ଅଷ୍ଟରୂପା ଦେବୀ ମା’ ମହାଲକ୍ଷ୍ମୀ
ଅଷ୍ଟରୂପା ଦେବୀ ମା’ ମହାଲକ୍ଷ୍ମୀ
( ରାଗ — କଉଶିକ )
🔹କବିରତ୍ନ ନୂତନ କୁମାର ବେହେରା
ସୁଖ ସ’ମୃଦ୍ଧିର’ ଦାତ୍ରୀ ଦେ’ବୀ ମା’ ମ’ହାଲକ୍ଷ୍ମୀ’
ଅଷ୍ଟ ସ୍ବ’ରୂପିଣୀ
ଐଶ୍ୱର୍ଯ୍ୟ’ ପ୍ରାଚୁର୍ଯ୍ୟ’ ପ୍ରଦାନେ’ ସର୍ବଦା’ ପ୍ରସନ୍ନା’
କଲ୍ୟାଣ’କାରିଣୀ
ଦୁଃଖ’ ହାରିଣୀ’,
ଜଗତେ’ କରନ୍ତି’ ମଙ୍ଗଳ’
ପୂଜିଲେ’ ଭକ୍ତିରେ’ ମାତାଙ୍କୁ’ ମିଳଇ’ ପୁଣ୍ୟ ଯେ’
ହୁଅଇ’ କୁଶଳ’ /୧/
ଆଦି, ଧନ,ଧାନ୍ୟ, ଗଜ,ସନ୍ତାନ, ବୀର,ବିଦ୍ୟା,
ଜୟ ନାମେ ଜ୍ଞାତା
ଯେଉଁ ଲକ୍ଷ୍ମୀ ରୂପେ ଚିନ୍ତି ପୂଜା କରେ ଶ୍ରଦ୍ଧାଳୁ
ମା’ ହୁଅନ୍ତି ପ୍ରୀତା
ସେ ଆଦି ମାତା,
ସଭିଙ୍କୁ କରନ୍ତି ସୁଦୟା
ଜଟିଳ ଜଞ୍ଜାଳ ନାଶି ସେ ଦିଅନ୍ତି ଅଭୟ
ଘୁଞ୍ଚେ ମୋହ ମାୟା / ୨/
ଆଦି ଲକ୍ଷ୍ମୀ ରୂପେ ବ୍ରହ୍ମାଣ୍ଡର ସୃଷ୍ଟିକାରିଣୀ
ଜୀବନ ଦାୟିନୀ
ଧନ ଲକ୍ଷ୍ମୀ ଭାବେ ଘୁଞ୍ଚାନ୍ତି ଅଭାବ ଓ ଋଣ
ମାଆ ପଦ୍ମାସନୀ
କୃପା କାରିଣୀ,
ସେ ଯେ ସୌଭାଗ୍ୟ ପ୍ରଦାୟିନୀ
ଧନ ଦାନ କରି ଗରିବଙ୍କୁ ରଖନ୍ତି ତାରି
ନିଃସ୍ଵ ହୁଏ ଧନୀ / ୩/
ଧାନ୍ୟ ଲକ୍ଷ୍ମୀ ହୋଇ ପ୍ରତି ଗୃହେ ରହି ଥାଆନ୍ତି
ଯୋଗାନ୍ତି ଆହାର
ଶସ୍ୟ ଉତ୍ପାଦନେ କରନ୍ତି ଅଶେଷ କରୁଣା
ସାହା ହୋଇ ଚିର
ଦିଅନ୍ତି ବର,
ଦେବୀ ମା’ ଲକ୍ଷ୍ମୀ ଅନ୍ନପୂର୍ଣ୍ଣା
ଗଜ ଲକ୍ଷ୍ମୀ ଭାବେ କୃଷି ଓ ମୃତ୍ତିକା ଉର୍ବରେ
ସେ ସ୍ଵୟଂ ସମ୍ପୂର୍ଣ୍ଣା /୪/
ସନ୍ତାନ ଲକ୍ଷ୍ମୀ ସ୍ଵରୂପେ ସ୍କନ୍ଦମାତା ସମାନ
ବୀର ପ୍ରସବିନୀ
ତାଙ୍କ ପୂଜା ଅର୍ଚ୍ଚନାରେ ଲାଭ ହୁଏ ସନ୍ତାନ
ମା’ ହୋଇ ରମଣୀ
ଯେ ସୁଲକ୍ଷଣୀ,
ପାଆନ୍ତି ସଦା ଆଶୀର୍ବାଦ
ବୀର ଲକ୍ଷ୍ମୀ ଭାବେ ରଖନ୍ତି ଅକାଳ ମୃତ୍ୟୁରୁ
ଦୂରାନ୍ତି ବିଷାଦ /୫/
ବିଦ୍ୟା ଲକ୍ଷ୍ମୀ ଭାବେ ମା’ କରନ୍ତି ଜ୍ଞାନ ପ୍ରଦାନ
କଳା ଓ କୌଶଳେ
ଶିକ୍ଷା ପାଇ ଯେ ନରନାରୀ କରିଥାନ୍ତି ବାସ
ସୁଖରେ ସକଳେ
ଧରିତ୍ରୀ କୋଳେ,
ଯଶ ଖ୍ୟାତି ପ୍ରାପ୍ତିରେ ମାନ
ଭକ୍ତଙ୍କୁ ଦିଅନ୍ତି ମାତା ବିଜୟ ଲକ୍ଷ୍ମୀ ରୂପେ
କରି ଯେ କଲ୍ୟାଣ /୬/
ଅଷ୍ଟରୂପା ଦେବୀ ମା’ ଚିରପୂଜ୍ୟା ମହାଲକ୍ଷ୍ମୀ
ଏ ସାରା ଜଗତେ
ରଖି ନିଷ୍ଠା ଭାବ ପବିତ୍ର ମନେ ଉପାସନା
କରନ୍ତି ମହତେ
ସମୂହ ହିତେ,
ତାଙ୍କ ପାଦପଦ୍ମରେ ଧ୍ୟାୟି
ଯୁଗେ ଯୁଗେ ସୁଖ ଶାନ୍ତି ତୃପ୍ତି ପାଆନ୍ତି ଜନେ
ହଇଣ ବିଜୟୀ /୭/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
