ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ଶପଥ
ରାୟଗଡ/ରାମନାଗୁଡ଼ା- ତା ୨୭-୧୦-୨୦୨୫ରିଖ ଠାରୁ ଆସନ୍ତା ତା ୦୨-୧୧-୨୦୨୫ରିଖ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସୋମବାର ଦିନ ରାମନାଗୁଡା ବ୍ଲକ ପରିସରରେ ଜିଲ୍ଲାପାଳ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରାୟଗଡ଼ା ଆଶୁତୋଷ କୁଲକର୍ଣ୍ଣି, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ କୁମାର, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ାଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀ ଓ ପଦାଧିକାରୀଙ୍କୁ ଦୁର୍ନୀତି ନିବାରଣ ଉପରେ ମାର୍ଗ ଦର୍ଶନ କରି ଶପଥ ପାଠ କରାଇଥିଲେ l ସେହିପରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀମାନେ ଆଜି ଶପଥ ପାଠ କରିଥିଲେ l ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତାହେ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଆସନ୍ତା ତା ୨୯/୧୦/୨୦୨୫ରିଖରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *