ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ
ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ରାଧା ପାଦ ଦର୍ଶନ ପାଇଁ , ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଭିଆଇପି ପାସ୍ ବ୍ୟବସ୍ଥା କୁ ନେଇ ଅସନ୍ତୋଷ ୧୦/୧୧କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ସାକ୍ଷୀଗୋପାଳ ମନ୍ଦିର ରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡିଆଣୀ ଵେଶ ଦର୍ଶନ ସୁଯୋଗ ମିଳିଛି । ପୂର୍ବ ରାତି ୧ ଟାରୁ ଦ୍ବାର ଉନ୍ମୋଚନ କରାଯାଇ ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଠାକୁରଙ୍କ ନଟବର ବେଶ ଏବଂ ଶ୍ରୀରାଧା ଓଡ଼ିଆଣୀ ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳଧୁପ, ବାଳଧୁପ ଏବଂ ଆଳତି ପରେ ଭୋର ୪ ଠାରୁ ସେବାୟତ ପରିବାର ପ୍ରଥମେ ଦର୍ଶନ କରିଥିଲେ। ମନ୍ଦିର ସମ୍ମୁଖରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ ମାନେ ୪ ଘଣ୍ଟା ରୁ ଅଧିକ ସମୟ ଠିଆହୋଇ ରାଧା ପାଦ ଦର୍ଶନ କରୁଥିବା ଦେଖାଯାଇଛି। ସେପଟେ ମନ୍ଦିର ପଛପଟେ ଭିଆଇପି ଦର୍ଶନ ପାଇଁ ଠେଲାପେଲା ଯୋଗୁ ସେଠାରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଉପସ୍ଥିତ ରହି ଯାତ୍ରା ପରିଚାଳନା ଅନୁଧ୍ୟାନ କରୁଛନ୍ତି। ପୁରୀ ଏସପି ଆଇନ ଶୃଙ୍ଖଳା, ଟ୍ରାଫିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହିଛନ୍ତି।

ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଉଚ୍ଚ ଅଧିକାରୀ, ବିଚାରପତି ଠାକୁରଙ୍କ ଦର୍ଶନ କରି ଆଶିଷ ନେଇଥିଲେ। ମନ୍ଦିର ବେଢା ପରିକ୍ରମା ଓ ଅଁଳା ବୃକ୍ଷ କୁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଛନ୍ତି।ବର୍ଷସାରା ଉତରଭାରତ ନାରୀ ସଦୃଶ ବେଶ ଧାରଣ କରୁଥିବା ବେଳେ ପୂର୍ବକାଳରେ ଓଡ଼ିଆ ଘର ବୋହୁ ମାନେ ପରିଧାନ କରୁଥିବା ଭଳି ପାଟଶାଢି କାଣିଆକଚ୍ଛା ମାରି ଶ୍ରୀରାଧା ପିନ୍ଧିଛନ୍ତି। ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମଧ୍ୟରେ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ର ହାର ଶିକୁଳି, ବେଙ୍ଗପାଟିଆ, ତାଵିଜ, ଅଁଳାମାଳ, ପୋହଳାମାଳ, ଚାପସରୀ, ପଣସକଣ୍ଟା ଖଡୁ, ଵାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୁରଵସା ଗୁଣା, ନୁଥ, ସେଵତିହାର, ପୋହଳାହାର, ଡେଉଁରିଆ ମାଳ, କିରିଟି ଆଦି ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୁଵ, ଅରୁଆ ଚାଉଳ ସହିତ କଜଳ, ସିନ୍ଦୁର, ଅଳତା ଓ ଚନ୍ଦନପାଟି ଲାଗି କରାଯାଇଛି। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣ ରେ ନୃତ୍ୟରତ ଭଙ୍ଗିରେ ଶୋଭା ପାଉଛନ୍ତି। ପୁରୀ ଜିଲ୍ଲାର ୨ୟ ବୃହତମ ଗଣପର୍ଵ ମାନ୍ୟତା ଲଭିଥିଵା ଅଁଳାନବମୀରେ ମନ୍ଦିର ରଙ୍ଗ, ଫୁଲମାଳ ଓ ସୁନ୍ଦର ଆଲୋକ ସଜ୍ଜା ହୋଇଛି। ସାକ୍ଷୀଗୋପାଳ ବଜାର ଠାରୁ ପଞ୍ଚସଖା ପଡିଆ ପର୍ଯ୍ୟନ୍ତ ଉଜ୍ବଳ ଆଲୋକମାଳାରେ ଝଲସୁଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଟ, ଯାନବାହନ ନିୟନ୍ତ୍ରଣ ଠାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଏବଂ ବିଡ଼ିଓ ଲିପ୍ସା ରାୟ ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଛନ୍ତି। ମେଳା ପଡିଆରେ ମିଶନଶକ୍ତି, ହସ୍ତଶିଳ୍ପ ଷ୍ଟଲ ଖୋଲାଯାଇଛି। ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା ଆଇଆଇସି ଉମେଶ କୁମାର ସାହୁ କହିଛନ୍ତି।
