ଆହା ! କି ସୁନ୍ଦର ଗଢ଼ିଛ ସଂସାର

ଆହା ! କି ସୁନ୍ଦର ଗଢ଼ିଛ ସଂସାର
ହେ ପ୍ରଭୁ ଦୟାର ସାଗର,
ଦେଇଛ ତ ସବୁ କରି ଯେ ବିଚାର
ଜୀବ ଲାଗି ଯା’ ଦରକାର,
ପ୍ରକୃତି
ତା’ କୋଳେ ରଖିଛି ସାଇତି,
ସେ ଶିରୀକୁ ଧରିଅଛି ବସୁମତୀ
ଚାଲିଛି ଜୀବନର ଗତି।୧।

କ୍ଷୁଧା ନିବାରଣେ ଅଛି ବୃକ୍ଷଲତା
କୃଷିରୁ ହୁଅଇ ଉତ୍ପନ୍ନ,
ତୃଷା ମେଣ୍ଟି ଯାଏ ଧରାର ସଲିଳେ
ଘୁଞ୍ଚଇ ଯେତେ ବାଧା ବିଘ୍ନ,
ପବନ
ପ୍ରଶ୍ଵାସେ ବଞ୍ଚାଏ ଜୀବନ,
ଆଲୋକ ଦିଅନ୍ତି ସୂରୁଜ ଚନ୍ଦର
ଅନନ୍ତ ତୁମ ବରଦାନ।୨।

ପଞ୍ଚଭୂତ ଭରି ରହିଛି ଜଗତେ
ସୃଷ୍ଟି ସଞ୍ଚାରେ ଅବିରତେ,
ଭୂମିରୁ ଭୂମା ଯେ ବ୍ୟାପିଅଛି ହିତେ
ଚାଲଇ ତୁମ ଇଚ୍ଛା ମତେ,
ଇଙ୍ଗିତେ
ଭବେ ସଚରାଚର ଯେତେ,
ଗ୍ରହ ଉପଗ୍ରହ ନକ୍ଷତ୍ର ସବୁ ତ
ଗତିଶୀଳ ସମୟ ସ୍ରୋତେ।୩।

ତୁମଠୁ ଜନମି ତୁମଠାରେ ଲୀନ
ହୁଅନ୍ତି ସକଳ ସଜୀବ,
ଜୀବନ ଧାରଣେ କରିଣ ଉଦ୍ୟମ
ଲଭନ୍ତି ପାର୍ଥିବ ବିଭବ,
ବିଧାନେ
ଏକ ସୂତ୍ରର ଏ ବନ୍ଧନ ,
ନିଜ ନିଜର କରି ଯେ କର୍ମମାନ
ଶାନ୍ତି ପାଆନ୍ତି ମନେ ପ୍ରାଣେ।୪।

ଆହା ! କି ସୁନ୍ଦର ଗଢ଼ିଛ ସଂସାର
ତା’ର ନାହିଁ ତ ପଟାନ୍ତର,
ସବୁରି ଲାଗି ଯେ ଦେଇଛ ଆହାର
ସଦୟ ହୁଅ ନିରନ୍ତର,
ହେ ପ୍ରଭୁ
ତୁମେ ତ ବ୍ରହ୍ମାଣ୍ଡରେ ସବୁ,
ହସ ଲୁହ ସୁଖ ଦୁଃଖ ତୁମ ଦାନ
ତୁମେ ଜଗତେ ମହାବାହୁ।୫।

ହେ ଜଗଦୀଶ ଏ ସୃଷ୍ଟିର ପ୍ରକାଶ
ଜୀବନ ପଥେ ହୁଅ ସହା,
ଦେଖାଇ ଆଲୋକ କରାଅ ଅଭୟ
ହୃଦୟେ ରହୁ ଭକ୍ତି ସ୍ପୃହା,
ଅଜ୍ଞାନ
ଅନ୍ଧାର ହଟାଅ ତୁରିତେ,
ଏକାଗ୍ରେ ସତ୍ୟର ନିଷ୍ଠା ବ୍ରତ ପାଳି
ମହତ ରଖିବି ଜଗତେ।୬।

କରୁଣା ତୁମର ବୁଝି ନରନାରୀ
ନିଅନ୍ତି ଚରଣେ ଶରଣ,
ତୁମେ ଦିବ୍ୟ ଜ୍ୟୋତି ଅଗତିର ଗତି
ସଭିଙ୍କୁ କର ପରିତ୍ରାଣ,
ପ୍ରାର୍ଥନା
ଭକ୍ତର କର ତୁମେ ଘେନା,
ଏ ସାରା ସଂସାର ହେଉ ମଧୁମୟ
କରେ ତୁମ ପୂଜା ଅର୍ଚ୍ଚନା।୭।

( ରାଗ — କଲ୍ୟାଣ ଆହାରୀ )

କବିରତ୍ନ ନୂତନ କୁମାର ବେହେରା

କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *