ବହୁତ ଅନୁସଂଧାନ ପରେ ଦଳିତ ମହିଳା ପାଇଲେ ଶୁଭଦ୍ରା ଟଙ୍କା।
ଦଶପଲ୍ଲା : – ସୁକୁମାରୀ ନାୟକ, ସ୍ୱା – ମୃତ – ନକୁଳ ନାୟକ, ବୟସ – ୫୫ , ଗ୍ରାମ – କୁରୁଡ଼ାଙ୍ଗି, ଗ୍ରାମ ପଞ୍ଚାୟତ – ଦୁଡ଼ା ର ଜଣେ ଗରିବ ଦଳିତ ଭୂମିହୀନ ମହିଳା ଅଟନ୍ତି । ଦୁଇ ପୁଅ ଝିଅ ଙ୍କୁ ନେଇ ପରିବାର ଚଳାନ୍ତି ସୁକୁମାରୀ। ପୁଅ ଦାଦନ ଶ୍ରମିକ ଭାବେ ବାହାରେ ରହେ ଏବଂ ମାଆ ସୁକୁମାରୀ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ମୂଲ ମଜୁରୀ ଖଟି ପେଟ ପୋଷନ୍ତି । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଅଧୀନରେ ସରକାରୀ ସହାୟତା ପାଇଁ ସେ ଆବେଦନ କରିଥିଲେ। ସ୍ଥାନୀୟ ବାଣୀଗୋଛା ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ରେ ସେ ଏକ ଜମା ଖାତା ଖୋଲିଥିଲେ। କିନ୍ତୁ ସୁଭଦ୍ରା ଯୋଜନାରେ ଆବେଦନ କରିବା ପୂର୍ବରୁ କୌଣସି ଏକ ଅସାମାଜିକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହି ମହିଳାଙ୍କ ଅଜ୍ଞାତରେ କୁଲୁରୁକୁମ୍ପା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଏକ ଆକାଉଣ୍ଟ୍ ଖୋଲେଇ ଦେଇଛନ୍ତି କିନ୍ତୁ ଏ ମହିଳା ସେ ଆକାଉଣ୍ଟ ବିଷୟରେ କିଛି ଜାଣି ନଥିଲେ।ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ସମସ୍ତେ ପାଇଲା ବେଳେ ସୁକୁମାରୀ କିନ୍ତୁ ପାଇଲେ ନାହିଁ। କିଛି ମାସ ପରେ ଦ୍ଵିତୀୟ କିସ୍ତି ସମସ୍ତେ ପାଇଲେ କିନ୍ତୁ ସୁକୁମାରୀ ଙ୍କ ପୁରୀ ଗ୍ରାମ୍ୟ ବ୍ୟାଙ୍କ ଖାତାକୁ ଆସିଲା ନାହିଁ।ସୁଭଦ୍ରା ଯୋଜନାରେ ଆବେଦନ କଲାବେଳେ ପୁରୀ ଗ୍ରାମ୍ୟ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଛି ବୋଲି ସୁକୁମାରୀ ଭାବୁଛନ୍ତି। ତେଣୁ ସେ ବାରମ୍ବାର ପୁରୀ ଗ୍ରାମ୍ୟ ବ୍ୟାଙ୍କକୁ ଯାଇ ବୁଝନ୍ତି କିନ୍ତୁ ନିରାଶ ହୋଇ ଫେରନ୍ତି। ସେ ଅଧିକାର ମିତ୍ରଙ୍କ ପରାମର୍ଶ ନେଲେ ଏବଂ ଆକାଉଣ୍ଟ୍ କୁ ସୁଭଦ୍ରା ଟଙ୍କା ଆସୁନଥିବା ଖବର ଦେଲେ। ଟଙ୍କା ନ ପାଇ ସେ ହତାଶ ହୋଇ ଭାଙ୍ଗି ପଡ଼ିଥିଲେ ଏବଂ ନିଜକୁ ଦୁଃଖ ଅନୁଭବ କରି ନୀରବ ରହିଥିଲେ। ସୁକୁମାରୀ ନାୟକ ଙ୍କ ଏ ସମସ୍ୟା ବିଷୟରେ ଗ୍ରାମ ଗୋଷ୍ଠୀଙ୍କ ସହିତ ଗଭୀର ଭାବେ ଆଲୋଚନା କରାଗଲା। ଏ ସମସ୍ୟାର ମୂଳ କାରଣ ଜାଣିବା ପାଇଁ ଚେଷ୍ଟା କରାଗଲା ଏବଂ ଏହାର ନିରାକରଣ କିପରି କରାଯାଇ ପାରିବ ସେ ବିଷୟରେ ସବିଶେଷ ଅନୁସନ୍ଧାନ କରାଗଲା। ଅଧିକାର ମିତ୍ର ଦାମୋଦର ନାୟକଙ୍କ ସହଯୋଗରେ ସୁକୁମାରୀ ନାୟକଙ୍କ ଏଗାର ଡିଜିଟ ନମ୍ବର ର ଏ ଆକାଉଣ୍ଟ୍ ନମ୍ବର ଟି କେଉଁ ବ୍ୟାଙ୍କର ବୋଲି ଜାଣିବା ପାଇଁ ପ୍ରଥମେ ପୁରୀ ଗ୍ରାମ୍ୟ ବ୍ୟାଙ୍କ ପରେ ଷ୍ଟେଟ ବ୍ୟାଙ୍କ ଇତ୍ୟାଦିରେ ପରାମର୍ଶ ନିଆଗଲା। ଶେଷରେ ଏ ଆକାଉଣ୍ଟ୍ ନମ୍ବର ଟି ପୋଷ୍ଟ ପେମେଣ୍ଟ ଆକାଉଣ୍ଟ୍ ହୋଇଥାଇପାରେ ବୋଲି ସନ୍ଦେହ କରାଗଲା । କୁଲୁରୁକୁମ୍ପା ପୋଷ୍ଟ ଅଫିସରେ ଗତ ତା ୨୯/୭/୨୫ ରିଖ ଦିନ ଏ ଆକାଉଣ୍ଟ୍ ନମ୍ବର ଟିକୁ ଚେକ୍ କରିବା ପରେ ଜଣାପଡ଼ିଲା ଯେ ଏହା ପୁରୀ ଗ୍ରାମ୍ୟ ବ୍ୟାଙ୍କ ନମ୍ବର ନୁହେଁ ପରନ୍ତୁ ପୋଷ୍ଟଲ ନମ୍ବର।ଗଚ୍ଛିତ ରାଶି କେତେ ଅଛି ଦେଖିଲା ବେଳକୁ ସେଥିରେ ସୁଭଦ୍ରା ଯୋଜନାର ଦୁଇଟି କିସ୍ତି ରେ ଆସିଥିବା ମୋଟ ଅର୍ଥ ୧୦,୦୦୦ ଦଶ ହଜାର ଟଙ୍କା ଗଚ୍ଛିତ ଅଛି ବୋଲି ପୋଷ୍ଟ ମାଷ୍ଟର ଜଣାଇଲେ। ଜଣେ ଅଶିକ୍ଷିତ ବଞ୍ଚିତ, ଅବହେଳିତ, ଆଦିବାସୀ ମହିଳା ନିଜର ଅଜ୍ଞତା ଯୋଗୁଁ କେତେ କଷ୍ଟ ଓ ହଇରାଣ ଭୋଗୁଛନ୍ତି ତାହାର ଏହା ଏକ ଜ୍ୱଳନ୍ତ ଘଟଣା । ସରକାରଙ୍କ ଜନ ମଙ୍ଗଳ ଯୋଜନା କାର୍ଯ୍ୟକାରୀ ହେବା ଯେତିକି ଜରୁରୀ ତା ଠାରୁ ଅଧିକ ଜରୁରୀ ହିତାଧିକାରୀ ଅବା ଆବେଦନକାରୀଙ୍କୁ ସଠିକ୍ ଭାବେ ସଚେତନ କରାଇବା । ସାଧାରଣ ସହଯୋଗରେ ସୁକୁମାରୀ ପରି ଜଣେ ଅଶିକ୍ଷିତ ଗରିବ ମହିଳା ଏକ କାଳୀନ ଦଶ ହଜାର ଟଙ୍କା ପାଇ ଆତ୍ମ ବିଭୋର ହୋଇ କହିଥଲେ, ମୁଁ କଳ୍ପନା କରି ନ ଥିଲି ଏ ଟଙ୍କା ପାଇବି ବୋଲି। ଅଧିକାର ମିତ୍ରଙ୍କ ସହଯୋଗ ଓ ପରାମର୍ଶ ଦ୍ଵାରା ଏହା ସମ୍ଭବ ହୋଇ ପାରିଛି ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ନିଶ୍ଚୟ।
