ବୟସର ବର୍ଣ୍ଣବୋଧ

ବୟସର ବର୍ଣ୍ଣବୋଧ

🖊️କବିରତ୍ନ ନୂତନ କୁମାର ବେହେରା

ଜୀବନର ଭାବ ଭାଷାକୁ ସରଳ ପ୍ରାଞ୍ଜଳ ସାବଲୀଳ
ରୂପରେ ପ୍ରକାଶ କରେ ବୟସର ବର୍ଣ୍ଣବୋଧ
‘ ଅ ‘ ରୁ ‘ କ୍ଷ ‘ ସ୍ଵର ଓ ବ୍ୟଞ୍ଜନ ଅଣଚାଶ ଅକ୍ଷର
ଅବନା ବନା ଫଳା ମାତ୍ରାର ଯୁକ୍ତରେ ଅସଂଖ୍ୟ ଶବ୍ଦ
ଠିକ୍ ବ୍ୟବହାରରେ ଶୁଦ୍ଧ ବନାନ ବୁଝାଏ ଅର୍ଥ
ବ୍ୟାକରଣ ସୂତ୍ର ଭୁଲି କଲେ ତାର ଭୁଲ୍ ପ୍ରୟୋଗ
ଜୀବନର ଜ୍ଵାଳା ବଢ଼ି ବହଇ ଅଣଚାଶ ପବନ
ବୟସର ବର୍ଣ୍ଣବୋଧ ଶିଖାଇଥାଏ ଶୁଦ୍ଧ ଆଚରଣ
ସମାଜେ ଜୀଇଁ ରହିବା ହୁଅଇ ସରସ ସୁନ୍ଦର
ଦିନ ମାସ ବର୍ଷ ବିତି ଅତୀତ ଲେଖେ ଇତିହାସ
ସମୟର ଅତିକ୍ରମକୁ ନେଇ କରେ ବୟସର ଗଣନା
ଆସିଥାଏ ଯିଏ ଦିନେ ଯାଏ ସେ ଅନିବାର୍ଯ୍ୟ
ଯିବାବେଳେ ଛାଡ଼ି ଦେଇ ଯାଇଥାଏ ତା’ ଅଭିଜ୍ଞତା
ଅଙ୍ଗେନିଭା ଅନୁଭବର ଯେତେ ବାସ୍ତବ ଲବ୍ଧଜ୍ଞାନ
ବୟସର ବର୍ଣ୍ଣବୋଧ ମନେ ରଚିଦିଏ ଶବ୍ଦ ପଦ
ତାର ଛନ୍ଦମୟ ଲାଳିତ୍ୟପୂର୍ଣ୍ଣ ପଦ ପଂକ୍ତି ସଂଯୋଜନା
ହୃଦୟ ପାରାବାରରେ ଖେଳାଏ ଅସରନ୍ତି ତରଙ୍ଗ
ସଫଳତା ଆଣି କେବେ ଛୁଇଁ ଫେରେ ବେଳାଭୂମିକୁ
କେବେ ଜୁଆର ପାଲଟି ଦୁଃଖରେ ମଥା ପିଟେ
ସୂର୍ଯ୍ୟ ଉଦୟରୁ ଅସ୍ତହେବା ଯାଏଁ ଦିଅଇ କିରଣ
କେବେ କେବେ ନିଦାଘର ସ୍ଵେଦରେ ହୁଏ ଅସହ୍ୟ
କେବେ ବେଳେ ଶୀତର ପ୍ରକୋପେ ହୁଏ ଅଗ୍ରାହ୍ୟ
ତଦ୍ରୂପ ବୟସକ୍ରମେ ହୋଇଥାଏ ସରଳ ବା ଜଟିଳ
ସରଳ ସର୍ବଦା ହୁଏ ସ୍ଵାଗତଯୋଗ୍ୟ ଆନନ୍ଦମୟ
ଜଟିଳ ଅବାଞ୍ଛିତ ଅଜ୍ଞାନତାରେ ଦିଏ ଖାଲି ଯନ୍ତ୍ରଣା
ଯୌବନ ବୟସର ମଧ୍ୟାହ୍ନ ମନକୁ କରେ ଉଦ୍ଦାମ
ବର୍ଣ୍ଣବୋଧର ବର୍ଣ୍ଣ ସହିତ ରହିଥିଲେ ପରିଚୟ
ଅନ୍ତରରୁ ନିଃସୃତ ଦୁର୍ବୋଧ୍ୟ ଶବ୍ଦ ମଧ୍ୟ ହୁଏ ସରସ
ସ୍ଵର ବା ବ୍ୟଞ୍ଜନ ବର୍ଣ୍ଣର ଶବ୍ଦରେ ଥିଲେ ଦୁର୍ବଳତା
ଅବୋଧ ଅବୁଝା ଅଜଣା ରହିଯାଏ ହୋଇ ଅଧୁରା
ବୟସର ବର୍ଣ୍ଣବୋଧକୁ ସଠିକ୍ କଲେ ସ୍ଵଧ୍ୟାୟ
ଜୀବନର ସ୍ରୋତ ପ୍ରତିକୂଳରୁ ବହେ ଅନୁକୂଳରେ।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
    ନବସୃଜନ ଇ-ପତ୍ରିକା,

    କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *