ଏଇ ମନ ବୃନ୍ଦାବନ
ଏଇ ମନ ବୃନ୍ଦାବନ
( ରାଗ — ରସକୁଲ୍ୟା )
✍🏼କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିରେ ପ୍ରକୃତି ରୂପ ସୁନ୍ଦର
ପ୍ରତିକ୍ଷଣ ହୁଏ ତା’ ରୂପାନ୍ତର,
ପ୍ରାଣେ ଭରି ଦିଏ ସଦା ପୁଲକ
ବିଧି ବିଧାନରେ ହୋଇ ପାଳକ ସେ,
ଏଇ ମନ ବୃନ୍ଦାବନ ଯେ
ଆସେ ଯା’ ଭାବନା ସେଇ ସମ୍ଭାବନା
ଖୋଜେ ତାହା ଏ ଜୀବନ ଯେ ।୧।
ଶରୀର ଭିତରେ ରହିଛି ମନ
ଦେଖେ ନିତି ଦିନ କେତେ ସପନ,
ହୃଦୟରେ କରି ତା’ ଅନୁଭବ
ଆଶା ପୂରଣରେ ରଖଇ ଭାବ ସେ,
ଦିଏ ଉତ୍ସାହ ପ୍ରେରଣା ଯେ
ନିଏ କର୍ମ ପଥେ ରହି ସାଥେ ସାଥେ
କରେ ନାହିଁ କେବେ ଊଣା ଯେ ।୨।
ଜୀବର ଜୀବନେ ସେ ସହାୟକ
ଅନ୍ଧକାର ନାଶି ଦିଏ ଆଲୋକ,
ଅନ୍ତରରେ ଜାଳେ ଜ୍ଞାନ ଦୀପକ
ପରମାତ୍ମାଙ୍କର ହୋଇ ପ୍ରତୀକ ସେ,
କରେ ବିବେକ ବିଚାର ଯେ
ବୁଦ୍ଧିର କୌଶଳେ ରୁହଇ ମଙ୍ଗଳେ
କର୍ମ କରି ନିରନ୍ତର ଯେ ।୩।
ଜୀବ ଅଟେ ରାଧା କାହ୍ନା ଜୀବାତ୍ମା
କଳି ହୁଏ ନାହିଁ ତାଙ୍କ ମହିମା,
ଶରୀର ଘଟରେ କରନ୍ତି ରାସ
ଅନନ୍ତ ଜ୍ୟୋତିର ଦିବ୍ୟ ପ୍ରକାଶ ସେ,
ଏଇ ମନ ବୃନ୍ଦାବନ ଯେ
ରାଧାକୃଷ୍ଣ ବିନା ମିଳେନା କରୁଣା
ପାଳନେ ରଖନ୍ତି ଧ୍ୟାନ ଯେ ।୪।
ସତ୍ୟର ଆଶ୍ରୟେ ମିଳଇ ପୁଣ୍ୟ
ମାୟାରେ ପଡ଼ିଲେ ସବୁ ଶୂନ୍ୟ,
ସାଧନାରେ ରହି ହୁଏ ଜଣେ ସିଦ୍ଧ
ଜୀବନ ପଥକୁ କରେ ଅବାଧ ସେ,
ଭବେ ମନ ବୃନ୍ଦାବନ ଯେ
ଭାବ ନେଇ ଭାଷା ଆସଇ ଭରସା
ଆଶା ହୁଅଇ ପୂରଣ ଯେ ।୫।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
