ଅଷ୍ଟସିଦ୍ଧି
ଶୀର୍ଷକ _ଅଷ୍ଟସିଦ୍ଧି
ରୀତାରାଣୀ ଦାଶ
ବାଲେଶ୍ୱର
ଅଞ୍ଜନା ନନ୍ଦନ ପବନ ତନୟ
ମହାବଳୀ ହନୁମାନ
ପର୍ବତ ଶିଖରେ ଧ୍ୟାନର ମୁଦ୍ରାରେ
ଶାନ୍ତି ପୂର୍ଣ୍ଣ ରାମ ନାମ
ହିମାଳୟ ଶୋଭା ରାଜି,
ଚିତ୍ତ ଭାବାପନ୍ନ କରେ ବୀରଙ୍କର
ଶକ୍ତିର ପ୍ରତୀକ ସାଜି |
ଆହେ ମହାବୀର ମହା ଶକ୍ତିଶାଳୀ
ପର୍ବତ ତୁଲ୍ୟ ଶରୀର
ଶ୍ରୀରାମଙ୍କ ନାମ ହୃଦୟେ ସୁମରି
ବ୍ରତ ଆଚରି କଠୋର
ପ୍ରାପ୍ତି କଲେ ଅଷ୍ଟସିଦ୍ଧି,
ଜୟ ଜୟ ଜୟ ବଜରଙ୍ଗଵାଲୀ
ଶ୍ରେଷ୍ଠ ତୁମର ଭକତି |
ଆଠ ଦିବ୍ୟ ଶକ୍ତି ଅଷ୍ଟସିଦ୍ଧି ଖ୍ୟାତି
ମହାବୀର ଆଶୀର୍ବାଦ
ଅଣିମା, ମହିମା ଲଘିମା, ଗରିମା
ପ୍ରାପ୍ତି, ପ୍ରକାଶ, ବଶିତ୍ୱ
ଇଶିତ୍ୱ ଯେ ଅନ୍ୟ ଏକ,
ଉଚ୍ଚକୁ ଉଡ଼ନ୍ତି ପବନଙ୍କ ପୁତ୍ର
ସିଦ୍ଧି ଏକକୁ ଆରେକ |
ଭକ୍ତିର ଭକ୍ତିରେ ଶକ୍ତି ପରିବ୍ୟାପ୍ତ
ଦୂରକରେ ଭୀତି ଭୟ
ହୃଦୟ ଓ ଆତ୍ମା ଖୋଜେ ପ୍ରଭୁ କୃପା
ପ୍ରାପ୍ତିରେ ମିଳେ ଅଭୟ
ଶ୍ରୀରାମେ ଯେ ସମର୍ପିତ,
ଅଷ୍ଟସିଦ୍ଧି ଶକ୍ତି ଉଚ୍ଚତର ସ୍ଥିତି
ଶକ୍ତିକରେ ପ୍ରତୀକିତ |
ସେବା ସୁରକ୍ଷାରେ ଶକ୍ତି ବିନିଯୋଗ
କରନ୍ତି ଶ୍ରୀ ହନୁମାନ
ନମ୍ରତା ଦାୟିତ୍ୱ ଉତ୍ସର୍ଗୀକୃତ ରେ
ବୀରଙ୍କ ମହାନ ଗୁଣ
ଶକ୍ତି,ଭକ୍ତି, ସେବା, ଶ୍ରଦ୍ଧା,
ନିଃସ୍ୱାର୍ଥପରତା କୃପା କରୁଣାର
ଭକ୍ତ ହୁଅଇ ଯେ ବନ୍ଧା |
