁଳ ଦାନା ବିକ୍ରି ଅଭିଯୋଗ ହୋଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥି ସହିତ ପର୍ଯ୍ୟଟକ ମାନେ ୧୧୨ କୁ କଲ୍ କରି ଅଭିଯୋଗ କରିଥିଲେ। ଏନେଇ କୋଣାର୍କ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଖବର ପାଇଲେ କି ଜନୈକ ବ୍ୟକ୍ତି ଯାହାଙ୍କ ନାମ ରମେଶ କାଣ୍ଡି, ଗ୍ରା:- ଡାଳିମ୍ବଗୋରଡ଼ି, କୋଣାର୍କ କୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପୋସ୍ତକ କହି କିଛି ଘାସ ଦାନା ବିକ୍ରି କରି ପୋସ୍ତକ ର ଦାମ ନେଇ ପର୍ଯ୍ୟଟକଙ୍କୁ ଠକୁଥିଲେ। ସେତେବେଳେ କୋଣାର୍କ ପୋଲିସ ପହଂଚି ତାକୁ ଉକ୍ତ ସାମଗ୍ରୀ ସହିତ ଧରିଥିଲେ। ସେ ଏହାକୁ ବିନା କାଗଜ ପତ୍ର ଅଥବା ଲାଇସେନ୍ସ ରେ ବିକ୍ରି କରି ପର୍ଯ୍ୟଟକଙ୍କୁ ଠକୁଥିବା କାରଣରୁ ତାଙ୍କ ବିରୁଦ୍ଧରେ କୋଣାର୍କ ଥାନା କେସ ନମ୍ବର 24/26 ଏକ ମାମଲା ରୁଜ୍ଜୁ କରାଯାଇ ବୁଧବାର ସଂଧ୍ୟାରେ ଅଟକ ରଖି ପଚରାଉଚରା ଜାରି ରହିଥିଲା। ଗୁରୁବାର ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଥିଲା କୋଣାର୍କ ପୋଲିସ୍। ହେଲେ କୋଣାର୍କରେ ଅସାଧୁ ବ୍ୟବସାୟୀମାନେ ନିମ୍ନ ମାନର କାଜୁ ବେପାର ଜାରି ରଖିଥିବା ବେଳେ ପୋଲିସ୍ ପ୍ରଶାସନ, ଏନଏସି ପ୍ରଶାସନ, ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଓ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ମାନେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଦେଖିବାକୁ ମିଳିଛି। ଯାହା ଫଳରେ କୋଣାର୍କ ସାରା ରାଜ୍ୟ ଓ ଦେଶରେ ନିନ୍ଦିତ ହେଉଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ୍ ନିଷ୍କ୍ରିୟତା ଯୋଗୁଁ ବାରମ୍ଵାର ଏପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପ୍ରକୃତ ଦୋଷୀକୁ ଧରି ପାରୁନି ପୋଲିସ୍ ଯାହା ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହଳି ହଳି ହୋମଗାର୍ଡ ଟୁରିଷ୍ଟ ବସ ନିକଟରେ ହାତ ଗୁଞ୍ଜା ପାଇଁ ପଇଁତରା ମାରୁଥିବା ବେଳେ ଅସାଧୁ ବ୍ୟବସାୟୀମାନେ ନିମ୍ନ ମାନର କାଜୁ ଓ ପୋସ୍ତକ ଧରି ବୁଲି ଖୁଲମଖୁଲା ବିକୁଛନ୍ତି। କେଉଁ କାରଣରୁ ସେମାନଂକୁ ଧରୁନି ପୋଲିସ। ଯାହା ଫଳରେ ଲୁଟ ଶିକାର ହେଉଛନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ। ୧୦ ରୁ ଅଧିକ ନିଶାଖୋର ବ୍ୟକ୍ତି ଟଙ୍କା ଲୋଭରେ ଏପରି କରୁଛନ୍ତି। ଏମାନଙ୍କୁ ସହଯୋଗ କରୁଛନ୍ତି ବଡ ବଡ କାଜୁ ବେପାରୀ। ରଙ୍ଗୀନ ଜରି ଆଣି ପ୍ୟାକିଙ୍ଗ କରିବା, ଦାନା କିଣି ପ୍ୟାକିଙ୍ଗ କରିବା ସହ ବସ ରେ ଆସିଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ବିକ୍ରୀ କରି ଘଟଣା ସ୍ଥଳରୁ ତୁରନ୍ତ ପଳାଇବା ଏକ ସ୍ବତନ୍ତ୍ର ଗ୍ୟାଙ୍ଗ କାମ କରୁଛନ୍ତି। ଯାହା ଫଳରେ ଦୈନିକ ହଜାର ହଜାର ଟଙ୍କା ଲୁଟ୍ କରୁଛନ୍ତି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବ ରହିଛି। ପ୍ରସିଦ୍ଧ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଆମ ପାଇଁ ଗର୍ବ ଥିବା ବେଳେ ଅସାଧୁ ବ୍ୟବସାୟୀମାନଙ୍କ ପାଇଁ ଲଜ୍ଜ୍ୟା ଓ ନିନ୍ଦା ପାଉଛି କୋଣାର୍କ। ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
