ସୋରଡ଼ା ବ୍ଲକ ରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ
ସୋରଡ଼ା,୩୦/୩ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର କଳାହାଣ୍ଡି ଜିଲାରୁ ଆରମ୍ଭ ହୋଇଛି ଏହି ଯୋଜନା। ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି। ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଅନାଥ,ଅସହାୟ ଦୂରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି,ହାତୀ ଉପଦ୍ରବରେ ଘର ଭାଙ୍ଗିଥିବା ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।ବିଡିଓ ତନ୍ମୟ ପାତ୍ର,ଏ ବି ଡ଼ି ଓ ସଂଜୀବ ରାଜ ସେନାପତି ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିବା ବେଳେ ଗ୍ରାମାଞ୍ଚଳରୁ ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀମାନେ ଉପସ୍ଥିତ ରହି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ସହିତ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଦେଖିଛନ୍ତି।ବଜେଟ୍ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖିଛନ୍ତି ସରକାର। ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା। ଯେଉଁଥିରେ ଘର ନିର୍ମାଣ ପାଇଁ ୩ଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ପାରିଶ୍ରମିକ ବାବଦକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦/୯୫ ଦିନର ମଜୁରୀ ପ୍ରଦାନ କରାଯିବ ତାହା ସହିତ ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ଶୌଚାଳୟ ପ୍ରଦାନ କରାଯିବ, ଉଜ୍ଜ୍ୱଳ ଯୋଜନାରୁ ରନ୍ଧନ ଗ୍ୟାସ ପ୍ରଦାନ କରାଯିବ, ସୌଭାଗ୍ୟ ଯୋଜନାରୁ ବିଜୁଳି ସଂଯୋଗ କରାଯିବ, ବସୁଧା ଯୋଜନାରୁ ପିଇବା ପାଣି ସଂଯୋଗ କରାଯିବ ବୋଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ସୋରଡ଼ା ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତର ପ୍ରଥମ ପ୍ରଯ୍ୟାୟରେ ୧୩୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।
