ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପବିତ୍ର ପାଦୁକା ପୀଠରେ ଗୋଷ୍ଠାଷ୍ଟମୀ ଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆୟୋଜିତ ବାର୍ଷିକ ଶ୍ରୀମଦ୍ ଭଗବତ ସପ୍ତାହ
ପୁରୀ:୫/୧୧: ପୁରୀ କପିଳେଶ୍ୱରପୁର ନିକଟସ୍ଥ ମଠକାଙ୍କୁଡା ଠାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପବିତ୍ର ପାଦୁକା ପୀଠରେ ଗୋଷ୍ଠାଷ୍ଟମୀ ଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆୟୋଜିତ ବାର୍ଷିକ ଶ୍ରୀମଦ୍ ଭଗବତ ସପ୍ତାହ ଓ କଥାମୃତ ମହୋତ୍ସବ କ୍ରମରେ ସାତଦିନ ବ୍ୟାପି ଭାଗବତ ପାଠ, ପ୍ରବଚନ ଓ ଲୀଳା ଅଭିନୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପାଦୁକା ପୀଠର ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ରାଉତ ଉଦଯାପନୀ ସନ୍ଧ୍ୟାରେ ସଭାପତିତ୍ବ କରିଥିଲେ। ଶେଷ ତଥା ଉଦଯାପନ ଦିବସରେ ଲୀଳା ଅଭିନୟ ଥିଲା ରାଜା ପରୀକ୍ଷିତଙ୍କ ମୁକ୍ତି ତଥା ମୋକ୍ଷ ଲାଭ କଥା। ଏହି ଲୀଳାକୁ ଗୁରୁ ଅନନ୍ତ ବେହେରା ଗ୍ରାମର କଳାକାର ମାନଙ୍କୁ ନେଇ ବଡ ସୁନ୍ଦର ଅଭିନୟ ପରିବେଷଣ କରିଥିଲେ।

ପ୍ରାରମ୍ଭରେ ଗୁରୁ ନୀଳାମ୍ବର ତ୍ରିପାଠୀ ତାଙ୍କ ସାଥୀମାନଙ୍କ ସହ ପୁରାତନ ରଚନାରୁ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ମଞ୍ଚରେ ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ, କବି ଜାନକୀ ବଲ୍ଲଭ ଦାଶ, ବନଖଣ୍ଡ ବିଭାଗର କର୍ମଚାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ବାରିକ, ପ୍ରିୟପତ୍ର ର ସଂପାଦକ ବିପିନ ବିହାରୀ ଦଳାଇ ଏବଂ କାଉନସିଲର ସୁପ୍ରିୟା ପାତ୍ର।ଯଜ୍ଞରେ ପୂର୍ଣ୍ଣାହୁତି ପରେ କଳସ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା। ସନ୍ଧ୍ୟାରେ ମଞ୍ଚ ବନ୍ଦାପନା କରାଯାଇଥିଲା। ଯୁବକ ସଂଘର ସ୍ୱେଚ୍ଛାସେବୀ ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଭା ପରିଚାଳନା କରିଥିଲେ ସଂପାଦକ ପ୍ରଭାକର ସାହୁ ଏବଂ ପ୍ରଶାନ୍ତ ତ୍ରିପାଠୀ।
