ଶିବଙ୍କର ଅର୍ଦ୍ଧନାରୀଶ୍ବର ରୂପ

         ଶିବଙ୍କର ଅର୍ଦ୍ଧନାରୀଶ୍ବର ରୂପ
           ( ରାଗ — ଚିନ୍ତାଦେଶାକ୍ଷ )

   🔹କବିରତ୍ନ ନୂତନ କୁମାର ବେହେରା

ଦେବ ଦେବ ମହାଦେବ’ ଶିବ ଶଙ୍କର’
         ଆଶୁତୋଷ ଭୋଳାନାଥ, ସେ ମହେଶ୍ୱର’ ।
ଜଗତ କଲ୍ୟାଣେ ସଦା ସେ ସଦାଶିବ,
             ଭାବେ ଭବରୁ ଘୁଞ୍ଚାନ୍ତି ଯେତେ ଅଭାବ ।
ବିଷ୍ଣୁଙ୍କ ଆଜ୍ଞାରେ ବ୍ରହ୍ମା କଲେ ସର୍ଜନା,
                   ବିଶ୍ଵ ବ୍ରହ୍ମାଣ୍ଡର କରି ନବ କଳ୍ପନା ।
ପଶୁପକ୍ଷୀ ତରୁଲତା କୀଟ ପତଙ୍ଗ,
         ଜୀବନ ସାଥେ ଦେଲେ ଯେ ସ୍ଵତନ୍ତ୍ର ଅଙ୍ଗ ।
ସୃଷ୍ଟି ବିକାଶେ ନଥିଲା କିଛି ମାଧ୍ୟମ,
           କ୍ରମ ବର୍ଦ୍ଧନେ ଥିଲା ଯେ ହୋଇ ସସୀମ ।
ଦେଖି ଏହା ବ୍ରହ୍ମଦେବ କରିଲେ ଚିନ୍ତା,
               କେମନ୍ତେ ସୃଷ୍ଟିର ଧାରା ଚିର ରୁହନ୍ତା !
ଏ ବାରତା ଜଣାଇଲେ ବିଷ୍ଣୁଙ୍କୁ ଯାଇ,
            ସେ ଶୁଣି ସବୁ ଉପାୟ ଦେଲେ ବତାଇ ।
ଶିବ ଶଙ୍କରଙ୍କୁ କର ହେ ଆରାଧନା,
           ଘୁଞ୍ଚାଇବେ ସମସ୍ୟା ସେ କରି ଯୋଜନା ।
ତହୁଁ ବ୍ରହ୍ମା ଶଙ୍କରଙ୍କୁ କଲେ ତପସ୍ୟା,
               ପ୍ରକଟିତେ ଦୂରାଇଲେ ଏଇ ସମସ୍ୟା ।
ଅର୍ଦ୍ଧନାରୀଶ୍ବର ରୂପ କରି ଧାରଣ,
                ଗୁଢ଼ ରହସ୍ୟ ତାହାର କଲେ ବର୍ଣ୍ଣନ ।
ଦୁଇ କାୟା ଏକ ଆତ୍ମା ନାରୀ ପୁରୁଷ,
                ମିଳନେ ସୃଷ୍ଟିର ହେବ କ୍ରମ ବିକାଶ ।
ଅର୍ଦ୍ଧ ଅର୍ଦ୍ଧ ଅଙ୍ଗେ ପୂରା ଏକ ଶରୀର,
              ପୃଥକେ ନାରୀ ପୁରୁଷ ତାଙ୍କ ଆକାର ।
ଅର୍ଦ୍ଧନାରୀଶ୍ବରରୁ ସେ ହୋଇ ପୃଥକ,
              ନର ନାରୀ ସମ୍ପର୍କକୁ କଲେ ବ୍ୟାପକ ।
ଦକ୍ଷଣି ଅଙ୍ଗ ପୁରୁଷ ବାମ ଯେ ନାରୀ,
           ଏକରୁ ଦୁଇ ହୋଇଲେ ଶଙ୍କର ଗୌରୀ ।
ନାରୀର ରୂପ ନ ଚିନ୍ତି ଥିବାରୁ ବ୍ରହ୍ମା,
             ମହାଦେବ ଦେଖାଇଲେ ତାଙ୍କ ମହିମା ।
ବିଧି ହୁଏ ସିଦ୍ଧ ନର ନାରୀ ମିଳନେ,
               କାମନା ପୂର୍ଣ୍ଣ କରନ୍ତି ତାଙ୍କ ଜୀବନେ ।
ଏ ଭାବେ ସୃଷ୍ଟିର ଚାଲେ କ୍ରମଧାରା,
              ନାରୀ ପୁରୁଷର ପ୍ରେମେ ତିଷ୍ଠିଛି ଧରା ।
ଏକ ପୁରୁଷ ସହିତ ଯେ ଏକ ନାରୀ,
                ପବିତ୍ର ବନ୍ଧନେ ରହି ଯାଆନ୍ତି ତରି ।
ଏକରୁ ହେଲେ ଅଧିକ ଲାଗେ କଳଙ୍କ,
               ଅସମାହିତ ରହେ ସେ ଜୀବନ ଅଙ୍କ ।
ସଂସାରେ ନାରୀ ପୁରୁଷ ଦୁହେଁ ସମାନ,
             ଏକ ବିନା ଆନ ରହେ ଯେ ଅସଂପୂର୍ଣ୍ଣ ।
ଅର୍ଦ୍ଧନାରୀଶ୍ବର ରୂପେ ଶିବ ଶଙ୍କର,
             ତତ୍ତ୍ଵଜ୍ଞାନକୁ ସଂସାରେ କଲେ ସାକାର ।
ରଖିଲେ ସମତା ଭାବ ହୁଏ ମଙ୍ଗଳ,
         ଅନ୍ୟଥାରେ ସଂହାରନ୍ତି ହୋଇ ସେ କାଳ ।
ଜୟ ଜୟ ପ୍ରଭୁ ଆହେ ଉମାଶଙ୍କର,
                 ତବ ଶୁଭ ଦୃଷ୍ଟି ରହୁ ସକଳେ ଚିର ।
ତବ ପଦାରବିନ୍ଦରେ ରହୁ ଭକତି,
             ସତ୍ୟ ପଥେ ନିଅ ସଦା କରେ ମିନତି ।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *