ନାରୀ ରୂପେ ତୁ ନାରାୟଣୀ
ନାରୀ ରୂପେ ତୁ ନାରାୟଣୀ
( ରାଗ — କଲ୍ୟାଣ ଆହାରୀ )
🔹କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିର ସିଦ୍ଧାନ୍ତେ ଜନମି ସଂସାରେ
ନାରୀ ରୂପେ ତୁ ନାରାୟଣୀ,
ସେବା ତ୍ୟାଗ ତୋର ଜୀବନର ବ୍ରତ
ଭବେ ତୁ କଲ୍ୟାଣକାରିଣୀ,
ହେ ଦେବୀ
ସ୍ନେହ ମମତାର ତଟିନୀ,
ଅମୃତର ଧାରା ବହେ ତୋ ବକ୍ଷରୁ
ଜଗତେ ଶାନ୍ତି ଦେଉ ଆଣି/୧/
ଦୁହିତା,ବନିତା,ଭଗିନୀ,ଜନନୀ
ଏ ଚାରି ବେଶେ ତପସ୍ଵିନୀ,
ଗୃହର ତୁ ଜଳନ୍ତା ଦୀପ
ଆଲୋକ ପ୍ରଦାନେ ରୋଷଣି,
ହେ ଦେବୀ
ପୁତ୍ର କନ୍ୟା ପାଇଁ ବସୁଧା,
ହୋଇ ସର୍ବଂସହା କରୁ ତୁ ସୁଦୟା
ଘୁଞ୍ଚଇ ବିପତ୍ତିର ବାଧା/୨/
ଆଦିଶକ୍ତି ସ୍ଵରୂପିଣୀ ଭାବେ ଉଭା
ହୋଇଥାଉ ଏ ଧରାଧାମେ,
ସଂସାରର ହିତେ ବିକାଶି ପ୍ରତିଭା
ନିଷ୍ଠା ପାଳୁ ନିଜ ଧରମେ,
ହେ ଦେବୀ
ଜନନୀ ରୂପେ ଚିରପୂଜ୍ୟା,
ତୋ ମହନୀୟ ଗୁଣେ ତୁ ମହନୀୟା
ହେଉ ବନ୍ଦନୀୟା ନମସ୍ୟା/୩/
ନାରୀ ରୂପରେ ହୋଇ ମର୍ତ୍ତ୍ୟେ ଜନମ
ବୋଲାଉ ତୁହି କନ୍ୟାରତ୍ନ,
ସ୍ନେହ ମମତାର ଜୀବନ୍ତ ପ୍ରତିମା
ନେଉ ତୁ ସନ୍ତାନର ଯତ୍ନ,
ହେ ଦେବୀ
ହୃଦୟେ ସମର୍ପଣ ଭାବ,
ହିତେ ରହି ସଦା ଦେଉ ଆଶ୍ଵସନା
ଗୃହେ ପୂରି ଯାଏ ବିଭବ/୪/
ମାତା ରୂପେ ତୁହି ଜଗତରେ ଜିତା
ସନ୍ତାନର ସହା ଭରସା,
ଧ୍ୟାନେ କରି ଉପାସନା ଆରାଧନା
ପୂରଣ କରୁ ତାର ଆଶା,
ହେ ଦେବୀ
ପବିତ୍ରପ୍ରାଣା ଧର୍ମପ୍ରାଣା,
ତୋ ଯଶ ଖ୍ୟାତିର ଧ୍ଵଜା ତୁ ଉଡ଼ାଉ
ବରଷି ପଡ଼ଇ କରୁଣା/୫/
ସୃଷ୍ଟିର ସମ୍ଭାରକୁ କରୁ ସୁରକ୍ଷା
ଦେଇ ସଦା ଅଗ୍ନି ପରୀକ୍ଷା,
ଦାନର ପ୍ରତିଦାନ ପାଇବା ପାଇଁ
ନ ଥାଏ ତୋହର ପ୍ରତୀକ୍ଷା,
ହେ ଦେବୀ
ସହି ତୁ ନାନା ଦୁଃଖ କଷ୍ଟ,
ହସ ଖୁସି କରୁ ଥାଉ ବିତରଣ
ଘୁଞ୍ଚାଉ ସନ୍ତାନର ରିଷ୍ଟ /୬/
ସକଳେ ବୁଝନ୍ତୁ ତୋର ଅବଦାନ
ନାରୀ ରୂପେ ତୁ ନାରାୟଣୀ,
ତୋର ଲାଗି ସିନା ହୁଅଇ ପ୍ରଗତି
ତୋ ପାଶେ ସଭିଏଁ ତ ଋଣୀ,
ହେ ଦେବୀ
ରଖ ତୁ ତୋର ନାରୀ ଧର୍ମ,
ତୋ ସୁରକ୍ଷା ହେଉ ସବୁରି ଦୀକ୍ଷା
ସଭିଏଁ ବୁଝନ୍ତୁ ଏ ମର୍ମ/୭/
ନିଜ ସୁଖ ଲାଗି ତୁ ନଭାବି କେବେ
ଜୀବନକୁ କରୁ ଉତ୍ସର୍ଗ,
ଜଗତ କଲ୍ୟାଣେ ରହି ପତିବ୍ରତା
ଦେଖାଉ ତୁ ସତ୍ୟର ମାର୍ଗ,
ହେ ଦେବୀ
ପ୍ରଣାମ ତୋର ଚରଣରେ,
ପାଅ ତୁହି ପ୍ରକୃତ ମାନ ସମ୍ମାନ
ଦୁଃଖ ଯତନା ଯାଉ ଦୂରେ/୮/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
