ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର ବାର୍ଷିକ ଉତ୍ସବ ପାଳିତ

ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ଷେତ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶା ପରିବାର ନିର୍ଦ୍ଦେଶାଳୟ ସମନ୍ୱୟରେ ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର ନବମ ବାର୍ଷିକ ଉତ୍ସବ ‘ଝଙ୍କାର’ ପାଳନ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରବାସୀ ଓଡ଼ିଆ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଦ୍ୱାରା ଦେଶ ତଥା ଓଡ଼ିଶାର ଗୌରବ ବୃଦ୍ଧି କରୁଛନ୍ତି । ଓଡିଶାରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ଉପସାଗରୀୟ ରାଷ୍ଟ୍ର ଗୁଡିକ ସହ ବାଣିଜ୍ୟ ଓ ପର୍ଯ୍ୟଟନ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ । ଓଡିଶା ଆଜି ବିକାଶର ବିଭିନ୍ନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସଶକ୍ତ ଓଡିଶା ଗଠନରେ ଯୋଗଦାନ ଓ ରାଜ୍ୟର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ନିମନ୍ତେ ଆଗେଇ ଆସିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣେଇଥିଲେ ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ ଭାରତ ଏବଂ ୟୁଏଇ ମଧ୍ୟରେ ପାରସ୍ପରିକ ତଥା ଦ୍ୱିପାକ୍ଷିକ ସଂପର୍କ ଅତ୍ୟନ୍ତ ପୁରୁଣା ଓ ଘନିଷ୍ଠ । ଏଠାରେ ରହୁଥିବା ପ୍ରାୟ ୩୫ ଲକ୍ଷ ପ୍ରବାସୀ ଭାରତୀୟ ଆମ ଦେଶର ବିକାଶ କ୍ଷେତ୍ରରେ ଯୋଗଦାନ କରୁଥିବାବେଳେ ଆମ ରାଜ୍ୟ ଓଡ଼ିଶାର ପ୍ରଗତି ଦିଗରେ ପ୍ରବାସୀ ଓଡ଼ିଆମାନଙ୍କ ଭୂମିକା କିଛି କମ୍‌ ନୁହେଁ । ଓଡ଼ିଶାରୁ ଗଲ୍‌ଫ ଦେଶକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ପ୍ରବାସୀ ଓଡ଼ିଆମାନଙ୍କ ମାତୃଭୂମି ସହ ସଂପର୍କ ଆହୁରି ମଜବୁତ ହୋଇଛି ।

ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସହ ପ୍ରବାସୀ ଓଡିଆ ମାନଙ୍କ ସମ୍ପର୍କ ଦୃଢ଼ ଥିବା କହିଥିଲେ । ବିଦେଶରେ ରହି ମଧ୍ୟ ଓଡ଼ିଶାର ଭାଷା ଓ ପରମ୍ପରାର ମୌଳିକତାକୁ ନିଜ ନିଜ ମଧ୍ୟରେ ଅକ୍ଷୁର୍ଣ୍ଣ ରଖିଥିବା ସେ କହିଥିଲେ । ପ୍ରାୟତଃ ୨୦୦୦ ବର୍ଷରୁ ଊର୍ଦ୍ଧ୍ଵ ପୁରାତନ ଆମର ଭାଷା ଅତ୍ୟନ୍ତ ସୁମଧୁର ଓ ସଂସ୍କୃତି ସମ୍ପନ୍ନ ଅଟେ । ଆମ ଭାଷା ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଅଛି । ଓଡ଼ିଶାର ସମସ୍ତ ଖବରକାଗଜ ଓ ପତ୍ରିକା ଏବେ ଅନଲାଇନରେ ଉପଲବ୍ଧ ହେଉଅଛି । ଏହା ସହିତ ଓଡ଼ିଶା ଭିର୍ଚୁଆଲ ଏକାଡେମୀ ଦ୍ଵାରା ଅନେକ ପୁରାତନ ଓ ଦୁର୍ଲଭ ଗ୍ରନ୍ଥଗୁଡିକର ଆଭାସୀକରଣ କରାଯାଇ ଅନଲାଇନରେ ଉପଲବ୍ଧ ଅଛି । ଓଡ଼ିଶାର ପ୍ରାଚୀନ ଗ୍ରନ୍ଥ ଶ୍ରୀ ଜଗନ୍ନାଥ ଦାଶଙ୍କ ରଚିତ ଭାଗବତ ଏବଂ ଅନଲାଇନରେ ଉପଲବ୍ଧ ଥିବା ଖବରକାଗଜ ଓ ପତ୍ରିକାକୁ ମଧ୍ୟ ପଢିବା ପାଇଁ ଶ୍ରୀ ସାହୁ ପ୍ରବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପରଠାରୁ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା ପୂର୍ବକ ସେମାନଙ୍କ ଅସମୟ ତଥା ସୁଖଦୁଃଖରେ ରାଜ୍ୟ ସରକାର ଠିଆ ହୋଇ ସମସ୍ତ ସହଯୋଗ ଯାରି ରଖିଛନ୍ତି । ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତର ପ୍ରଚାର ପ୍ରସାର ଦିଗରେ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ ମିଶନ ଶ୍ରୀ ଏ. ଅମରନାଥ, କାଉନସିଲର ଡଃ ବାଲାଜୀ ରାମାସ୍ୱାମୀ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷା ଡଃ ଶିଳ୍ପୀ ସାହୁ, ଅଜମାନ ବିଶ୍ୱବିଦ୍ୟାଳୟ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଦେବବ୍ରତ ପାଣିଗ୍ରାହୀ, ଓଡିଶା ସଂଗୀତ ନାଟକ ସମ୍ପାଦକ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରବାସୀ ଓଡ଼ିଆ ସମାଜର ଅଧ୍ୟକ୍ଷା ମୌସୁମୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପ୍ରବାସୀ ଓଡ଼ିଆ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଓଡିଶାରୁ ଶାସ୍ତ୍ରୀୟ, ଲୋକନୃତ୍ୟ ଶିଳ୍ପୀଙ୍କ ସହ କଣ୍ଠଶିଳ୍ପୀ ଓ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *