ସାରା ଦେଶରେ ଏଆଇ ସମ୍ବଳ, ଦକ୍ଷତା ଏବଂ ପ୍ରଯୁକ୍ତିର ଦ୍ରୁତ ପ୍ରସାରମୁଖ୍ୟ ବିନ୍ଦୁସୁଲଭ ମୂଲ୍ୟରେ ଏଆଇ ସୁବିଧା ଯୋଗାଇବା ପାଇଁ ୩୮,୦୦୦ ଅଧିକ ଜିପିୟୁ ଘଣ୍ଟା ପ୍ରତି ୬୫ଟଙ୍କା ଦରରେ ଉପଲବ୍ଧ
ସାରା ଦେଶରେ ଏଆଇ ସମ୍ବଳ, ଦକ୍ଷତା ଏବଂ ପ୍ରଯୁକ୍ତିର ଦ୍ରୁତ ପ୍ରସାରମୁଖ୍ୟ ବିନ୍ଦୁସୁଲଭ ମୂଲ୍ୟରେ ଏଆଇ ସୁବିଧା ଯୋଗାଇବା ପାଇଁ ୩୮,୦୦୦ ଅଧିକ ଜିପିୟୁ ଘଣ୍ଟା ପ୍ରତି ୬୫ଟଙ୍କା ଦରରେ ଉପଲବ୍ଧ।୫-ଜି ଭାରତର ୯୯.୯% ଜିଲ୍ଲାରେ ଉପଲବ୍ଧ, ଯାହା ସାରା ଦେଶରେ ଏଆଇ ଭିତ୍ତିଭୂମିକୁ ସଶକ୍ତ କରୁଛି।’ଏଆଇ କୋଷ’ ସାଧାରଣ ଜାତୀୟ ସମ୍ବଳ ଭାବରେ ୭,୫୦୦ରୁ ଅଧିକ ଡାଟାସେଟ୍ ଏବଂ ୨୭୩ଟି ମଡେଲ୍ ପ୍ରଦାନ କରୁଛି।ଭାରତର ବିକାଶ ଯାତ୍ରାରେ କୃତ୍ରିମ ବୁଦ୍ଧିମତା ବା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ଏଆଇ) ଏକ ମୁଖ୍ୟ ସ୍ତମ୍ଭ ପାଲଟିଛି। ଏହା ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରୁଛି, ସାର୍ବଜନୀନ ସେବା ପ୍ରଦାନରେ ସୁଧାର ଆଣୁଛି ଏବଂ ନାଗରିକମାନଙ୍କ ପାଖରେ ବ୍ୟାପକ ଭାବେ ପହଞ୍ଚିବା ଲାଗି ଆବଶ୍ୟକ ସମାଧାନମାନ ପ୍ରସ୍ତୁତ କରୁଛି। ମାନବ ସମାଜର ପ୍ରଗତି ସବୁବେଳେ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରଭାବିତ ହୋଇଆସିଛି। ଅତୀତରେ ଏମିତି ଅନେକ ଉଦାହରଣ ରହିଛି ଯାହାଦ୍ୱାରା ଆମ ଜୀବନରେ ପରିବର୍ତ୍ତନ ଆସିଛି। ବିଦ୍ୟୁତ ଶକ୍ତି ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟଶୈଳୀକୁ ବଦଳାଇ ଦେଇଥିଲା। କମ୍ପ୍ୟୁଟର ତଥ୍ୟ ପ୍ରକ୍ରିୟାକରଣ ପଦ୍ଧତିରେ ପରିବର୍ତ୍ତନ ଆଣିଲା। ଇଣ୍ଟରନେଟ୍ ସୀମା ବାହାରେ ଲୋକଙ୍କୁ ଏବଂ ବ୍ୟବସ୍ଥାକୁ ପରସ୍ପର ସହ ଯୋଡ଼ିଲା, ଏବଂ ମୋବାଇଲ୍ ଫୋନ୍ ପ୍ରଯୁକ୍ତିବିଦ୍ୟାକୁ ସିଧାସଳଖ ନାଗରିକଙ୍କ ହାତରେ ପହଞ୍ଚାଇଲା। ଏଆଇ ଏହି ସବୁ ମୂଳଦୁଆ ଉପରେ ଗଠିତ ଏବଂ ବର୍ତ୍ତମାନ ମଣିଷ ସହିତ ମିଶି କୃଷି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଉତ୍ପାଦନ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଶାସନ ଭଳି କ୍ଷେତ୍ରଗୁଡ଼ିକର ରୂପାନ୍ତର କରୁଛି। ଭାରତ ପାଇଁ ଏଆଇ-ର ଗଣତାନ୍ତ୍ରିକୀକରଣ ଅତ୍ୟନ୍ତ ଜରୁରୀ, ଯାହାଫଳରେ ଏହାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ସଂକଳ୍ପ ସହ ସମନ୍ୱିତ ହୋଇପାରିବ।ଏଆଇ-ର ଗଣତାନ୍ତ୍ରିକୀକରଣ କମ୍ପ୍ୟୁଟିଂ ପାୱାର, ଡାଟା ରିପୋଜିଟୋରି (ତଥ୍ୟ ଭଣ୍ଡାର) ଏବଂ ମଡେଲ୍ ଇକୋସିଷ୍ଟମର ସମାନ ଉପଲବ୍ଧତା ଉପରେ ନିର୍ଭର କରେ। ଏହି ଜିନିଷଗୁଡ଼ିକ ହିଁ ନିର୍ଦ୍ଧାରଣ କରେ ଯେ ଡିଜିଟାଲ୍ ଅର୍ଥନୀତିରେ କିଏ ନୂତନ ଉଦ୍ଭାବନ କରିପାରିବ, ପ୍ରତିଯୋଗିତା କରିପାରିବ ଏବଂ ପ୍ରଭାବଶାଳୀ ଭାବେ ଶାସନ କରିପାରିବ। ଭାରତର ବିକାଶ-ଭିତ୍ତିକ ଆଭିମୁଖ୍ୟ ଏଆଇ ରଣନୀତିର କେନ୍ଦ୍ରରେ ଗଣତାନ୍ତ୍ରିକୀକରଣକୁ ରଖିଛି, ଯାହା ବିଭିନ୍ନ ଅଞ୍ଚଳର ଷ୍ଟାର୍ଟଅପ୍, ଗବେଷକ, ସରକାରୀ ଅନୁଷ୍ଠାନ ଏବଂ ନୂତନ ଉଦ୍ଭାବକମାନଙ୍କ ଅଂଶଗ୍ରହଣକୁ ସକ୍ଷମ କରୁଛି।ଏହି ଦୂରଦୃଷ୍ଟିକୁ ଆଧାର କରି, ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ୧୬ ରୁ ୨୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ‘ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ଅନୁଷ୍ଠିତ ହୋଇଥିଲା। ଏହା ଦକ୍ଷିଣ ବିଶ୍ୱ ବା ‘ଗ୍ଲୋବାଲ୍ ସାଉଥ୍’ରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱସ୍ତରୀୟ ଏଆଇ ସମ୍ମିଳନୀ ଭାବେ ପରିଚୟ ହାସଲ କରିଛି। ବିଶ୍ୱର ପ୍ରମୁଖ ନେତା, ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା କମ୍ପାନୀ, ଉଦ୍ଭାବକ ଏବଂ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଏକ ମାନସ ମନ୍ଥନ କରିଛି। ଭବିଷ୍ୟତ ପାଇଁ କାର୍ଯ୍ୟ ନିର୍ଦ୍ଧାରଣ କରିଛି, ବର୍ତ୍ତମାନର ସମସ୍ୟାକୁ ସମାଧାନ ପାଇଁ ବାଟ କାଢ଼ିଛି। ଏଥିରେ ସମସ୍ତଙ୍କ ବିକାଶ, ପ୍ରଶାସନ ଏବଂ ସ୍ଥାୟୀ ପ୍ରଗତି ପାଇଁ ଏଆଇ-ର ରୂପାନ୍ତରଣକାରୀ ସାମର୍ଥ୍ୟ ପ୍ରଦର୍ଶନ କରାଯାଇ ଭିନ୍ନ ଭିନ୍ନ ଆଲୋଚନା ହୋଇଛି। ଏଆଇ-ର ଗଣତାନ୍ତ୍ରିକୀକରଣଏଆଇ-ର ଗଣତାନ୍ତ୍ରିକୀକରଣର ଅର୍ଥ ହେଉଛି କୃତ୍ରିମ ବୁଦ୍ଧିମତା (ଏଆଇ)କୁ ଏକ ବୃହତ ଏବଂ ବିବିଧ ବ୍ୟବହାରକାରୀଙ୍କ ପାଇଁ ସହଜଲଭ୍ୟ, ସୁଲଭ ଏବଂ ବ୍ୟବହାରଯୋଗ୍ୟ କରିବା। ଏହା କେବଳ ପ୍ରସ୍ତୁତ ଆପ୍ଲିକେସନ୍ ବ୍ୟବହାର କରିବା ମଧ୍ୟରେ ସୀମିତ ନୁହେଁ। ଏଥିରେ ଏଆଇ-ର ମୂଳ ଗଠନ ପ୍ରକ୍ରିୟା ଯଥା କମ୍ପ୍ୟୁଟିଂ ପାୱାର, ଡାଟାସେଟ୍ ଏବଂ ମଡେଲ୍ ଇକୋସିଷ୍ଟମର ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ। ଯେହେତୁ ଏହି ସମ୍ବଳଗୁଡ଼ିକ ବ୍ୟାପକ ସ୍ତରରେ ଉପଲବ୍ଧ ହେଉଛି, ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଗୁଡ଼ିକ ଏଆଇ ସାହାଯ୍ୟରେ ସେମାନଙ୍କର ସଫଳତାର ପରିସରକୁ ବିସ୍ତାର କରୁଛନ୍ତି।ଗଣତାନ୍ତ୍ରିକୀକରଣର ଅନ୍ୟ ଏକ ଦିଗ ହେଉଛି ଆର୍ଥିକ ସୁଯୋଗକୁ ବୃଦ୍ଧି କରିବା। ଭାରତର କାର୍ଯ୍ୟବଳରେ ଏହି ଗତିଶୀଳତା ପ୍ରତିଫଳିତ ହେଉଛି, ଯେଉଁଠାରେ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଇକୋସିଷ୍ଟମରେ ନିୟୋଜିତ ଅଛନ୍ତି। ଅକ୍ଟୋବର ୨୦୨୫ ରେ ପ୍ରକାଶିତ ନିତି ଆୟୋଗଙ୍କ ରିପୋର୍ଟ ‘ସମାବେଶୀ ସାମାଜିକ ବିକାଶ ପାଇଁ ଏଆଇ’ ଭାରତର ୪୯ କୋଟି ଅଣସଂଗଠିତ ଶ୍ରମିକଙ୍କୁ ସେବା, ବଜାର ଏବଂ ଆର୍ଥିକ ବ୍ୟବସ୍ଥାରେ ସୁବିଧା ପ୍ରଦାନ କରି ସଶକ୍ତ କରିବାର ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଛି। ଏହି ଆଭିମୁଖ୍ୟ ଭାରତର ପ୍ରତିଷ୍ଠିତ ଡିଜିଟାଲ୍ ଦର୍ଶନ ଉପରେ ଆଧାରିତ। ୟୁପିଆଇ ଡିଜିଟାଲ୍ ପେମେଣ୍ଟକୁ ମୁକ୍ତ ଏବଂ ସମାବେଶୀ କରିଛି। ‘ଆଧାର’ ଲୋକଙ୍କୁ ଡିଜିଟାଲ୍ ପରିଚୟ ପ୍ରଦାନ କରିବାକୁ ସକ୍ଷମ କରିଛି। ସ୍ୱଦେଶୀ ୪ ଜି ଏବଂ ୫ ଜି ବ୍ୟବସ୍ଥା ବୈଷୟିକ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିଛି। ଏଆଇ ବର୍ତ୍ତମାନ ସେହି ସମାନ ପଥ ଅନୁସରଣ କରୁଛି, ଯେଉଁଠାରେ ମୁକ୍ତତା, ସୁଲଭତା ଏବଂ ସହଜଲଭ୍ୟତା ନୂତନ ଉଦ୍ଭାବନକୁ ମାର୍ଗଦର୍ଶନ କରୁଛି ଯାହାଫଳରେ ସାମଗ୍ରିକ ଭାବେ ସମାଜର ଉନ୍ନତି ହୋଇପାରିବ।ଜନସାଧାରଣଙ୍କ ଉପରେ ପ୍ରଭାବ ପାଇଁ ଏଆଇ ଆପ୍ଲିକେସନର ଗଣତାନ୍ତ୍ରିକୀକରଣଏଆଇ ସେତେବେଳେ ମୂଲ୍ୟବାନ ହୁଏ ଯେତେବେଳେ ଏହା ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚେ। ଭାରତର ଆଭିମୁଖ୍ୟ ବିଭିନ୍ନ କ୍ଷେତ୍ରରେ ବ୍ୟବହାରିକ ନିୟୋଜନ ଉପରେ ଧ୍ୟାନ ଦେଇଥାଏ ଯେପରି ଏଆଇ ଦୈନନ୍ଦିନ ଜୀବନ ଏବଂ ସାର୍ବଜନୀନ ସେବାରେ ସୁଧାର ଆଣିପାରିବ। ଯେପରି ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ବ୍ୟାପକ ବ୍ୟବହାର ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିଥିଲେ, ଏଆଇ ବର୍ତ୍ତମାନ ସେହି ସମାନ ପଥ ଅନୁସରଣ କରୁଛି। ସହଜ ବ୍ୟବହାର ଏବଂ ସର୍ବସାଧାରଣଙ୍କ ପାଇଁ ସୁବିଧାଜନକ ଆପ୍ଲିକେସନଗୁଡ଼ିକୁ ପ୍ରାଥମିକତା ଦେଇ ଭାରତ ଏହା ସୁନିଶ୍ଚିତ କରୁଛି ଯେ ଏଆଇ ସମାବେଶୀ ଏବଂ ମାପଯୋଗ୍ୟ ପ୍ରଭାବ ପକାଉଛି।ବିଭିନ୍ନ ମୁଖ୍ୟ କ୍ଷେତ୍ରରେ, ଏଆଇ ଆପ୍ଲିକେସନଗୁଡ଼ିକ ପରିବର୍ତ୍ତନ ଆଣିବା ଆରମ୍ଭ କଲାଣି। କୃଷି କ୍ଷେତ୍ରରେ, ଏଆଇ ପାଣିପାଗ ପୂର୍ବାନୁମାନ କରିବା, ପୋକ ତଥା ରୋଗର ଆଶଙ୍କା ଚିହ୍ନଟ କରିବା ଏବଂ ଜଳସେଚନ ଓ ବିହନ ବୁଣିବା ସମ୍ବନ୍ଧୀୟ ନିଷ୍ପତ୍ତିରେ ଚାଷୀମାନଙ୍କୁ ସାହାଯ୍ୟ କରୁଛି। ‘କିଷାନ ଇ-ମିତ୍ର’ ଭଳି ପ୍ଲାଟଫର୍ମ ସରକାରୀ ଯୋଜନା ପାଇବା ସହଜ କରୁଥିବାବେଳେ ଜାତୀୟ କୀଟନାଶକ ସର୍ବେକ୍ଷଣ ବ୍ୟବସ୍ଥା ଏବଂ ଶସ୍ୟ ସ୍ୱାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥା ଉପଗ୍ରହ ଓ ପାଣିପାଗ ତଥ୍ୟ ବ୍ୟବହାର କରି ଶସ୍ୟ ସୁରକ୍ଷା ଏବଂ ଆୟ ସୁନିଶ୍ଚିତ କରୁଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଏଆଇ ରୋଗର ପ୍ରାଥମିକ ଚିହ୍ନଟରେ ସାହାଯ୍ୟ କରୁଛି, ମେଡିକାଲ୍ ଇମେଜ୍ ବିଶ୍ଳେଷଣରେ ସହାୟତା କରୁଛି ଏବଂ ଟେଲିମେଡିସିନ୍ ସେବାକୁ ସୁଦୃଢ଼ କରୁଛି, ଯାହା ଗ୍ରାମୀଣ ରୋଗୀଙ୍କୁ ବିଶେଷଜ୍ଞଙ୍କ ସହ ଯୋଡୁଛି।ଏଆଇ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଧ୍ୟ ସୁଦୃଢ଼ କରୁଛି। ଭାରତୀୟ ପାଣିପାଗ ବିଭାଗ ବର୍ଷା, କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗର ପୂର୍ବାନୁମାନ ପାଇଁ ଏଆଇ ବ୍ୟବହାର କରୁଛି। ବାତ୍ୟାର ତୀବ୍ରତା ଆକଳନ ପାଇଁ ‘Advanced Dvorak Technique’ ଭଳି ଉପକରଣ ବ୍ୟବହାର କରାଯାଉଥିବା ବେଳେ ରିଅଲ-ଟାଇମ୍ ପରାମର୍ଶ ପାଇଁ ମୌସମ ଜିପିଟି ‘MausamGPT’ ବିକଶିତ କରାଯାଉଛି। ଏହି ବ୍ୟାପକ ବ୍ୟବହାର ଭାରତର ନୂତନ ଉଦ୍ଭାବନ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଜାନୁଆରୀ ୨୦୨୬ ସୁଦ୍ଧା, ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସ୍ଥାନ ପାଇଛି, ଯେଉଁଠାରେ ୨ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଷ୍ଟାର୍ଟଅପ୍ କୌଣସି ନା କୌଣସି ରୂପରେ ଏଆଇ ଚାଳିତ ବୋଲି ଆକଳନ କରାଯାଇଛି।ଏଆଇ ଭିତ୍ତିଭୂମିର ଗଣତାନ୍ତ୍ରିକୀକରଣଏଆଇ-ର ଗଣତାନ୍ତ୍ରିକୀକରଣ ପାଇଁ ଏହାକୁ ଶକ୍ତି ଯୋଗାଉଥିବା ମୂଳ ଭିତ୍ତିଭୂମି ମୁକ୍ତ, ସୁଲଭ ଏବଂ ସହଜଲଭ୍ୟ ହେବା ଆବଶ୍ୟକ। ଭାରତର ଆଭିମୁଖ୍ୟ ଏହାର ସମ୍ପୂର୍ଣ୍ଣ ‘ଏଆଇ ଷ୍ଟାକ୍’ ଦ୍ୱାରା ପରିଚାଳିତ, ଯାହା ଆପ୍ଲିକେସନ୍, ମଡେଲ୍, କମ୍ପ୍ୟୁଟ୍, ଭିତ୍ତିଭୂମି ଏବଂ ଶକ୍ତିକୁ ଅନ୍ତର୍ଭୁକ୍ତ କରେ। ମାର୍ଚ୍ଚ ୨୦୨୪ ରେ ପାଞ୍ଚ ବର୍ଷ ପାଇଁ ୧୦,୩୭୧.୯୨ କୋଟି ଟଙ୍କାର ବ୍ୟୟ ଅଟକଳ ସହ ଅନୁମୋଦିତ ‘ଇଣ୍ଡିଆ ଏଆଇ ମିଶନ’ ଏହି ଆଭିମୁଖ୍ୟ ପାଇଁ ମୂଳଦୁଆ ପକାଉଛି।ଡାଟାସେଟ୍ ଏବଂ ମଡେଲ୍ର ଉପଲବ୍ଧିଉଚ୍ଚମାନର ଡାଟାସେଟ୍ ଏବଂ ପୁନଃବ୍ୟବହାରଯୋଗ୍ୟ ମଡେଲ୍ ଗୁଡ଼ିକ ଏଆଇ ଗଣତାନ୍ତ୍ରିକୀକରଣର ପ୍ରମୁଖ ଚାଳକ। ଜାତୀୟ ପ୍ଲାଟଫର୍ମଗୁଡ଼ିକ ଡେଭଲପରମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଭାବେ ଗଢ଼ିବା ପରିବର୍ତ୍ତେ ପୂର୍ବରୁ ପ୍ରସ୍ତୁତ ଡାଟା ଏବଂ ମଡେଲ ସମ୍ବଳ ବ୍ୟବହାର କରିବାକୁ ସକ୍ଷମ କରୁଛନ୍ତି। ଏହି ପ୍ରୟାସକୁ ସହାୟତା କରୁଛି ‘ଏଆଇ କୋଷ’। ଏହା ଏକ ଏଆଇ ଡାଟାସେଟ୍ ଏବଂ ମଡେଲ୍ ପାଇଁ ଏକ ଜାତୀୟ ପ୍ଲାଟଫର୍ମ। ବିଭିନ୍ନ ସରକାରୀ ଏବଂ ବେସରକାରୀ ଉତ୍ସରୁ ଏହା ଡାଟାସେଟ୍ ଗୁଡ଼ିକୁ ଏକତ୍ରିତ କରିଥାଏ।ଡାଟା ସହିତ ଭାରତ ନିଜର ବୃହତ ‘ବହୁମୁଖୀ ଏଆଇ’ ମଡେଲଗୁଡ଼ିକୁ ବିକଶିତ କରୁଛି ଯାହା ଭାରତୀୟ ଡାଟା ଏବଂ ଭାଷା ଉପରେ ପ୍ରଶିକ୍ଷିତ। ଇଣ୍ଡିଆ ଏଆଇ ମିଶନ ଅଧୀନରେ ୫୦୦ ରୁ ଅଧିକ ପ୍ରସ୍ତାବ ମିଳିଥିଲା ଏବଂ ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୨ଟି ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏଥିମଧ୍ୟରେ ସର୍ବମ୍ ଏଆଇ, ସକେଟ ଏଆଇ, ଜ୍ଞାନୀ ଏଆଇ, ଗାନ ଏଆଇ, ଅବତାର ଏଆଇ, ଆଇଆଇଟି ବମ୍ବେ ଦ୍ୱାରା ପରିଚାଳିତ ଭାରତ ଜେନ, ଜେନ୍ଟେକ୍, ଜେନ୍ ଲୁପ୍, ଇଣ୍ଟେଲି ହେଲଥ, ଶୋଧ ଏଆଇ, ଫ୍ରାକ୍ଟାଲ୍ ଆନାଲିଟିକ୍ସ ଏବଂ ଟେକ ମହିନ୍ଦ୍ରା ଲାବ ଅନ୍ତର୍ଭୁକ୍ତ।କମ୍ପ୍ୟୁଟ୍ର ପହଞ୍ଚକମ୍ପ୍ୟୁଟିଂ ପାୱାର ବା କମ୍ପ୍ୟୁଟ୍ ସୁବିଧା ସୀମିତ ଥିବାରୁ ପୂର୍ବରୁ ଏଆଇ ବିକାଶ କେବଳ କିଛି ବଡ଼ ଅନୁଷ୍ଠାନ ମଧ୍ୟରେ ସୀମିତ ଥିଲା। ଏହି ବାଧାକୁ ଦୂର କରିବା ପାଇଁ ସବସିଡିଯୁକ୍ତ ଏବଂ ସାଧାରଣ କମ୍ପ୍ୟୁଟ୍ ସମ୍ବଳ ଯୋଗାଇ ଦିଆଯାଉଛି। ଇଣ୍ଡିଆ ଏଆଇ ମିଶନ ଅଧୀନରେ ୩୮,୦୦୦ ରୁ ଅଧିକ ହାଇ-ଏଣ୍ଡ ଜିପିୟୁ ଉପଲବ୍ଧ କରାଯାଇଛି, ଯାହାର ମୂଲ୍ୟ ଘଣ୍ଟା ପ୍ରତି ୬୫ ଟଙ୍କା, ଯାହା ବିଶ୍ୱର ହାରାହାରି ମୂଲ୍ୟର ପ୍ରାୟ ଏକ ତୃତୀୟାଂଶ। ଏହା ସହିତ ୧,୦୫୦ ଟିପିୟୁ ମଧ୍ୟ ଯୋଡ଼ାଯାଇଛି।ରାଜୀୟ ସୁପରକମ୍ପ୍ୟୁଟିଂ ମିଶନ ମାଧ୍ୟମରେ ମଧ୍ୟ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ସୁବିଧା ପ୍ରଦାନ କରାଯାଉଛି। ୪୦ ପେଟାଫ୍ଳପ୍ ରୁ ଅଧିକ କ୍ଷମତା ଆଇଆଇଟି, ଆଇଜର ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକରେ ସ୍ଥାପନ କରାଯାଇଛି। ପରମ ସିଧି-ଏଆଇ ଏବଂ ଏଆଇ ରାଓ୍ୱତ ଭଳି ସିଷ୍ଟମ୍ ଭାଷା ପ୍ରକ୍ରିୟାକରଣ, ପାଣିପାଗ ପୂର୍ବାନୁମାନ ଏବଂ ଔଷଧ ଆବିଷ୍କାର ପାଇଁ ବ୍ୟବହୃତ ହେଉଛି।ଚିପ୍ ଏବଂ ସେମିକଣ୍ଡକ୍ଟର କ୍ଷମତାକମ୍ପ୍ୟୁଟ୍ର ଦୀର୍ଘକାଳୀନ ଗଣତାନ୍ତ୍ରିକୀକରଣ ଘରୋଇ ଚିପ୍ ନିର୍ମାଣ କ୍ଷମତା ଉପରେ ନିର୍ଭର କରେ। ଭାରତ ବାହ୍ୟ ଯୋଗାଣ ଶୃଙ୍ଖଳା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରୁଛି। ୭୬,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ ‘ଭାରତ ସେମିକଣ୍ଡକ୍ଟର ମିଶନ’ ଉତ୍ପାଦନ, ଡିଜାଇନ୍ ଏବଂ ପ୍ରତିଭା ବିକାଶକୁ ସହାୟତା କରୁଛି। ଡିସେମ୍ବର ୨୦୨୫ ସୁଦ୍ଧା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସହ ୧୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୨୦୩୦ ସୁଦ୍ଧା ଭାରତର ଚିପ୍ ବଜାର ୧୦୦ ରୁ ୧୧୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଇଣ୍ଡିଆ ସେମି କଣ୍ଡକ୍ଟର ମିଶନ ୨.୦ର ଘୋଷଣା ସହ ଏହି ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୧,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।ଡାଟା ସେଣ୍ଟର ଏବଂ କନେକ୍ଟିଭିଟିବ୍ୟାପକ ଏଆଇ ନିୟୋଜନ ପାଇଁ ଡାଟା ସେଣ୍ଟର ଏବଂ ଭଲ କନେକ୍ଟିଭିଟି ( ସଂଯୋଗ) ଅତ୍ୟନ୍ତ ଜରୁରୀ। ପଞ୍ଚମ ପିଢ଼ି ମୋବାଇଲ୍ ସେବା ବର୍ତ୍ତମାନ ୯୯.୯ ପ୍ରତିଶତ ଜିଲ୍ଲାରେ ଉପଲବ୍ଧ ଏବଂ ଏହା ୮୫ ପ୍ରତିଶତ ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରୁଛି। ଅକ୍ଟୋବର ୨୦୨୫ ସୁଦ୍ଧା ସାରା ଦେଶରେ ୫.୦୮ ଲକ୍ଷ ୫ ଜି ବେସ୍ ଟ୍ରାନ୍ସସିଭର ଷ୍ଟେସନ ସ୍ଥାପନ କରାଯାଇଛି। ଭାରତର କ୍ଲାଉଡ୍ ଡାଟା ସେଣ୍ଟର କ୍ଷମତା ପ୍ରାୟ ୧,୨୮୦ ମେଗାୱାଟ୍ ଅଟେ ଏବଂ ଏହା ୨୦୩୦ ସୁଦ୍ଧା ୪ ରୁ ୫ ଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଭାରତ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଡାଟା ଧାରଣ କରିଥିବା ବେଳେ ଏହାର ଡାଟା ସେଣ୍ଟର କ୍ଷମତା ବିଶ୍ୱର ମୋଟ କ୍ଷମତାର ମାତ୍ର ତିନି ପ୍ରତିଶତ। ମୁମ୍ବାଇ ଏବଂ ନଭି ମୁମ୍ବାଇ ହେଉଛି ସବୁଠାରୁ ବଡ଼ ହବ୍। ଏହା ପଛକୁ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ (୨୨%), ଦିଲ୍ଲୀ ଏନସିଆର (୧୪%), ଚେନ୍ନାଇ (୧୩%), ପୁଣେ (୬%) ଏବଂ କୋଲକାତା (୩%) ରହିଛନ୍ତି।ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତିର ଉପଲବ୍ଧତାଏଆଇ ଭିତ୍ତିଭୂମି ପାଇଁ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଆବଶ୍ୟକ। ଏଆଇ ଡାଟା ସେଣ୍ଟରଗୁଡ଼ିକରେ ବହୁତ ଶକ୍ତି ଖର୍ଚ୍ଚ ହୋଇଥାଏ, ତେଣୁ ସ୍ଥିରତା ଏବଂ ସ୍ଥାୟୀତ୍ୱ ଗୁରୁତ୍ୱପୂର୍ଣ୍ଣ। ଜୁନ୍ ୨୦୨୫ ରେ, ଭାରତ ଏହାର ୫୦ ପ୍ରତିଶତ ବିଦ୍ୟୁତ କ୍ଷମତା ଅଣ-ଜୀବାଶ୍ମ ଜାଳେଣି ଉତ୍ସରୁ ହାସଲ କରିଛି, ଯାହା ପ୍ୟାରିସ ଚୁକ୍ତି ଅନୁଯାୟୀ ଏହାର ୨୦୩୦ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ହାସଲ ହୋଇଛି। ନଭେମ୍ବର ୨୦୨୫ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା ୨୫୩.୯୬ ଗିଗାଓ୍ୱାଟରେ ପହଞ୍ଚିଛି।ପରମାଣୁ ଶକ୍ତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତର ରୂପାନ୍ତରଣ ପାଇଁ ଆଣବିକ ଶକ୍ତିର ସତତ ଉପଯୋଗ ଏବଂ ଅଗ୍ରଗତି (SHANTI) ଆଇନ ୨୦୨୫’ ର ଉଦ୍ଦେଶ୍ୟ ହେଉଛି ପରମାଣୁ କ୍ଷେତ୍ରର ଆଧୁନିକୀକରଣ ଏବଂ ସରକାରୀ-ବେସରକାରୀ ସହଭାଗିତାକୁ ପ୍ରୋତ୍ସାହନ ଦେବା। ଭାରତର ବର୍ତ୍ତମାନର ପରମାଣୁ କ୍ଷମତା ୮.୭୮ ଗିଗାଓ୍ୱାଟ ଅଟେ ଏବଂ ୨୦୩୧-୩୨ ସୁଦ୍ଧା ଏହା ୨୨.୩୮ ଗିଗାଓ୍ୱାଟକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଏଆଇ ଗଣତାନ୍ତ୍ରିକୀକରଣ ପାଇଁ ନିୟାମକ ଏବଂ ନୀତି ପରିବେଶଏଆଇ ଭିତ୍ତିଭୂମିର ଗଣତାନ୍ତ୍ରିକୀକରଣ ପାଇଁ ଏକ ସହାୟକ ନିୟାମକ ଏବଂ ନୀତିଗତ ଢାଞ୍ଚା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସରକାରୀ କ୍ଲାଉଡ୍ ଏବଂ ଡିଜିଟାଲ୍ ଭିତ୍ତିଭୂମି: ସରକାରଙ୍କ କ୍ଲାଉଡ୍ ଆବଶ୍ୟକତା ପୂରଣ ପାଇଁ ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ‘ମେଘରାଜ’ ନାମକ କ୍ଲାଉଡ୍ ପ୍ରତିଷ୍ଠା କରାଯାଇଥିଲା। ଏହା ନିରାପଦ ଏବଂ ସହଜଲଭ୍ୟ କ୍ଲାଉଡ୍ ସେବା ପ୍ରଦାନ କରେ। ଡିସେମ୍ବର ୨୦୨୫ ସୁଦ୍ଧା ୨,୧୭୦ଟି ମନ୍ତ୍ରଣାଳୟ ଏବଂ ବିଭାଗ ମେଘରାଜ ରେ ସେମାନଙ୍କର ଆପ୍ଲିକେସନ୍ ହୋଷ୍ଟ କରିଛନ୍ତି।ଡାଟା ଗଭର୍ଣ୍ଣାନ୍ସ ଏବଂ ଆଇନଗତ ସହାୟତା: ଭାରତର ଡାଟା ଗଭର୍ଣ୍ଣାନ୍ସ ଢାଞ୍ଚା ସୁରକ୍ଷା ସହିତ ମୁକ୍ତତାକୁ ସନ୍ତୁଳିତ କରିଥାଏ। ୨୦୧୭ ରେ ପ୍ରବର୍ତ୍ତିତ ‘ଭାରତରରେ ସରକାରୀ ମୁକ୍ତ ଡାଟା ଲାଇସେନ୍ସ’ ଅଣ-ସମ୍ବେଦନଶୀଳ ସାର୍ବଜନୀନ ତଥ୍ୟର ପୁନଃବ୍ୟବହାରକୁ ସକ୍ଷମ କରେ। ସେହିପରି ‘ବ୍ୟକ୍ତିଗତ ଡିଜିଟାଲ୍ ଡାଟା ସୁରକ୍ଷା ଆଇନ- ୨୦୨୩’ (ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଅଧିନିୟମ ୨୦୨୩) ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ସୁଦୃଢ଼ କରୁଛି, ଯାହା ବିଶ୍ୱାସ ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରେ।ଏହି ସମସ୍ତ ପଦକ୍ଷେପ ଏକତ୍ରିତ ଭାବେ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ସହିତ ଡାଟା ଉପଲବ୍ଧତାକୁ ବିସ୍ତାର କରୁଛି, ଯାହା ଏଆଇ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ସ୍ଥିର ପରିବେଶ ସୃଷ୍ଟି କରୁଛି। ଶିକ୍ଷା, ଦକ୍ଷତା ବିକାଶ ଏବଂ ଏଆଇ ସାକ୍ଷରତାଏଆଇ-ର ଗଣତାନ୍ତ୍ରିକୀକରଣ ପ୍ରଯୁକ୍ତିବିଦ୍ୟା ଉପରେ ଯେତିକି ନିର୍ଭର କରେ, ଲୋକମାନଙ୍କ ଉପରେ ମଧ୍ୟ ସେତିକି ନିର୍ଭର କରିଥାଏ। ଏକ ଦକ୍ଷ ଏବଂ ସୂଚିତ କାର୍ଯ୍ୟବଳ ଗଠନ କରିବା ଅତ୍ୟନ୍ତ ଜରୁରୀ ଯାହାଫଳରେ ଏଆଇ-କୁ ବୁଝିହେବ, ଏହାକୁ ଦାୟିତ୍ୱର ସହ ବ୍ୟବହାର କରାଯାଇପାରିବ ଏବଂ ପ୍ରକୃତ ସମସ୍ୟାର ସମାଧାନ ପାଇଁ ପ୍ରୟୋଗ କରାଯାଇପାରିବ। ଭାରତର ଆଭିମୁଖ୍ୟ ବିଦ୍ୟାଳୟ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚତର ଗବେଷଣା ପର୍ଯ୍ୟନ୍ତ ଶିକ୍ଷାର ପ୍ରତ୍ୟେକ ସ୍ତରରେ ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଥାଏ, ଯେପରି ଏହି ସୁଯୋଗଗୁଡ଼ିକ କେବଳ ବଡ଼ ସହର ମଧ୍ୟରେ ସୀମିତ ନ ରହି ସାରା ଦେଶରେ ପହଞ୍ଚିପାରିବ।ଉତ୍କର୍ଷ କେନ୍ଦ୍ର: ଗବେଷଣା-ଭିତ୍ତିକ ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଭଳି ପ୍ରାଥମିକତା ପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିଛନ୍ତି। କେନ୍ଦ୍ରୀୟ ବଜେଟ୍ ୨୦୨୫ ରେ ଶିକ୍ଷା ପାଇଁ ଏକ ଚତୁର୍ଥ ଉତ୍କର୍ଷ କେନ୍ଦ୍ର ଘୋଷଣା କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ଏକ ମିଳିତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରନ୍ତି ଯେଉଁଠାରେ ଶିକ୍ଷାବିତ୍, ଶିଳ୍ପ ଜଗତ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକ ମିଶି ଏଆଇ ସମାଧାନ ପ୍ରସ୍ତୁତ କରନ୍ତି। ଏହା ସହିତ, ଯୁବକମାନଙ୍କୁ ଶିଳ୍ପ-ଉପଯୋଗୀ ଏଆଇ ଦକ୍ଷତା ପ୍ରଦାନ କରିବା ପାଇଁ ପାଞ୍ଚଟି ଜାତୀୟ ଦକ୍ଷତା ବିକାଶ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। ଏଆଇ ପ୍ରସ୍ତୁତି ଲାଗି ଦକ୍ଷତା ବିକାଶ (SOAR): ଜୁଲାଇ ୨୦୨୫ ରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରଣାଳୟ ‘Skilling for AI Readiness’ (SOAR) ନାମକ ଏକ ଜାତୀୟ ଅଭିଯାନ ଆରମ୍ଭ କରିଛି, ଯାହା ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ଦୁନିଆ ପାଇଁ ପ୍ରସ୍ତୁତ କରେ। ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ୧୫ ଘଣ୍ଟିଆ ତିନୋଟି ମଡ୍ୟୁଲ୍ ଏବଂ ଶିକ୍ଷକମାନଙ୍କ ପାଇଁ ୪୫ ଘଣ୍ଟିଆ ଏକ ମଡ୍ୟୁଲ୍ ଅନ୍ତର୍ଭୁକ୍ତ, ଯେଉଁଥିରେ ଏଆଇ-ର ନୈତିକ ବ୍ୟବହାର ଏବଂ ମେସିନ୍ ଲର୍ଣ୍ଣିଂ ଭଳି ମୌଳିକ ଧାରଣା ଉପରେ ଗୁରୁତ୍ୱ ଦିଆଯାଇଛି।ବୃତ୍ତିଗତ ଏବଂ ବୈଷୟିକ ପ୍ରଶିକ୍ଷଣ: ଶିଳ୍ପକାର ତାଲିମ ଯୋଜନା ଅଧୀନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଶିଳ୍ପ ରୋବୋଟିକ୍ସ ଏବଂ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ସହିତ ୩୧ଟି ନୂତନ ଯୁଗର ପାଠ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଉଛି। ସାରା ଦେଶରେ ଥିବା ଆଇଟିଆଇ ଏବଂ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ନେଟୱର୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେଉଛି।YUVAi ମାଧ୍ୟମରେ ଯୁବ ଅଂଶଗ୍ରହଣ: ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଇ ଗଭର୍ନାନ୍ସ ଡିଭିଜନ୍, ଏହାର ସହଯୋଗୀମାନଙ୍କ ସହ ମିଶି YUVAi କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ନଭେମ୍ବର ୨୦୨୨ ରେ ଆରମ୍ଭ ହୋଇଥିବା ଏହି ଜାତୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଆଇ ଏବଂ ସାମାଜିକ ଦକ୍ଷତାରେ ସଜ୍ଜିତ କରିବା। ଏହା ଶିକ୍ଷାର୍ଥୀମାନଙ୍କୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ପରିବହନ, ଗ୍ରାମ୍ୟ ଉନ୍ନୟନ, ସ୍ମାର୍ଟ ସିଟି ଏବଂ ଆଇନ ଓ ନ୍ୟାୟ ଭଳି ଆଠଟି କ୍ଷେତ୍ରରେ ଏଆଇ ପ୍ରୟୋଗ କରିବାକୁ ସକ୍ଷମ କରେ।ସରକାରୀ ଅଧିକାରୀଙ୍କ ପାଇଁ ଏଆଇ ଦକ୍ଷତା ଢାଞ୍ଚା: ସରକାରୀ କାର୍ଯ୍ୟଶୈଳୀରେ ଏଆଇ କ୍ଷମତା ବୃଦ୍ଧି ପାଇଁ ଅଧିକାରୀମାନଙ୍କ ନିମନ୍ତେ ଏକ ଏଆଇ ପ୍ରତିଦ୍ୱନ୍ଦ୍ୱିତା ଢାଞ୍ଚା ପ୍ରଣୟନ କରାଯାଇଛି। ଏହି ଢାଞ୍ଚା ଅଧିକାରୀମାନଙ୍କୁ ଆବଶ୍ୟକୀୟ ଏଆଇ ଦକ୍ଷତା ହାସଲ କରିବା ଏବଂ ନୀତି ନିର୍ଦ୍ଧାରଣ ତଥା ପ୍ରଶାସନରେ ସେଗୁଡ଼ିକୁ ପ୍ରୟୋଗ କରିବାରେ ସାହାଯ୍ୟ କରିବା ପାଇଁ ସଂଗଠିତ ପ୍ରଶିକ୍ଷଣ ପ୍ରଦାନ କରେ।ଇଣ୍ଡିଆ ଏଆଇ ମିଶନ ଅଧୀନରେ ଉଚ୍ଚଶିକ୍ଷା ଏବଂ ଗବେଷଣା ସହାୟତା: ଇଣ୍ଡିଆ ଏଆଇ ମିଶନ ଫେଲୋସିପ୍ ଏବଂ ଭିତ୍ତିଭୂମି ମାଧ୍ୟମରେ ଉଚ୍ଚଶିକ୍ଷା ଏବଂ ଗବେଷଣାକୁ ସହାୟତା କରୁଛି। ଏଥିରେ ୫୦୦ ଜଣ ପିଏଚ୍ଡି ସ୍କଲାର, ୫୦୦୦ ସ୍ନାତକୋତ୍ତର ଏବଂ ୮୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଜୁଲାଇ ୨୦୨୫ ସୁଦ୍ଧା ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଫେଲୋସିପ୍ ପାଇଛନ୍ତି। ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକରେ ଡାଟା ଏବଂ ଏଆଇ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି। ଏନ୍ଆଇଇଏଲ୍ଇଟି ଏବଂ ଶିଳ୍ପ ସହଯୋଗୀଙ୍କ ମିଳିତ ପ୍ରୟାସରେ ୩୧ଟି ଲ୍ୟାବ୍ ଆରମ୍ଭ କରାଯାଇ ସାରିଛି ଏବଂ ଅଧିକ ଲ୍ୟାବ୍ ପାଇଁ ୧୭୪ଟି ଆଇଟିଆଇ ଓ ପଲିଟେକନିକକୁ ମନୋନୀତ କରାଯାଇଛି।ଏଆଇ ସମ୍ବଳର ଗଣତାନ୍ତ୍ରିକୀକରଣ ପାଇଁ ବିଶ୍ୱସ୍ତରୀୟ ସହଯୋଗଅନେକ ଦେଶ ପାଇଁ, ବିଶେଷ କରି ‘ଗ୍ଲୋବାଲ୍ ସାଉଥ୍’ ପାଇଁ, ଏଆଇ-ର ଗଣତାନ୍ତ୍ରିକୀକରଣ ଡାଟା, କମ୍ପ୍ୟୁଟ୍ ଏବଂ ଡିଜିଟାଲ୍ ଭିତ୍ତିଭୂମି ଭଳି ମୌଳିକ ସମ୍ବଳର ଉଚିତ ଏବଂ ସୁଲଭ ଉପଲବ୍ଧତା ଉପରେ ନିର୍ଭର କରେ। ଏହି ଆହ୍ୱାନର ସମାଧାନ ପାଇଁ ସମନ୍ୱିତ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଏଥିପାଇଁ ଏକ ମଞ୍ଚ ପ୍ରଦାନ କରିଛି, ଯେଉଁଠାରେ ୧୫ ରୁ ୨୦ ଜଣ ଶାସନ ମୁଖ୍ୟ, ୫୦ ରୁ ଅଧିକ ଆନ୍ତର୍ଜାତୀୟ ମନ୍ତ୍ରୀ ଏବଂ ୧୦୦ ରୁ ଅଧିକ ବିଶ୍ୱସ୍ତରୀୟ ଓ ଭାରତୀୟ ସିଏକ୍ସଓ ଏକତ୍ରିତ ହୋଇ ବିଭିନ୍ନ ପ୍ରସଙ୍ଗରେ ନିଜର ଅଭିଜ୍ଞ ମତ ଉପସ୍ଥାପନ କରିଛନ୍ତି। ଏହାର ଆଲୋଚନା ସାତଟି ବିଷୟବସ୍ତୁ ଉପରେ ଆଧାରିତ ‘ଚକ୍ର’ ବା କାର୍ଯ୍ୟକାରୀ ଗୋଷ୍ଠୀ ମାଧ୍ୟମରେ ସଂଗଠିତ। ଏଥିମଧ୍ୟରୁ ‘ଏଆଇ ସମ୍ପଦ କାର୍ଯ୍ୟ ଗୋଷ୍ଠୀର ଗଣତାନ୍ତ୍ରିକରଣ’ ଏକ ପ୍ରମୁଖ ପଦକ୍ଷେପ। ଭାରତ, ଇଜିପ୍ଟ ଏବଂ କେନିଆ ଏହାର ସହ-ଅଧ୍ୟକ୍ଷତା କରୁଛନ୍ତି, ଯାହା ସହଭାଗିତା ଏବଂ କ୍ଷମତା ବୃଦ୍ଧି ମାଧ୍ୟମରେ ଏକ ଅଧିକ ସମାବେଶୀ ବିଶ୍ୱସ୍ତରୀୟ ଏଆଇ ଇକୋସିଷ୍ଟମକୁ ଆଗକୁ ନେଉଛି।ଏହି କାର୍ଯ୍ୟକାରୀ ଗୋଷ୍ଠୀ ଏହା ସୁନିଶ୍ଚିତ କରିବାକୁ ଚାହେଁ ଯେ ଆବଶ୍ୟକୀୟ ଏଆଇ ସମ୍ବଳଗୁଡ଼ିକ ସହଜଲଭ୍ୟ ଏବଂ ସୁଲଭ ହେଉ, ଯାହାଫଳରେ ସମସ୍ତ ଦେଶ ସେମାନଙ୍କର ଜାତୀୟ ପ୍ରାଥମିକତା ଅନୁଯାୟୀ ଏଆଇ-ର ବିକାଶ ଏବଂ ବ୍ୟବହାରରେ ଅର୍ଥପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକାରୀ ଗୋଷ୍ଠୀର ଉଦ୍ଦେଶ୍ୟ:ଏଆଇ ସମ୍ବଳଗୁଡ଼ିକୁ ବିଶ୍ୱସ୍ତରୀୟ ସାର୍ବଜନୀନ ସମ୍ପତ୍ତି ଭାବରେ ସହଜଲଭ୍ୟ ଏବଂ ସୁଲଭ କରିବାକୁ ପ୍ରୋତ୍ସାହିତ କରିବା।ଏଆଇ ଭିତ୍ତିଭୂମି ନିର୍ମାଣ ଏବଂ ମୁକ୍ତ ନୂତନ ଉଦ୍ଭାବନ ପାଇଁ ଆନ୍ତର୍ଜାତୀୟ ସହଯୋଗକୁ ସୁଗମ କରିବା।ସ୍ଥାନୀୟ ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ କ୍ଷମତା ବୃଦ୍ଧି ଏବଂ ଜ୍ଞାନ ଆଦାନପ୍ରଦାନକୁ ସହାୟତା କରିବା।ଏଆଇ-ର ଗଣତାନ୍ତ୍ରିକୀକରଣ ପ୍ରତି ଭାରତର ଆଭିମୁଖ୍ୟ ଦର୍ଶାଏ ଯେ ବ୍ୟାପକତା, ସମାବେଶୀ ଏବଂ ନୂତନ ଉଦ୍ଭାବନ ଏକାଠି ଆଗକୁ ବଢ଼ିପାରିବ। ମୁକ୍ତ, ସୁଲଭ ଏବଂ ବିଶ୍ୱାସ ଉପରେ ଆଧାରିତ ଏଆଇ-ର ଲାଭ ଚାଷୀ, ଛାତ୍ରଛାତ୍ରୀ, ଗବେଷକ, ଷ୍ଟାର୍ଟଅପ୍ ଏବଂ ସରକାରୀ ଅନୁଷ୍ଠାନ ସମସ୍ତଙ୍କ ପାଖରେ ପହଞ୍ଚିପାରିବ। ଭାରତ ଯେତେବେଳେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬ ଆୟୋଜନ କରି, ସେତେବେଳେ ଏହା ନିଜର ଅଭିଜ୍ଞତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରୁଛି। ଆଗାମୀ ପଥ ସ୍ପଷ୍ଟ। ଏଆଇ-ର ଗଣତାନ୍ତ୍ରିକୀକରଣ କେବଳ ଏକ ସାମୟିକ ପ୍ରୟାସ ନୁହେଁ, ବରଂ ଏହା ଏକ ନିରନ୍ତର ପ୍ରତିବଦ୍ଧତା ଯାହା ସୁନିଶ୍ଚିତ କରେ ଯେ ବୈଷୟିକ ପ୍ରଗତି ସମାଜକୁ ସୁଦୃଢ଼ କରିବ, ଅସମାନତା ହ୍ରାସ କରିବ ଏବଂ ସମସ୍ତଙ୍କ ପାଇଁ ସ୍ଥାୟୀ ବିକାଶକୁ ସହାୟତା କରିବ।
