ଗୁହାଳପୁର ସ୍କୁଲରେ ବାର୍ଷିକ ଉତ୍ସବ

କାକଟପୁର,୦୯.୦୪ କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ନୁଆଗାଁ ରେ ଅବସ୍ଥିତ ଗୁହାଳପୁର ସରକାରୀ ପ୍ରାଥମିକ ସ୍କୁଲରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସେଣ, ଅବସରପ୍ରାପ୍ତ ଶିକ୍ଷାବିତ୍ ହରେକୃଷ୍ଣ ମହାନ୍ତି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ମହାନ୍ତି, କାଳନ୍ଦି ନାୟକ, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣଲତା ତ୍ରୀପାଠୀ, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ପଙ୍କଜିନି ଦେଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଟାଧାରୀ ଦାସ, ନାଏବ ସରପଞ୍ଚ ଟୁଲୁ ମହାନ୍ତି, ନୁଆଗାଁ ୱାର୍ଡ ସଭ୍ୟା ସୁମିତ୍ରା ମଲ୍ଲିକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାସ କୁମାର ନାୟକ ପ୍ରମୁଖ ଯୋଗ ଦେଇ କୁନା କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିବା ସହ ସ୍କୁଲର କୃତିତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଖେଳ ପଡିଆ, ଓ ପ୍ରାଚୀର ନିର୍ମାଣ ପାଇଁ ଦାବି ଜଣାଇଥିଲେ। ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହ ଉତ୍ତମ ବ୍ୟବହାର,ଶୃଙ୍ଖଳା ରକ୍ଷା, କଳା, ସଂସ୍କୃତି ଓ ପରମ୍ପରା ପ୍ରତି ଆଦର କରି ଉତ୍ତମ ମଣିଷ ହେବାପାଇଁ ଅତିଥି ମାନେ ନିଜର ମତପୋଷଣ କରିଥିଲେ। ଶିକ୍ଷୟତ୍ରୀ ଶିବାନୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ କମିଟିର ସଭ୍ୟ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣଲତା ତ୍ରୀପାଠୀ ଘରର ଅଦରକାରୀ ବସ୍ତୁକୁ ନଫିଙ୍ଗି କିପରି ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଖେଳନା ପ୍ରସ୍ତୁତ କରିହେବ ତାହା ଉପରେ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନାଧର୍ମୀ ନାଟିକା ଓ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ଯାହାକୁ ଅଭିଭାବକ ଓ ଗ୍ରାମବାସୀ ମାନେ ବେଶ୍ ଆନନ୍ଦରେ ଉପଭୋଗ କରିବା ସହିତ ପିଲାଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *