ଠିକଣା
ଠିକଣା
🖊️କବିରତ୍ନ ନୂତନ କୁମାର ବେହେରା
ତୁମେ ହୁଅ କି ମୁଁ ଅବା ଆଉ କିଏ
ଭୂଖଣ୍ଡର ଯେଉଁ ସ୍ଥାନରେ ରହୁ
ମାନଚିତ୍ର ବତାଇ ଦିଏ ତାର ଠିକଣା
ଖୋଜି ପାଇବାକୁ ସହଜରେ
ଜାଣିବାକୁ ହୁଏ ସଠିକ୍ ନିର୍ଭୁଲ ଭାବରେ
ସେ ଗନ୍ତବ୍ୟ ପଥର ଦୂରତା କେତେ
ମୁଁ ରହୁଥିବା ସ୍ଥାନ ଠାରୁ ତାହା
ତୁମ ପାଖକୁ ଥିବା ନିର୍ଦ୍ଦିଷ୍ଟ ବ୍ୟବଧାନ
ସମୟ ସୁବିଧା ନେଇ ଗଲେ
ଯାନବାହନରେ ପହଞ୍ଚି ହୁଏ ତୁମଠାରେ
ଯଦି ଠିକ୍ ଓ ଅପରିବର୍ତ୍ତିତ ରହେ
ତୁମର ମୋର ସେ ସ୍ଥାୟୀ ଠିକଣା
ବେଳେ ବେଳେ କିନ୍ତୁ ହୁଏ ନାହିଁ ଭେଟ
ନଥିଲେ ପୂର୍ବାପରର ଯୋଗାଯୋଗ
କିଏ କେମିତି ରହୁଥିବା ବ୍ୟସ୍ତତାରେ
ନ ହେବା ଯାଏଁ ଆମେ ପରସ୍ପର ନିକଟତର
ହୁଏନା କେବେ ସାକ୍ଷାତ୍ ଆମର
ଜଣା ଥିଲେ ବି ତୁମର କି ମୋର ଠିକଣା
ମୁଁ ତୁମକୁ ଜାଣିଗଲେ ଚିହ୍ନି ଗଲେ
ତୁମେ ବି ଜାଣି ଯାଅ ଚିହ୍ନି ଯାଅ ମୋତେ
ଆମ ଭିତରେ ଗଢ଼ା ହୋଇଯାଏ
ଗୋଟେ ଭାବ ଦିଆନିଆର ସଂପର୍କ
ଉଭୟେ ଚାହୁଁ ଯେତେ ହୁଏ ତା’ ସମ୍ଭବ
ଯେ ପର୍ଯ୍ୟନ୍ତ ଥାଏ ବୁଝାମଣା ଆନ୍ତରିକତା
ସେହି ଭାବ ଭାଷା ଆମକୁ ମିଶାଏ
ପୁଣି ହଜାଇ ଦିଏ କେବେ ଅଧା ବାଟରେ
ଥାଇ ବି ଆମର ସେଇ ଠିକଣା
ହୁଏ ପୁଣି ଜଣାରୁ ଅଜଣା ଅପହଞ୍ଚା
ଦୂରେଇ ରହୁ ଆମେ ଆମ ଇଚ୍ଛାରେ
ମନ ପ୍ରାଣରେ ଥିବା ଯାଏଁ ବିଶ୍ଵାସ ଭରସା
ଆମେ ରହିଥାଉ ହୃଦୟରେ ନିକଟତର
ସ୍ଥୂଳରେ ହେଲେ ବି ସୂକ୍ଷ୍ମରେ ହୁଏନା ବିଚ୍ଛେଦ
ହଜେ ନାହିଁ ଠିକଣା କି ଭାଙ୍ଗେ ନାହିଁ ସଂପର୍କ
ସେମିତି ଈଶ୍ଵରଙ୍କର ମଧ୍ୟ ଅଛି ଠିକଣା
ଖୋଜିଲେ ସେ ବି ମିଳିଯାନ୍ତି ଆମକୁ
ଠିକ୍ ଥିଲେ ଆମ ଶ୍ରମ ସାଧନାର ଉପାସନା
ନିଜେ ନିଜର ରଖିଥିଲେ ଠିକ୍ ଠିକଣା
ଖୋଜିବାରେ ପାଇବାରେ ପରସ୍ପରକୁ
ହେଉନା ଆମେ କେହି କେବେ ବାଟବଣା।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
