ଭାବରେ ତୁମେ… ଅଭାବରେ ତୁମେ
ଭାବରେ ତୁମେ… ଅଭାବରେ ତୁମେ
( ରାଗ — ଆଷାଢ଼ଶୁକ୍ଳ ବାଣୀ)
✍🏼କବିରତ୍ନ ନୂତନ କୁମାର ବେହେରା
ଭାବରେ ତୁମେ’ ଅଭାବରେ ତୁମେ’
ତୁମେ ହିଁ ଶ୍ରେଷ୍ଠ’ ଏଇ ଧରାଧାମେ’,
ବିଶ୍ଵ ବ୍ରହ୍ମାଣ୍ଡ’ ଚାଲେ ତୁମ ନାମେ’
ହୁଅ ସଦୟ କରମେ ଧରମେ,
ହେ ପ୍ରଭୁ ଶ୍ରୀନାଥ’
ହୋଇ ପାଳକ’ ଦେଖାଅ ସୁପଥ/୧/
ଭବ ସଂସାର ଦୁଃଖର ସାଗର
ଜୀବନ ନାଆ ଭାସେ ନିରନ୍ତର,
ଲହରୀ ତାର ଦିଶଇ ସୁନ୍ଦର
ଅନୁଭବେ ତା’ ବିଷାଦ ଅପାର,
ଶରଣେ ତୁମର,
ଭକତ ଥିଲେ ହୁଏ ସେ ଉଦ୍ଧାର/୨/
ସତ୍ୟର ରବି ଆଲୋକର ଛବି
ଏକାଗ୍ର ଚିତ୍ତେ ଭକ୍ତ ରହେ ଭାବି,
କର୍ମଯୋଗୀ ଯେ ହୁଏ ଅନୁଭବୀ
ହୃଦୟେ ତାର ଉଏଁ ଜ୍ଞାନ ରବି,
ହୋଇ ନିଷ୍ଠାବାନ
ଧ୍ୟାନେ ବିଚାରି ରଖେ ତା’ ଜୀବନ/୩/
ମାନବ ଲୀଳା କରି ତୁମେ ନିତି
ଜଗତେ ଦିଅ ଆଶିଷ ବିଭୂତି,
ଆସଇ ଯେବେ ଆଷାଢ଼ ଦ୍ଵିତୀୟା
ରଥରେ ବସି କର ଯେ ସୁଦୟା,
ଆହେ ଦୀନବନ୍ଧୁ,
ତୁମେ ସର୍ବସ୍ବ ତୁମେ ମହାବାହୁ/୪/
ବଡ଼ଦାଣ୍ଡରେ ଚାଲେ ନନ୍ଦିଘୋଷ
ତୁମରି ଲାଗି ବିକାଶ ପ୍ରକାଶ,
ଭାଗ୍ୟ ବିଧାତା ତୁମେ ଏ ଜଗତେ
ସଂକଟେ ପଡ଼ି ଡ଼ାକିଲେ ଆରତେ,
ହୁଅ ବାରେ ସାହା,
ବିପଦୁଁ ରଖି ଦେଖାଅ ଯେ ରାହା/୫/
ଭାବରେ ତୁମେ ଅଭାବରେ ତୁମେ
ତୁମ କରୁଣା ମିଳଇ ଅସୀମେ,
ନିଶ୍ଚିନ୍ତେ ଭକ୍ତ ରହେ ଅବିରାମେ
ଜୀବାତ୍ମା ଯାଇ ମିଶଇ ପରମେ,
ତୁମେ ପରମାତ୍ମା
ପାପୀର ପାପ କରି ଦିଅ କ୍ଷମା/୬/
ଦୀନ ଦରିଦ୍ର ମୁଁ ଅକିନଞ୍ଚନ
କରେ ପ୍ରାର୍ଥନା ଦିଅ ହେ ଶରଣ,
ହୋଇ ସହାୟ କର ପରିତ୍ରାଣ
ତୁମେ ହିଁ କାର୍ଯ୍ୟ ତୁମେ ହିଁ କାରଣ,
ତୁମେ ଭାବଗ୍ରାହୀ
ଭାବରେ ଭଜି ଜନ ପାଏ ତ୍ରାହି /୭/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ,
