ଅହଲ୍ୟା ଉଦ୍ଧାର

   ଅହଲ୍ୟା ଉଦ୍ଧାର
 ( ରାଗ — ରସକୁଲ୍ୟା )

 🖊️କବିରତ୍ନ ନୂତନ କୁମାର ବେହେରା

ବ୍ରହ୍ମାଙ୍କ ନନ୍ଦିନୀ ସୁଶ୍ରୀ ଅହଲ୍ୟା
           ଅନିନ୍ଦ୍ୟ ସୁନ୍ଦରୀ ରୂପେ ପ୍ରାବଲ୍ୟା,
ଗୌତମ ଋଷିଙ୍କ ଭାର୍ଯ୍ୟା ଶୁଭଦା
        ଆଚାରେ ସୁଲଗ୍ନା ସଦା ସର୍ବଦା ସେ,
ଧର୍ମପ୍ରାଣା ମୟୀୟସୀ ଯେ
             ପତି ଅନୁଗତା ଥିଲେ ପତିବ୍ରତା
ତାଙ୍କ ଗୁଣେ ତୃପ୍ତ ଋଷି ଯେ।୧।

ଦେବରାଜ ଇନ୍ଦ୍ର ଆକୃଷ୍ଟ ହୋଇ
          ପତ୍ନୀ କରିବାକୁ ଥିଲେ ଆଶାୟୀ,
ସର୍ତ୍ତରେ ହାରି ରଖିଥିଲେ ରାଗ
       ନାଶିବେ ଅହଲ୍ୟା ପତି ସୁହାଗ ସେ,
ଧରି ଋଷି ଛଦ୍ମବେଶ ଯେ
     ସ୍ଵାମୀ ଯିବା ଅନ୍ତେ ଆସି ସେ ଗୁପତେ
ପ୍ରେମ ବାକ୍ୟ କଲେ ଭାଷ ଯେ।୨।

ସନ୍ଦେହେ ଅହଲ୍ୟା ହୋଇଲେ ତ୍ରସ୍ତା
          ଭାବିଲେ ଅନ୍ତରେ କରି ସେ ଚିନ୍ତା,
ସହସା ଋଷି ଆସିବାରୁ ଫେରି
     ବାତାୟନ ପଥେ ଗଲେ ବାହାରି ସେ,
ମାର୍ଜାରର ରୂପ ଧରି ଯେ
   ଋଷି ଦେଲେ ଶାପ କ୍ରୋଧେ ଭାବି ପାପ
ଆଗପଛ ନ ବିଚାରି ଯେ।୩।

ପାଷାଣୀ ହୋଇଲେ ଅହଲ୍ୟା ସତୀ
            ଧ୍ୟାନେ ଜାଣି ଋଷି ଦୁଃଖିତ ଅତି,
ଶ୍ରୀରାମ ଜନ୍ମି କରିବେ ମୁକତି
    ତାଙ୍କ ପାଦେ ସ୍ପର୍ଶେ ପାଇ ଶକତି ସେ,
ପଥରେ ପଥର ହୋଇ ଯେ
         ହୋଇଲେ ନିନ୍ଦିତା ବ୍ରହ୍ମାଙ୍କ ଦୁହିତା
ଋଷି ଅଭିଶାପ ପାଇ ଯେ।୪।

ତ୍ରୈତୟା ଯୁଗରେ ଜନ୍ମି ଶ୍ରୀରାମ
        ଅଯୋଧ୍ୟା ନଗରେ ହେଲେ ପରମ,
ବିଶ୍ଵାମିତ୍ର ଋଷି ସଙ୍ଗତେ ଆସି
   ତାଡକା ରାକ୍ଷସୀକୁ ଦେଲେ ନାଶି ସେ,
ବନ ପଥେ ଯାଉଁ ଯାଉଁ ଯେ
      ରାମ ପାଦ ସ୍ପର୍ଶେ ପ୍ରାଣ ପ୍ରାପ୍ତି ହର୍ଷେ
ହେଲା ଅଲୌକିକ ତହୁଁ ଯେ।୫।

ଅହଲ୍ୟା ପାଇଲେ ଜୀବନ ଫେରି
          ଶ୍ରୀରାମେ ପ୍ରଣମି କଲେ ଗୁହାରି,
ଆଶିଷେ ତାଙ୍କର ହେଲେ ଉଦ୍ଧାର
     ଅଭିଶାପେ ହୋଇ ଥିଲେ ପଥର ସେ,
ମହାପ୍ରଭୁ କୃପା କରି ଯେ
       ମହୀ ତଳେ ଯଶ ରଖିଲେ ବିଶେଷ
ରକ୍ଷା କଲେ ସତୀ ନାରୀ ଯେ।୬।

ପଞ୍ଚ ସତୀ ମଧ୍ୟେ ଅହଲ୍ୟା ଜଣେ
           ପୁଣ୍ୟ ମିଳେ ତାଙ୍କ ନାମ ସ୍ମରଣେ,
ଯୁଗେ ଯୁଗେ ପ୍ରଭୁ ଦୟା ସାଗର
            ବିଶ୍ଵ ବ୍ରହ୍ମାଣ୍ଡର ବଡ଼ ଠାକୁର ସେ,
ଆର୍ତ୍ତତ୍ରାଣ କୃପାସିନ୍ଧୁ ଯେ
         ଆର୍ତ୍ତ ଶୁଣି ବାରେ ରଖନ୍ତି ସଂସାରେ
ହୋଇ ପିତାମାତା ବନ୍ଧୁ ଯେ।୭।

କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *