ଏଲ୍.ଆଇ.ସି. କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ପୁରୀ:୧୮/୨: ପୁରୀ ଏଲ୍. ଆଇ. ସି. କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବୁଧବାର ଦିବା ୧୨ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ସୀମାଞ୍ଚଳ ପଣ୍ଡା ମୁଖ୍ୟଅତିଥି, ‘ଟିକିତାରା’ ଶିଶୁ କିଶୋର ପତ୍ରିକାର ସମ୍ପାଦକ ତଥା ଅଧିବକ୍ତା ବିପିନ ବିହାରୀ ଦଳାଇ ମୁଖ୍ୟବକ୍ତା ଭାବେ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସସ୍ମିତା ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ବେବିନା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅତିଥିମାନେ ବଡ ମଣିଷ ନୁହେଁ ଭଲ ମଣିଷ ହେବା ଏବଂ ମାଟିରେ ଥାଇ ଆକାଶକୁ ଛୁଇଁବାର ସ୍ବପ୍ନକୁ ସାକାର କରିବା ପାଇଁ ଅହରହ ଚେଷ୍ଟା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି, ସୁରେଶ ଚନ୍ଦ୍ର ବେହେରା, ରଶ୍ମି ରେଖା ସାହୁ, ଋତୁଶ୍ରୀ ମହାପାତ୍ର, ଦୀପ୍ତିମୟୀ ଗିରି, ସୁବାସ ଚନ୍ଦ୍ର ପ୍ରଧାନ, ମିହିର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଆଲୋକ କୁମାର ପ୍ରଧାନ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା।
