କୃଷ୍ଣପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
କୃଷ୍ଣପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଚିକିଟି,15/3 ( ):ରେ ଚିକିଟି ବ୍ଳକ୍ ଅନ୍ତର୍ଗତ କୃଷ୍ଣପୁର ଗ୍ରାମ ଅଧିନସ୍ଥ ପିଏମ୍ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମନୋଜ୍ଞ ଓ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶିକ୍ଷାବର୍ଷ ୨୦୨୫-୨୬ ର ବାର୍ଷିକ ଉତ୍ସବ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ଅଭିଭାବକ ମଣ୍ଡଳୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ସାଂସଦ ପ୍ରତିନିଧି ଶ୍ରୀମତୀ ମିନା ଦ୍ୟାନସାମନ୍ତରା ଯୋଗଦାନ ପୂର୍ବକ ସମସ୍ତ ଶିଶୁଙ୍କୁ ନିଜର ଅଧ୍ୟବସାୟ, ସ୍ୱାଧ୍ୟାୟ ଫଳରେ ଯେକୌଣସି କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଅନେକ ଉଦାହରଣ ଦେଇଥିଲେ। ବିଶେଷ କରି ମୋବାଇଲ ଓ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ଭଲ ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ମେଳରେ ରହି ନିଜ ଜୀବନକୁ ସାର୍ଥକ କରିବା ପାଇଁ ଉପଦେଶ ଦେଇଥିଲେ।

ବାଳିକା ମାନଙ୍କ ଶିକ୍ଷା ପ୍ରତି ଅଧିକ ସଚେତନ ହେବାକୁ, ସେମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ପିତାମାତା ଙ୍କୁ ଆଗ୍ରହ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନର ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁଖ୍ୟ ବକ୍ତା ଭାବେ ଆସନ ଅଳଙ୍କୃତ କରିବା ସହ ଜ୍ଞାନର ଗାରିମା ସଂପର୍କରେ ଶ୍ରୀମଦ୍ଭାଗବତ ଗୀତାର କିଛି ଶ୍ଳୋକ ମାଧ୍ୟମରେ ପିଲାମାନଙ୍କୁ ଉପଦେଶ ଦେଇ କହିଥିଲେ ଜ୍ଞାନ ଠାରୁ ପବିତ୍ର ଆଉ କିଛି ଏହି ସଂସାର ରେ ନାହିଁ। ଏହି ଜ୍ଞାନ କେବଳ ଶ୍ରଦ୍ଧା ଓ ଇନ୍ଦ୍ରିୟ ମନ କୁ ଜୟ କରିବା ଦ୍ବାରା ହିଁ ସମ୍ଭବ। ଏଣୁ ଶ୍ରଦ୍ଧାର ସହ ଗୁରୁ , ଗୁରୁଜନ ମାନଙ୍କ ଠାରୁ ମନ ଦେଇ ଜ୍ଞାନ ଆହରଣ କରିବା ପାଇଁ ଉପଦେଶ ଦେଇଥିଲେ। ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପନ୍ନଗ ଭୂଷଣ ମାଝୀ ଶିଶୁର ଶିକ୍ଷା ସହ ସଂସ୍କାର ରହିବା ଜରୁରୀ। ଏହି କଥାକୁ ସେ ଚୁମ୍ବକୀୟ କ୍ଷେତ୍ର କୁ ନେଇ ଖୁବ୍ ସୁନ୍ଦର ଭାବରେ ବୁଝାଇଥିଲେ। ଜୀବନର ୩ଜଣ ଶ୍ରେଷ୍ଠ ଗୁରୁଙ୍କୁ ପ୍ରଣାମ କରି ସେମାନଙ୍କ ଠାରୁ ଆମେ କିପରି ଅଦୃଶ୍ୟ ଶକ୍ତି ହାସଲ କରି ଆମ ଜୀବନର ସମସ୍ତ ବାଧାବିଘ୍ନ ଦୂର କରି ସଫଳତା ହାସଲ କରିବା ତଥା ସମସ୍ତ ସୁଗୁଣର ଅଧିକାରୀ ହୋଇ ପାରିବା କହିଥିଲେ। ଚିକିଟି ଆର୍. ଆର୍. ବି. ପି ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ମହାନ୍ତି ଶିଶୁଙ୍କୁ ଜନ୍ମମାଟିର ଟେକ୍ ରଖିବା ପାଇଁ ଶିକ୍ଷା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ପିଲାମାନଙ୍କୁ ଅଙ୍ଗୁର କୋଳି ଗଳ୍ପ ମାଧ୍ୟମରେ ଉପସ୍ଥାପନ କରିଥିଲେ। ତତ୍ ସହ ଗାଁ ମାଟି ର ମହକ ଉପରେ ନିଜର କବିତା ଆବୃତ୍ତି ମାଧ୍ୟମରେ ସମସ୍ତଙ୍କ ମନ ଆକୃଷ୍ଟ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବି . ଆର୍. ସି. ସି ତ୍ରିନାଥ ମଳିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମେଘନାଦ ବେହେରା, ନାୟକ ସେଠୀ , କୃଷ୍ଣପୁର ଗ୍ରାମ ନିବାସୀ ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, କେ ନୂଆଗାଁ ସରପଞ୍ଚ ମହେନ୍ଦ୍ର କୁମାର ପ୍ରଧାନ , ସମିତି ସଭ୍ୟା ମାଳତୀ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ପ୍ରଧାନ, ଆଞ୍ଚଳିକ ସାଧନ ସଂଯୋଗ ଅଧିକାରୀ ନାରାୟଣ ପ୍ରଧାନ ଯୋଗଦାନ ପୂର୍ବକ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ। ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ଅକ୍ଷୟ କୁମାର ସାହୁ ଉପସ୍ଥାପନ କରିଥିଲେ। ପ୍ରଧାନଶିକ୍ଷକ ଏମ୍. ଗୋପାଳ ବାର୍ଷିକ ବିବରଣୀ ପାଠ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାକୁ ଉପସ୍ଥାପନ କରିଥିଲେ। ମଞ୍ଚ ପରିଚାଳନା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଜୁରପ୍ରସାଦ ଗୌଡ଼, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଶ୍ରୀମତୀ ସରିତା ସାହୁ, ଶ୍ରୀମତୀ ଟି. ସନ୍ଧ୍ୟା ରାଣୀ, ଶ୍ରୀମତୀ ଜମୁନା ଦେବୀ , ଶ୍ରୀମତୀ ସାହୁ ଆରତୀ , ଶ୍ରୀମତୀ ସୁବାସିନୀ ପଟ୍ଟନାୟକ,ବିଶ୍ଵନାଥ ପ୍ରଧାନ, ପ୍ରିୟଙ୍କା ପ୍ରଧାନ, ଶିବାନୀ ବିଷୋୟୀ ପରିଚାଳନା କରିଥିଲେ। ଭାରତୀୟ ଓ ଓଡ଼ିଶାର କଳା ସଂସ୍କୃତିକୁ ଆଧାର କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଏକ ଚିତ୍ର କଳା ପ୍ରଦର୍ଶନୀ ର ଆୟୋଜନ ବିଦ୍ୟାଳୟର ଶ୍ରୀମତୀ ଜମୁନା ଦେବୀ, ଶ୍ରୀମତୀ ସରିତା ସାହୁ, ଶ୍ରୀମତୀ ଟି. ସନ୍ଧ୍ୟା ରାଣୀ, ଶ୍ରୀମତୀ ସାହୁ ଆରତୀ, ପ୍ରିୟଙ୍କା ପ୍ରଧାନ, ଶିବାନୀ ବିଷୋୟୀ ଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ମା ଗଙ୍ଗା ଦେବୀ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ ଦେବପ୍ରସାଦ ପାଢ଼ୀ , ଶିକ୍ଷକ ପ୍ରତାପଚନ୍ଦ୍ର ସାହୁ, ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ରାଉଳ ,ସହଯୋଗୀ ସନାତନ ପ୍ରଧାନ , ଖଲି ଗୌଡଙ୍କ ତତ୍ତ୍ଵାବଧାନରେ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଖୁବ୍ ସୁନ୍ଦର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପିଲାମାନଙ୍କ ଶାନ୍ତିଶୃଙ୍ଖଳା ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅତିଥିମାନଙ୍କୁ ଆକୃଷ୍ଟ କରିଥିଲା । ଯାହା ଆମ ବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ଥିଲା। ପରିଶେଷରେ ଜୁର ପ୍ରସାଦ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।
