ଅମୃତ ଡାଏରୀ ପରିଦର୍ଶନ
ପ୍ରମୁଖ ସଚିବଙ୍କ ବୟନଗ୍ରାମ ଓ ଅମୃତ ଡାଏରୀ ପରିଦର୍ଶନ।
ରଘୁନାଥପୁର:-୩୦/୭()ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗୃହନିର୍ମାଣ ନଗର ଉନ୍ନୟନ,ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ବୁଧବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଇପୁର ସ୍ଥିତ ବୟନ ଗ୍ରାମ ଓ ପୂରଣ ଓଡ଼ପଡ଼ା ଅମୃତ ଡାଏରୀ ପରିଦର୍ଶନରେ ଆସି ଫେରିଛନ୍ତି।ବୟନ ଗ୍ରାମରେ ବୁଣାକାର ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଶାଢୀ,ସାଲ, ଓଢଣି ଓ ଅନ୍ୟାନ୍ୟ ସାମଗ୍ରୀ ଦେଖି ତାରିଫ କରିବା ସହ ସେମାନଙ୍କ ଅଧିକ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ଏହାଛଡା ମହିଳାଙ୍କ ବୁଣିବା ପ୍ରଣାଳୀ ଦେଖିବା ସହ ଏହାର ମାର୍କେଟିଙ୍ଗି ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରସ୍ତୁତ ସାମଗ୍ରୀର ବର୍ତ୍ତମାନ ଥିବା ଦର ଠାରୁ ୨୦ ପ୍ରତିଶତ ଅଧିକ ଦରରେ ବିକ୍ରୀ କରାଗଲେ ବୁଣାକାର ମହିଳାମାନେ ଅଧିକ ରୋଜଗାର ପ୍ରାପ୍ତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ।ମହିଳାମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଅଧିକ ତାଲିମ ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ସ୍ଵତନ୍ତ୍ର ବ୍ରାଣ୍ଡ ପାଇଁ ଉପସ୍ଥିତ ଓରମାସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।କୋଟପଡା,ମାଣିଆ ବନ୍ଧ ପରି ଜଗତସିଂହପୁର ବ୍ରାଣ୍ଡର ହସ୍ତତନ୍ତ ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ସାରା ରାଜ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁ ବୋଲି ପ୍ରମୁଖ ସଚିବ ପାଢୀ ପ୍ରକାଶ କରିଥିଲେ।ଏହାଛଡା ବୟନ ଗ୍ରାମରେ ସୋଲାର ଇନଭୋଟର ସିଷ୍ଟମ ସହ ଉତ୍ତମ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଜେ ସୋନାଲଙ୍କ ସହ ଆଲୋଚନା କରିଥିଲେ।ଏଥିପାଇଁ ଓରମାସ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ପାଢୀ ନିର୍ଦେଶ ଦେଇଥିଲେ।ଏହି ଅବସରରେ ସେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ କେନ୍ଦ୍ର ଓ କାଫେ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।ହସ୍ତତନ୍ତ ଯୁଗ୍ମ ନିର୍ଦେଶକ ଆଶୁତୋଷ ମହାନ୍ତି ବୟନ ଗ୍ରାମର ବିଭିନ୍ନ ପ୍ରକାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ପ୍ରମୁଖ ସଚିବ ପାଢୀଙ୍କୁ ଅବଗତ କରିଥିଲେ।ସେହିପରି ଓରମାସ ଡେପୁଟି ସିଓ ଆଶିଷ ରାଉଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ଦାସ ଅନଲାଇନ ମାର୍କେଟିଙ୍ଗି ଜରିଆରେ କିପରି ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ହେଉଛି ସେ ସମ୍ପର୍କରେ ତଥ୍ୟ ରଖିଥିଲେ।ପ୍ରଥମେ ପ୍ରମୁଖ ସଚିବ ପାଢୀ ପୂରଣ ଓଡ଼ପଡ଼ା ସ୍ଥିତ ଅମୃତ ଡାଏରୀରେ ପହଞ୍ଚି ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଘିଅ ଓ ପେଡାର ଚାହିଦା ସମ୍ପର୍କରେ ବୁଝିଥିଲେ।ପ୍ରସ୍ତୁତ ସାମଗ୍ରୀର ଉତ୍ପାଦନ ବଢାଇ ଅଧିକ ରୋଜଗାର କ୍ଷମ ହେବାପାଇଁ ପରାମର୍ଶ ଦେଇଥିଲେ।ଏହି ଗ୍ରସ୍ତ ସମୟରେ ଏଡିଏମ ସମ୍ବିତ ରାଉତ,ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲ୍ଲାପରିଷଦ ରବିନାରାୟଣ ଯେଠି,ଡିପିସି ମୋନାଲିସା ଭଞ୍ଜ,ଡିପିଏମ ସୌମ୍ୟରଞ୍ଜନ ବିଶ୍ବାଳ,ରଘୁନାଥପୁର ବିଡିଓ ବିରଞ୍ଚି ନାରାୟଣ ବେହେରା, ବିପିସି ଶଶାଙ୍କ ଶେଖର ସ୍ବାଇଁ ଓ ବିପିଏମ ଲିପିକା ଷଡଙ୍ଗୀଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।
