ଜଗତସିଂହପୁର ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ

ଜଗତସିଂହପୁର ୭/୮ ଜଗତସିଂହପୁର ଗତକାଲି ରଘୁନାଥପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଏକ ଦୁଷ୍କର୍ମ ହୋଇଛି। ଅଭିଯୋଗ ଅନୁସାରେ ଜଣେ ମହିଳା ଜଙ୍ଗଲକୁ ଗାଈ ଚରାଇବାକୁ ନେଉଥିବା ସମୟରେ ଜଣେ ଉଦଭ୍ରାନ୍ତ ଯୁବକ ମହିଳାଙ୍କୁ ଟେକିନେଇ ଜଙ୍ଗଲ ଭିତରେ ମାଡ଼ମାରି ଲହୁଲୁହାଣ କରିବା ସହିତ ଦୁଷ୍କର୍ମ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ମହିଳା ଜଣକ ବିଲରେ ପଡିଥିବା ସମୟରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ଓ ସେ ତାଙ୍କ ସ୍ବାମୀଙ୍କ ସହିତ ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଉକ୍ତ ମହିଳାକୁ ମେଡ଼ିକାଲ ଟେଷ୍ଟ କରାଇ ରାତିରେ ଏକୁଟିଆ ଛାଡି ଦେଇଥିଲା। ଥାନା ଠାରୁ ୧୦ କିଲୋମିଟର ଦୂର ଘରକୁ ଯିବା ସମୟରେ ମହିଳା ଜଣକ ଅସୁସ୍ଥ ହୋଇ ପଡିଯାଇଥିଲେ ଓ ସ୍ଥାନୀୟ ଜନସାଧାରଣ ଉକ୍ତ ମହିଳାକୁ ରଘୁନାଥପୁର ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି। ତେବେ ଧର୍ଷିତା ମହିଳାକୁ ରାତିରେ ଥାନା ଏକୁଟିଆ ଛାଡ଼ିଦେବା ଓ ଅଭିଯୁକ୍ତକୁ ଗିରଫ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟରେ ତଥା ଜିଲ୍ଲାରେ ବୃଦ୍ଧି ପାଉଥିବା ଛାତ୍ର ଓ ନାରୀ ନିର୍ଯ୍ୟାତନା ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବିକରି ଜଗତସିଂହପୁର ଜିଲ୍ଲା ବିଜେଡି ଯୁବ ଓ ଛାତ୍ର ସଂଗଠନ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯୁବ ବିଜେଡି ଓ ଛାତ୍ର ବିଜେଡି ସଂଗଠନର କର୍ମକର୍ତ୍ତା ମାନେ କଲେଜ ଛକ ଠାରୁ ଏକ ପଟୁଆରରେ ଏସପି ଅଫିସ ପର୍ଯ୍ୟନ୍ତ ଆସି ଏସପି ଅଫିସ ଆଗରେ ନାରାବାଜି କରିଥିଲେ। ଛାତ୍ର ବିଜେଡି ସଂଗଠନର ସମ୍ବିତ ଲେଙ୍କା ଓ ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ମାନେ ଏସପିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *