କଳାକାରମାନଙ୍କୁ ସୁଲଭ ଦରରେ ପ୍ରେକ୍ଷାଳୟ ଯୋଗାଇ ଦିଆଯାଉ

ବ୍ରହ୍ମପୁର, ତା. ୦୮/୦୧ : କଳା ଓ କଳାକାର ହିତୈଷୀ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ବ୍ରହ୍ମପୁର ସହରର ସମସ୍ତ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଶ୍ରୀ ଫାଉଣ୍ଡେସନ୍ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, କଳାକାର ଏକତା ମଞ୍ଚ ସଭାପତି ଅନିଲ କୁମାର ପାତ୍ର ଏବଂ ବରିଷ୍ଠ ଚଳଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ପ୍ରେକ୍ଷାଳୟ ଗୁଡିକର ନାଟକ ବା ସାଂସ୍କୃତିକ କାର୍ଯ୍ୟ ନିମନ୍ତେ ଚଢା ଦର ଧାର୍ଯ୍ୟ ବିରୁଦ୍ଧରେ ମତବ୍ୟକ୍ତ କରିଥିଲେ। ସରକାରୀ ଜାଗା ଏବଂ ସରକାରୀ ଅନୁଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ନିର୍ମିତ ପ୍ରେକ୍ଷାଳୟ ଆଜି ବ୍ୟବସାୟ କୋଠିରେ ପରିଣତ ହୋଇଥିବା ଲକ୍ଷ୍ୟ କରି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ରାଜ୍ୟରେ ଥିବା ସାମାଜିକ ପ୍ରେକ୍ଷାଳୟ ଗୁଡିକ ଉପରେ ସରକାରୀ ନିୟାମକ ପ୍ରକାଶ ସହିତ ନାଟକ ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ୱଳ୍ପ ଦରରେ ପ୍ରେକ୍ଷାଳୟ ଅଗ୍ରାଧିକାର ଭିତ୍ତିରେ ଯୋଗାଇଦେବା ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ଏଥିରେ ଖିଲାପ ହେଲେ ରାଜ୍ୟସ୍ତରୀୟ ଆନ୍ଦୋଳନ ନେଇ କଳାକାରମାନେ ପ୍ରସ୍ତୁତ ଥିବା ବୈଠକରୁ ସୂଚିତ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅଭିରାମ ରାଉଳ, ବଳଦେବ ସାହୁ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ମହେନ୍ଦ୍ର କୁମାର ସାହୁ, ସରୋଜ କୁମାର ପଣ୍ଡା, ନବ କିଶୋର ମହାପାତ୍ରପ୍ରମୁଖ ସହଯୋଗ କରିଥିବା ବେଳେ ବହୁ କଳାକାର ଉପସ୍ଥିତ ଥିଲେ। ପରିଶେଷରେ ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *