ଅଁଳା ନବମୀ

  🖊କବିରତ୍ନ ନୂତନ କୁମାର ବେହେରା

ଓଡିଆ ସଂସ୍କୃତି ପରମ୍ପରା
            ପୁରଣ ଶାସ୍ତ୍ରେ ଅଛି ବର୍ଣ୍ଣିତ,
ପୁନେଇଁ ପରବ ବ୍ରତ ଉଷା
         ନୀତି ନିୟମେ ହୁଏ ପାଳିତ।
କାର୍ତ୍ତିକ ଶୁକ୍ଳ ନବମୀ ତଥି
           ଅଟେ ପବିତ୍ର ଅଁଳା ନବମୀ,
ଶ୍ରୀରାଧାଙ୍କ ଶ୍ରୀପଦ ଦର୍ଶନେ
        ସୁଖ ମିଳେ ଦୁଃଖ ଯାଏ କମି।
ଓଡ଼ିଆଣୀ ବେଶେ ରାଧାରାଣୀ
         ଅଳଙ୍କାରେ ହୋଇ ବିଭୂଷିତା,
ଦିଅନ୍ତି ସେ ନାରୀଙ୍କୁ ପ୍ରେରଣା
         ହେବାକୁ ସୁଗୁଣେ ପତିବ୍ରତା।
ନାରୀ ଆଦର୍ଶ କର୍ତ୍ତବ୍ୟ ନିଷ୍ଠା
           ପରିବାରର ଶାନ୍ତି ସନ୍ତୋଷ,
ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି
        ତାର ପ୍ରତୀକ ଭାବେ ପ୍ରକାଶ।
ଉଦ୍ଭିଦ ଜଗତେ ଅଁଳା ବୃକ୍ଷ
            ବେଲ ତୁଳସୀ ପରି ପବିତ୍ର,
ବ୍ରହ୍ମାଙ୍କ ଅଶ୍ରୁରୁ ହୋଇ ସୃଷ୍ଟି
           ଔଷଧି ରୂପେ ମାନବ ମିତ୍ର।
ଏ ଦିବସେ ତା’ ପୂଜା ଅର୍ଚ୍ଚନା
            କଲେ ପ୍ରାପ୍ତ ହୁଏ ସୁସନ୍ତାନ,
ବୃକ୍ଷଲତାର ସୁରକ୍ଷା ଯତ୍ନ
           ଗଢେ ସୁସ୍ଥ ସୁନ୍ଦର ଜୀବନ।
ପରମ୍ପରା ମଧ୍ୟେ ଛପି ଅଛି
            ଏ ଜଗତ କଲ୍ୟାଣର ମାର୍ଗ,
ପାଳି ତାକୁ ହେଲେ ନିଷ୍ଠାବାନ
            ବସୁନ୍ଧରା ହୋଇଯିବ ସ୍ଵର୍ଗ।
ଅଁଳା ନବମୀର ବିଷେଶତ୍ଵ
             ଶାସ୍ତ୍ରରେ ରହିଛି ବହୁମତ,
ଏ ସଂସାରର ମଙ୍ଗଳ ପାଇଁ
          ମହତ ଜନେ ପାଳନ୍ତି ବ୍ରତ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
      ନବସୃଜନ ଇ-ପତ୍ରିକା 

     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *